ଆଦିବାସୀ ଚାଷୀ ଘରେ ଭୋଜନ କଲେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତ କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ୪ ଦିନିଆ ତୋଫାନୀ ଗସ୍ତ କରି ବିଭିନ୍ନ ପ୍ରକଳ୍ପର ଶି‌ଳାନ୍ୟାସ ସହ ଉଦ୍‌ଘାଟନ କରିଛନ୍ତି। ତୁମୁଡ଼ିବନ୍ଧ, ରାଇକିଆ, ଘୁ.ଉଦୟଗିରି, ଫିରିଙ୍ଗିଆ ଓ ଖଜୁରୀପଡ଼ା ବ୍ଳକ୍‌ ଗସ୍ତ କରି ବିଭିନ୍ନ ପ୍ରକଳ୍ପର ଶିିଳାନ୍ୟାସ, ଉଦ୍‌ଘାଟନ କରିଛନ୍ତି। ବିଭିନ୍ନ ବର୍ଗ ଓ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ସଦସ୍ୟାଙ୍କୁ ଭେଟିଥିଲେ। ଦଳୀୟ ନେତା ଓ କାର୍ଯ୍ୟକର୍ତ୍ତାଙ୍କ ସହ ସାଂଗଠନିକ ଆଲୋଚନା କରିଥିଲେ। ଆଗକୁ ପୌର ଓ ପଞ୍ଚାୟତ ନିର୍ବାଚନ ଥିବାରୁ ଏବେଠୁ ଦଳୀୟ ସଂଗଠନକୁ ସୁଦୃଢ଼ କରିବା ଉପରେ ସେ ସ୍ଥାନୀୟ ନେତା ଓ କାର୍ଯ୍ୟକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେଇଥିଲେ। ଏ ଅବସରରେ ସାଂସଦ ଶ୍ରୀ ସାମନ୍ତ ଜଣେ ଆଦିବାସୀ ଚାଷୀଙ୍କ ନିମନ୍ତ୍ରଣ ରକ୍ଷା କରି ତାଙ୍କ ଘରେ ଖାଇବା ଓ ସାଂସଦଙ୍କ ଦ୍ବାରା ପରିଚାଳିତ ଶିକ୍ଷାନୁଷ୍ଠାନ କିସ୍‌ରେ ପଢୁଥିବା କିଛି ଆଦିବାସୀ ପିଲାଙ୍କ ଅଭିଭାବକଙ୍କ ଠାରୁ କଦଳୀ କାନ୍ଧି ଉପହାର ନେବା ଘଟଣା ମୁଖ୍ୟ ଆଲୋଚନାର ବିଷୟ ହୋଇଛି।ତୁମୁଡ଼ିବନ୍ଧ ବ୍ଲକ୍‌ ଖମଣପଡ଼ା ଗାଁର ଗରୀବ ଆଦିବାସୀ ଚାଷୀ ଚପିତ ପାତ୍ର ତାଙ୍କୁ ବାଟରେ ଅଟକାଇ ଘରେ ମଧ୍ୟାହ୍ନ ଭୋଜନ କରିବାକୁ ନିମନ୍ତ୍ରଣ କରିଥିଲେ। କାର୍ଯ୍ୟକ୍ରମ ସାରି ଫେରିଲେ ଖାଇବେ ବୋଲି ସାଂସଦ ପ୍ରତିଶ୍ରୁତି ଦେଇଥିଲେ। ‌ଚପିତ ଘରେ ଢିଙ୍କିକୁଟା ଚାଉଳରେ ଭାତ, ସୋରିଷ ଶାଗ ସହ ପାରମ୍ପରିକ ତରକାରୀ ପ୍ରସ୍ତୁତ କରିଥିଲେ। ଅପରାହ୍ନ ୨ଟା ପରେ ସାଂସଦ ପହଞ୍ଚିଥିଲେ ଚପିତଙ୍କ ଘରେ। ତାଙ୍କ ସାଙ୍ଗରେ ସାଂସଦ ଚଟାଣରେ ବସି ଖାଇଥିଲେ। ଚପିତଙ୍କ ପତ୍ନୀ ଖାଦ୍ୟ ପରଷିଥିଲେ। ସାଂସଦଙ୍କ ସହ ଥିବା କିଛି କାର୍ଯ୍ୟକର୍ତ୍ତା ମଧ୍ୟ ଖାଇଥିଲେ। ରୋଷେଇକୁ ସାଂସଦ ପ୍ରଶଂସା କରିଥିବା ବେଳେ ଏତେ ବଡ଼ ଲୋକ ଘରେ ବସି ଖାଇଥିବାରୁ ଚପିତ ଓ ତାଙ୍କ ପରିବାର ଲୋକେ ବେଶ୍‌ ଖୁସି ବୋଲି କହିଥିଲେ। ତା’ପରେ ଫୁଲବାଣୀ ଫେରିବା ବାଟରେ ତାଙ୍କ ଅନୁଷ୍ଠାନ କିସ୍‌ରେ ପଢୁଥିବା କିଛି ପୁରାତନ ଛାତ୍ରଛାତ୍ରୀଙ୍କ ଅଭିଭାବକ ସାଂସଦଙ୍କୁ ଅଟକାଇ ନିଜ ବାଡ଼ିରୁ ଆଣିଥିବା କଦଳୀ କାନ୍ଧି ଉପହାର ଦେବାକୁ ଚାହିଁଥିଲେ। ସାଂସଦ ମନା କରିଥିଲେ ସୁଦ୍ଧା ସେମାନେ ତାଙ୍କ ଅନୁରୋଧ ଶୁଣି ନଥିଲେ। ଶେଷରେ କଥା କାଟି ନ ପାରି ସାଂସଦ କଦଳୀ କାନ୍ଧି ଉପହାର ଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ