ଆକ୍ରୋଶମୂଳକ ଇଟାଭାଟି ଭଙ୍ଗା ଘଟଣାକୁ ନେଇ ଉଦବେଗ
ବାଲେଶ୍ୱର, (ସରୋଜ ପଣ୍ଡା):ନୀଳଗିରି ତହସିଲ ଅନ୍ତର୍ଗତ କାଣ୍ଡଗରିଡ଼ି ପଞ୍ଚାୟତର ଚିକିଡ଼ିଆ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ଆକ୍ରୋଶମୂଳକ ଭାବେ ନିର୍ଦ୍ଦିଷ୍ଟ ଇଟାଭାଟି ଭଙ୍ଗା ଘଟଣାକୁ ନେଇ ଭାଟି ମାଲିକଙ୍କ ସମେତ ତାଙ୍କ ପରିବାର ଲୋକେ ଉଦବେଗ ପ୍ରକାଶ କରିଛନ୍ତି । ନୀଳଗିରିରେ ୨୨ଟି ଇଟାଭାଟି ଥିବାବେଳେ ପ୍ରଶାସନ କାହା ସ୍ୱାର୍ଥରେ ବା କାହା ଚାପରେ ଏକମାତ୍ର ତାଙ୍କ ଭାଟି ଭାଙ୍ଗିଛି ବୋଲି ବାଲେଶ୍ୱର ସହରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଇଟାଭାଟି ମାଲିକ ହରିଶ୍ଚନ୍ଦ୍ର ଜେନା ପ୍ରଶ୍ନ କରିଛନ୍ତି । ତାଙ୍କର ଅଭିଯୋଗ ଅନୁସାରେ ଗତ ୧୬ ତାରିଖ ନୀଳଗିରି ତହସିଲ କାର୍ଯ୍ୟାଳୟ ପକ୍ଷରୁ ରୟାଲିଟି ବାବଦକୁ ତାଙ୍କୁ ସାଢ଼େ ୩ ଲକ୍ଷ ଟଙ୍କା ପୈଠ କରିବା କୁହାଯାଇଥିଲା । ୧୮ ତାରିଖରେ ତାଙ୍କ ପୁଅ ୨ଲକ୍ଷ ଟଙ୍କା ଜମା କରିବା ପାଇଁ ତହସିଲ କାର୍ଯ୍ୟାଳୟକୁ ଯାଇଥିଲେ । ବାକି ଦେଢ଼ଲକ୍ଷ ଟଙ୍କା ପଇଠ ପାଇଁ ଆଉ କିଛିଦିନ ସମୟ ଦେବାକୁ ନିବେଦନ କରିଥିଲେ । ମାତ୍ର ତହସିଲଦାର ସେମାନଙ୍କୁ ସମୟ ଦେବା ପରିବର୍ତ୍ତେ ୨୦ ତାରିଖରେ ତାଙ୍କର ଇଟାଭାଟିକୁ ଆକ୍ରୋଶମୂଳକ ଭାବେ ଭାଙ୍ଗି ଦେଇଥିଲେ ବୋଲି ହରିଶ୍ଚନ୍ଦ୍ର ଓ ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ବିଭିନ୍ନ ସୂତ୍ରରୁ ଧାର କରଜ କରି ରୟାଲିଟି ଅର୍ଥ ଯୋଗାଡ଼ରେ ସେ ଲାଗିଥିଲେ । ପ୍ରଶାସନ ତାଙ୍କ ପ୍ରାର୍ଥନାକୁ ଗୁରୁତ୍ୱ ନ ଦେଇ ଇଟାଭାଟି ଭାଙ୍ଗିବା କେଉଁ ନ୍ୟାୟପୂର୍ଣ୍ଣ ନିଷ୍ପତ୍ତି ବୋଲି ସେମାନେ କହିଛନ୍ତି । ଭାଟିଭାଙ୍ଗି ଯାଇଥିବା ବେଳେ ଋଣଭାର ସେମାନଙ୍କ ଚିନ୍ତାକୁ ବଢ଼ାଇ ଦେଇଛି । ତେବେ ତାଙ୍କର ହୋଇଥିବା କ୍ଷତି କିଏ ଭରଣା କରିବ ବୋଲି ସେ ପ୍ରଶ୍ନ କରିଛନ୍ତି । ଏନେଇ ପ୍ରଶାସନ ପକ୍ଷରୁ ନ୍ୟାୟ ନ ମିଳିଲେ ନୀଲଗିରି ତହସିଲ କାର୍ଯ୍ୟାଳୟ ସମମୁଖରେ ସପରିବାର ଆତ୍ମାହୁତି ଦେବେ ବୋଲି ହରିଶ୍ଚନ୍ଦ୍ର ଓ ତାଙ୍କ ପରିବାର ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦେଇଛନ୍ତି ।


