ଆଜୀବନ ଗ୍ରୀନ ଆର୍ମି ଭାବେ କାର୍ଯ୍ୟ କରିବାକୁ ଶପଥ ନେଲେ ୧ହଜାର ଛାତ୍ର ଯୁବକ

ଖୋର୍ଦ୍ଧା : ବିପ୍ଲବର ମାଟି ଖୋର୍ଦ୍ଧା । ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଆରମ୍ଭ ହୋଇଥିଲା ଖୋର୍ଦ୍ଧାରୁ । ଏବେ ସମଗ୍ର ବିଶ୍ୱର ମହାସଙ୍କଟ ହେଉଛି, ଜଳବାୟୁ ପରିବର୍ତ୍ତନ, ପରିବେଶ ପ୍ରଦୂଷଣ ଆଦି ସମସ୍ୟା । ଏହାର ପ୍ରଭାବରେ ପୃଥିବୀର ବହୁ ଜୀବ, ଜନ୍ତୁ ଲୋପ ପାଇଗଲେଣି । ପରିବେଶ ବିଜ୍ଞାନୀମାନେ ମତ ଦେଉଛନ୍ତି, ଯଦି ଏବେ ଠାରୁ ବ୍ୟାପକ ବୃକ୍ଷରୋପଣ କରାନଯାଏ, ତେବେ ପୃଥିବୀ ପୃଷ୍ଠରେ ଜୀବ ଜଗତର ଆୟୁଷ ଆଉ ବେଶି ଦିନ ନୁହେଁ ବୋଲି ଏହି ବିଶ୍ୱ ବଞ୍ଚାଅ ଅଭିଯାନକୁ ଉଦ୍‌ଘାଟନ କରି ଖୋର୍ଦ୍ଧାର ଜିଲ୍ଲାପାଳ ଶ୍ରୀ ସୀତାଂଶୁ କୁମାର ରାଉତ କହିଛନ୍ତି । ବିଶେଷତଃ ବୃକ୍ଷ ରୋପଣ ଓ ପରିବେଶ ସୁରକ୍ଷା ପାଇଁ ଯୁବକମାନେ ଗୁରୁତରସହ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ । ପ୍ରେରଣା ଇଣ୍ଟରନ୍ୟାସନାଲ ଗ୍ରୀନ୍ ଆର୍ମିର କମାଣ୍ଡଣ୍ଟ ଇନ୍ ଚିଫ୍ ଡ଼କ୍ଟର ଦିଲ୍ଲୀପ ଶ୍ରୀଚନ୍ଦନ ଏଥିରେ ସଭାପତିତ୍ୱ କରି କହିଲେ ଆଜି ଠାରୁ ବୃକ୍ଷ ରୋପଣ ଓ ପରିବେଶ ସୁରକ୍ଷା ପାଇଁ ଖୋର୍ଦ୍ଧାରୁ ଯେଉଁ ଜନ ଜାଗରଣ ଅଭିଯାନ ଆରମ୍ଭ ହେଲା ତାହା ରାଜ୍ୟର ପ୍ରତ୍ୟେକ ଜିଲ୍ଲା ସଦର ମହକୁମା, ସବ୍‌ଡ଼ିଭିଜନ୍‌, ବ୍ଲକ୍ ଓ ପଞ୍ଚାୟତ ସ୍ତରରେ କରାଯାଇ ଏପ୍ରିଲ ମାସ ୧ ତାରିଖରେ ଭୁବନେଶ୍ୱରରେ ୧ ଲକ୍ଷ ଗ୍ରୀନ ଆର୍ମିଙ୍କର ସମାବେଶ କରାଯିବ । ସେହିପରି ଜୁଲାଇମାସ ୧ ତାରିଖ ଦିନ ସମଗ୍ର ଓଡ଼ିଶାରେ ବନ ମହୋତ୍ସବ ପାଳନ କରାଯାଇ ଗ୍ରୀନ ଆର୍ମିମାନେ ଛାତ୍ର, ଯୁବକ, ବୁଦ୍ଧିଜୀବି, ସମାଜ ସେବୀ, କଳାକାର, କ୍ରୀଡ଼ାବିତ୍‌, ଆଇନଜୀବି ଆଦିଙ୍କ ସହଯୋଗରେ ୧ କୋଟି ବୃକ୍ଷ ରୋପଣ କରାଯିବ । ଏହି ସମାବେଶରେ ଖୋର୍ଦ୍ଧା ଜିଲ୍ଲା ପରିଷଦର ଅଧ୍ୟକ୍ଷ ଶ୍ରୀ ପ୍ରଫୁଲ୍ଲ କୁମାର ଦଳେଇ, ବାଜପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରକାଶ ସାମନ୍ତରାୟ, ଆଇନଜୀବି ଶିଶିର ପରିଡ଼ା, ଯୁବନେତା ନରେନ୍ଦ୍ର ଜିତ୍‌ସିଂହ, ବିଜୟ କୁମାର ସାମନ୍ତସିଂହାର, ଲକ୍ଷ୍ମଣ ପରିଡ଼ା, ନରେନ୍ଦ୍ର ପୃଷ୍ଟି, ବିଚିତ୍ର ମାର୍ଥା, ରଣଜିତ୍ ମହାପାତ୍ର, ଅବନୀ ଜେନା, ହର ରଥ, ଗତିକୃଷ୍ଣ ପଟ୍ଟନାୟକ, ଦିବ୍ୟ ନାରାୟଣ ସ୍ୱାଇଁ, ରମାକାନ୍ତ ମହାପାତ୍ର ପ୍ରମୁଖ ବକ୍ତବ୍ୟ ପ୍ରଦାନ କରି ଯୁବ ସମାଜ ବହୁ ସଂଖ୍ୟାରେ ଗ୍ରୀନ୍ ଆର୍ମିରେ ସାମିଲ ହୋଇ ଏହି ଅଭିଯାନକୁ ସଫଳ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହା ପରେ ଛାତ୍ର, ଯୁବକ, ଆଇନଜୀବି, କ୍ରୀଡ଼ାବିତ୍ ତଥା ସମାଜର ପ୍ରତ୍ୟେକ ବର୍ଗର ବ୍ୟକ୍ତିମାନଙ୍କୁ ନେଇ ଏକ ବିରାଟ ଶୋଭା ଯାତ୍ରା ଖୋର୍ଦ୍ଧା ସହର ପରିକ୍ରମା କରିଥିଲା । ପରିଶେଷରେ ୧ ହଜାରରୁ ଅଧିକ ଗ୍ରୀନ ଆର୍ମି ଖୋର୍ଦ୍ଧାରୁ ଆରମ୍ଭ ହୋଇଥିବା ବିଶ୍ୱ ବଞ୍ଚାଅ ଅଭିଯାନରେ ସାମିଲ ହୋଇ ବୃକ୍ଷ ରୋପଣ ଓ ପରିବେଶ ସୁରକ୍ଷା ପାଇଁ କାର୍ଯ୍ୟ କରିବାକୁ ଖୋର୍ଦ୍ଧା ଜିଲ୍ଲାର ପ୍ରତିଷ୍ଠାତା ଗଜପତି ରାମଚନ୍ଦ୍ର ଦେବଙ୍କ ପ୍ରତିମୂର୍ତ୍ତି ନିକଟରେ ଶପଥ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ