ଅଭିନୟ କରିବାକୁ ବିରୋଧ କରୁଥିଲେ ମାଆ
ଅଭିନୟ ଜଗତରେ ପାଦ ଦେବାକୁ ପ୍ରଥମେ ପ୍ରଥମେ ଅଭିନେତ୍ରୀ ଅନୁଭା ଶୌର୍ଯ୍ୟାଙ୍କୁ ବିରୋଧ କରାଯାଉଥିଲା । ତାଙ୍କୁ ବିରୋଧ କରୁଥିଲେ ଓଲିଉଡର ଲୋକପ୍ରିୟ ଅଭିନେତ୍ରୀ ତଥା ତାଙ୍କ ମାଆ ପୁଷ୍ପା ପଣ୍ଡା । ନିଜେ ଜଣେ ଅଭିନେତ୍ରୀ ହେବା ସତ୍ତ୍ୱେ ପୁଷ୍ପାଙ୍କର ଇଚ୍ଛା ନଥିଲା ଯେ ଝିଅ ଏହି ଦିଗରେ ନିଜର କ୍ୟାରିଅର ଗଢୁ । ଥରେ ସେ ଏକ ଶୋ’ରେ ଏକଥା କହିଥିଲେ ଅନୁଭା । ଅନୁଭାଙ୍କ କହିବା ଅନୁଯାୟୀ, ତାଙ୍କ ମାଆଙ୍କର ଇଚ୍ଛା ଥିଲା ତାଙ୍କୁ ଜଣେ ଆଇଏଏସ୍ ଅଫିସର ଭାବେ ଦେଖିବେ । କିନ୍ତୁ ଅନୁଭାଙ୍କ ଦୁର୍ବଳତା ଫିଲ୍ମ ପ୍ରତି ବଢ଼ିବାରେ ଲାଗିଥିଲା । ଇଞ୍ଜିନିୟରିଂ ପାସ୍ କରିବା ପରେ ମାଆ ତାଙ୍କୁ ଫିଲ୍ମ ନକରି ଚାକିରି ନହେଲେ ଅଧିକ ପଢିବା ପାଇଁ କହିଥିଲେ । କିନ୍ତୁ ସେ ଏଥିରେ ରାଜି ନହେବାରୁ ତାଙ୍କୁ ବହୁତ ଗାଳି ପଡିଥିଲା । ପରେ ଧୀରେ ଧୀରେ ଅଭିନୟ ପ୍ରତି ଇଚ୍ଛା ଦେଖି ଅନୁଭାଙ୍କୁ ମାଆ ଅଭିନୟ କରିବାର ଅନୁମତି ଦେଇଥିଲେ । ସୂଚନାଯାଗ୍ୟ, “ସ୍ୱିଟ୍ ହାର୍ଟ’, “ବଜରଙ୍ଗି’, “ସାଥୀ ତୁ ଫେରିଆ’, “ରିଭେଞ୍ଜ’ ଓ “ମୁଁ ପ୍ରେମୀ ମୁଁ ପାଗଳ’ ଆଦି ଫିଲ୍ମରେ ଅନୁଭା କାମ କରିଛନ୍ତି ।


