ଆଜି ସରିବ ପ୍ରଚାର

ନୂଆଦିଲ୍ଲୀ: ମହାରାଷ୍ଟ୍ର ଏବଂ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଏବେ ଶେଷ ପର୍ଯ୍ୟାୟରେ ପ୍ରଚାର ସରଗରମ ହୋଇଛି । ଆସନ୍ତାକାଲି (୧୯ ତାରିଖ) ସନ୍ଧ୍ୟାରେ ଏହି ଦୁଇ ରାଜ୍ୟ ସମେତ ୧୭ଟି ରାଜ୍ୟର ୫୧ଟି ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ପ୍ରଚାର ଶେଷ ହେବା । ୨୧ ତାରିଖରେ ଭୋଟ୍ ଗ୍ରହଣ ହେବ ଏବଂ ୨୪ରେ ଫଳାଫଳ ପ୍ରକାଶ ପାଇବ । ଭୋଟ ସମର୍ଥନ ହାସଲ ପାଇଁ ରାଜନୈତିକ ଦଳମାନେ ଜୋରଦାର ପ୍ରୟାସ ଜାରି ରଖିଛନ୍ତି । ହରିୟାଣାରେ   ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୋହାନାରେ ଏକ ର‌୍ୟାଲିରେ ଉଦବୋଧନ ଦେଇ କଂଗ୍ରେସକୁ ଟାର୍ଗେଟ୍ କରିଥିଲେ । ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ କଂଗ୍ରେସ ଦେଶ ବିରୋଧୀ ଆଭିମୁଖ୍ୟ ଗ୍ରହଣ କରିଛି ଏବଂ ଦେଶହିତରେ ନିଆଯାଉଥିବା ପଦକ୍ଷେପକୁ ବିରୋଧ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଅଗଷ୍ଟ ୫ରେ ଧାରା ୩୭୦ ଉଚ୍ଛେଦ କରି ସରକାର ଜମ୍ମୁ କଶ୍ମୀରରେ ଭାରତର ସମ୍ବିଧାନକୁ ଲାଗୁ କରିଛନ୍ତି ଏବଂ ଏହାକୁ ମଧ୍ୟ କଂଗ୍ରେସ ଜୋରଦାର ବିରୋଧ କରୁଛି । ସ୍ୱଚ୍ଛ ଭାରତ ଅଭିଯାନଠାରୁ ସର୍ଜିକାଲ ଷ୍ଟ୍ରାଇକ୍ ପର୍ଯ୍ୟନ୍ତ ସବୁ ପଦକ୍ଷେପକୁ ବିରୋଧ କରି ଏହି ଦଳ ଲୋକଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ ହୋଇଛି ବୋଲି ମୋଦୀ କହିଛନ୍ତି ।  ପ୍ରଧାନମନ୍ତ୍ରୀ ହିସାର୍ରେ ମଧ୍ୟ ଏକ ର‌୍ୟାଲିରେ ଉଦବୋଧନ ଦେଇଛନ୍ତି । ସେଠାରେ ମୋଦୀ କହିଛନ୍ତି, କଂଗ୍ରେସ ପଡ଼ୋଶୀ ରାଷ୍ଟ୍ର ସହ ତାଳମେଳରେ ଯେଭଳି ଆଚରଣ ଦେଖାଉଛି ତାହାର ରହସ୍ୟ ଜଣାପଡୁ ନାହିଁ । ଧାରା ୩୭୦ ଉଚ୍ଛେଦ ହେବା ଦିନରୁ କଂଗ୍ରେସ ଯନ୍ତ୍ରଣାରେ ଅଛି । କୌଣସି ପ୍ରକାର ଔଷଧ ଏହି ଯନ୍ତ୍ରଣାରୁ କଂଗ୍ରେସକୁ ମୁକ୍ତି ଦେଇପାରିବ ନାହିଁ ବୋଲି ମୋଦୀ କହିଛନ୍ତି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ମହେନ୍ଦ୍ରଗଡ଼ରେ ଅନୁଷ୍ଠିତ ର‌୍ୟାଲିରେ ଉଦବୋଧନ ଦେଇ କେନ୍ଦ୍ର ସରକାରଙ୍କୁ ବେକାରୀ ଓ କୃଷି ସମସ୍ୟା ନେଇ ଘେରିଛନ୍ତି । ସରକାର ଲୋକଙ୍କୁ କେବଳ ପ୍ରତାରଣା ବ୍ୟତୀତ ଅନ୍ୟ କିଛି ଦେଇପାରି ନାହାନ୍ତି ଏବଂ ଦେଶର ଅର୍ଥନୀତିକୁ ମୋଦୀ ବରବାଦ କରିଛନ୍ତି ବୋଲି ରାହୁଲ କହିଛନ୍ତି । ହରିୟାଣାରେ  ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ବରିଷ୍ଠ କଂଗ୍ରେସ ନେତା ଭୂପେନ୍ଦ୍ର ହୁଦା, ସଚିନ ପାଇଲଟ ଏବଂ ଆନନ୍ଦ ଶର୍ମା ବିଭିନ୍ନ ଜନସଭାରେ ଉଦ୍ୱୋଧନ ଦେଇଛନ୍ତି । ଏହା ବ୍ୟତୀତ ଆଇଏନ୍ଏଲ୍ଡି ଜେଜେପି ଏବଂ ବିଏସପି ପକ୍ଷରୁ ମଧ୍ୟ ବିଭିନ୍ନ ସ୍ଥାନରେ ଜନସଭା ଅନୁଷ୍ଠିତ ହୋଇଛି । ଆଜି ମହାରାଷ୍ଟ୍ରରେ ପ୍ରଧାନମନ୍ତ୍ରୀ ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ, କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଏବଂ ଅନ୍ୟ ବରିଷ୍ଠ ନେତାମାନେ ଉଦ୍ୱୋଧନ ଦେଇଛନ୍ତି । କଂଗ୍ରେସର ବରିଷ୍ଠ ନେତାମାନେ ମଧ୍ୟ ବିଭିନ୍ନ ସ୍ଥାନରେ ଜନସଭା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ