ଆଜାଦବସ୍ତିରୁ ବିଷଧର ସାପ ଉଦ୍ଧାର
ଯୋଡ଼ା (ଯୁଗାଦ୍ଦ) : ସହରସ୍ଥିତ ଆଜାଦବସ୍ତିର ପଣସଗଡାଠାରେ ପ୍ରତାପ ଦାଶ ନାମକ ଜଣେ ବ୍ୟକ୍ତିଙ୍କ ଘରୁ ଏକ ବିଷଧର ସାପକୁ ବନବିଭାଗ ପକ୍ଷରୁ ଉଦ୍ଧାର କରାଯାଇଛି । ସୋମବାର ଅପରାହ୍ନ ୩ ଘଟିକା ସମୟରେ ତାଙ୍କ ଘର ସମୁଖ ବାରଣ୍ଡା ନିକଟରେ ଏହି ସାପଟି ବିଚରଣ କରୁଥିବା ତାଙ୍କ ପରିବାର ଲୋକେ ଦେଖିବାକୁ ପାଇଥିଲେ । ଯୋଡାସ୍ଥିତ ଟାଟା କମ୍ପାନୀର ସାପ ଧରାଳିଙ୍କୁ ଫୋନ୍ କରିବାରୁ ସେମାନେ କେବଳ ଟାଟା କମ୍ପାନୀ କଲୋନୀ ଅଂଚଳରୁ ସାପକୁ ଉଦ୍ଧାର କରିବେ ବୋଲି କହି ଆସିବା ପାଇଁ ମନା କରିଦେଇଥିବା ପ୍ରତାପ ଦାଶ ସୂଚନା ଦେଇଛନ୍ତି । ପରେ ସ୍ଥାନୀୟ କିଛି ଲୋକ ଯୋଡା ବନପାଳ ପିଅନ ନାଏକଙ୍କୁ କହିବାରୁ ସେ ଅବିଳମ୍ବେ ବନବିଭାଗର ସାପ ଧରାଳିମାନଙ୍କୁ ଘଟଣାସ୍ଥଳକୁ ପଠାଇଥିଲେ । ସେମାନେ କୌଶଳକ୍ରମେ ସାପଟିକୁ ସେଠାରୁ ଉଦ୍ଧାର କରି ବିଛାକୁଣ୍ଡି ଜଙ୍ଗଲରେ ଛାଡି ଦେଇଥିଲେ । ଏହି ସାପଟି ତିନି ଫୁଟ୍ ଲମ୍ବ ଓ ଏହାର ଓଜନ ପ୍ରାୟ ୨ କିଲୋ ହେବ ବୋଲି ଯୋଡା ବନପାଳ ପିଅନ ନାଏକ ସୂଚନା ଦେବା ସହ କହିଛନ୍ତି ଯେ, ଏହା ଏକ ବୋଡା ଜାତୀୟ ବିଷଧର ସାପ ।