ଅବହେଳିତ ପାଳଦା ଜଗନ୍ନାଥ ପୀଠ

ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : ସାମ୍ପ୍ରତିକ ସମୟରେ ଅନେକ ସର୍ବପୁରାତନ ଧର୍ମପୀଠ ଅବହେଳିତ ଅବସ୍ଥାରେ ଥିବା ବେଳେ ତନ୍ମଧ୍ୟରୁ ଭଣ୍ଡାରିପୋଖରୀ ବ୍ଲକ ପାଳଦା (ଉତ୍ତରବାଡ଼) ଗ୍ରାମର ଜଗନ୍ନାଥ ପୀଠ ଅନ୍ୟତମ। ଉକ୍ତ ପୀଠଟି ପ୍ରାୟ ୫ଶହ ବର୍ଷରୁ ଉର୍ଦ୍ଧ୍ବ ସର୍ବପୁରାତନ ହୋଇଥିବା ବେଳେ ଏଠାରେ କାଠ ନିର୍ମିତ ମନ୍ଦିର ନିର୍ମାଣ କରାଯାଇ ପ୍ରଥମେ ଜଗନ୍ନାଥଙ୍କୁ ପୂଜାର୍ଚ୍ଚନା କରାଯାଉଥିଲା । ଠାକୁରଙ୍କର ପ୍ରାୟ ୮୦ଏକର ଜଳଜମି ଥିବା ବେଳେ ଅନେକ ସେବାକାରୀ ମଧ୍ୟ ଜଗନ୍ନାଥଙ୍କ ପାଇଁ ନିୟୋଜିତ ଥିଲେ । କାଳକ୍ରମେ ଠାକୁରଙ୍କ ସମ୍ପତ୍ତି ବ୍ୟକ୍ତିଗତ ମାଲିକାନାକୁ ଚାଲିଯାଇଥିବା ବେଳେ କିଛି ଶାଗମାଛ ଦରରେ ବିକ୍ରି ହୋଇଯାଇଛି। ଲିଭିଯାଇଛି କାଠ ନିର୍ମିତ ମନ୍ଦିରର ଐତିହ୍ୟ ପରମ୍ପରା । ଏବେ ଗ୍ରାମବାସୀଙ୍କ ପ୍ରଚେଷ୍ଟା ଯୋଗୁ ଏକ ପକ୍କା ଗୃହ ନିର୍ମାଣ କରାଯାଇ ସେଠାରେ ମହାପ୍ରଭୁଙ୍କୁ ଅବସ୍ଥାପିତ କରାଯାଇଥିବା ବେଳେ ବଂଶାନୁକ୍ରମିକ ପୂଜକ ବନମାଳୀ ପଣ୍ଡାଙ୍କ ତତ୍ୱବାଧାନରେ ଜଗନ୍ନାଥଙ୍କ ଦୈନିକ ନୀତିକାନ୍ତି ସମ୍ପନ୍ନ ହେଉଛି । ଦୈନିକ ପ୍ରାତଃ ଆଳତୀ, ପ୍ରସାଦ ଅନ୍ନ, ବାଲ୍ୟଭୋଗ ଓ ସନ୍ଧ୍ୟା ଆଳତୀ ଅନୁଷ୍ଠିତ ହେଉଥିବା ବେଳେ ଅନେକ ଶ୍ରଦ୍ଧାଳୁ ଏଠାରେ ଦୈନନ୍ଦିନ ଆସି ଜଗନ୍ନାଥଙ୍କୁ ପୂଜାର୍ଚ୍ଚନା କରିଥାନ୍ତି । ଏଠାରେ ପ୍ରସିଦ୍ଧ ରଥଯାତ୍ରା ସହିତ ସ୍ନାନଯାତ୍ରା, ଚନ୍ଦନ ପୂର୍ଣ୍ଣିମା ଓ ବଳଦେବ ଜନ୍ମ ପୂଜା ଉତ୍ସବ ଅନୁଷ୍ଠିତ ହୋଇଥାଏ । ଠାକୁରଙ୍କ ନାମରେ ଥିବା ସ୍ୱଳ୍ପ କେତେଗୁଣ୍ଠ ଜମିକୁ ରଥ ନିର୍ମାଣ କରୁଥିବା ସେବାକାରୀଙ୍କୁ ପ୍ରଦାନ କରାଯାଇଥିବା ବେଳେ ମୁଖ୍ୟ ପୂଜକଙ୍କୁ କେବଳ ଜାଗା ଖଣ୍ଡିଏ ମିଳିଛି । ଏତକ ଛାଡିଦେଲେ ପ୍ରସିଦ୍ଧ ପାଳଦା ଜଗନ୍ନାଥ ପୀଠର ଉନ୍ନତିକରଣ ପାଇଁ କୌଣସି ଆର୍ଥିକ ପ୍ରୋତ୍ସାହନ ନଥିବାରୁ ଏହାର ଐତିହ୍ୟ ଆଜି ଲୀନ ହେବାକୁ ବସିଛି । ବିଶେଷ କରି ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ଉକ୍ତ ସର୍ଵ ପୁରାତନ ଜଗନ୍ନାଥ ପୀଠ ଉପରେ ଦୃଷ୍ଟି ଦେଲେ ଏହା ଧର୍ମାନୁରାଗୀ ଶ୍ରଦ୍ଧାଳୁଙ୍କୁ ଆକର୍ଷିତ କରିପାରନ୍ତା ବୋଲି ଗ୍ରାମର ପଦ୍ମନାଭ ପଣ୍ଡା, ହେମନ୍ତ ପଣ୍ଡା, ପବନ କୁମାର ନାୟକ, ସୁଧାକର ସାହୁ, ପ୍ରଭାକର ସାହୁ, ସଂଗ୍ରାମ ସାହୁ, ଅଖିଳ କୁମାର ସାହୁ, ଗିରିଶ ଚନ୍ଦ୍ର ସାହୁ, ଦୁଷ୍ମନ୍ତ ସାହୁ, ଅବନୀ ସାହୁ ପ୍ରମୁଖ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ