ଆନ୍ଧ୍ରରେ ଫସିଥିବା ବାଳିକାଙ୍କୁ ଉଦ୍ଧାର ପାଇଁ ପ୍ରଶାସନକୁ ନିବେଦନ
କେନ୍ଦ୍ରାପଡା, (ଚିତ୍ତରଂଜନ ଦାସ): କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ପୈାରାଂଚଳ ଅର୍ନ୍ତଗତ ଷଣ୍ଢପଲ୍ଲୀ ଗ୍ରାମର କେତେକ ଅଧିବାସୀ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଆନ୍ଧ୍ରକୁ ଯାଇଥିବା ସେମାନଙ୍କ ସାବାଳିକା ଓ ନାବାଳିକା ଝିଅ ମାନଙ୍କୁ ଉଦ୍ଧାର କରିବାପାଇଁ ନିବେଦନ କରିଛନ୍ତି । ସେମାନେ ଅଭିଯୋଗ କରିଛନ୍ତି ଯେ ଆଳିର ଠିକାଦାର ବୀରକିଶୋର ମଳିକଙ୍କ ତତ୍ୱାବଧାନରେ ଆନ୍ଧ୍ରର ରାଜ ମନ୍ଦିର ଜିଲ୍ଲା ଫାଲକୁଲରେ ଥିବା ସନ୍ଧ୍ୟା ମିରାଇନ କମ୍ପାନିରେ ଦିନ ମଜୁରୀଆ ଭାବେ କାମକରିବାକୁ ଆଜକୁ ୬ମାସ ତଳେ ଷଣ୍ଢପଲ୍ଲୀ ଗ୍ରାମର ୨୦ରୁ ଉର୍ଦ୍ଧ୍ୱ ସାବାଳିକା ଓ ନାବାଳିକା ଝିଅ ଯାଇଥିଲେ । କିନ୍ତୁ ସେଠାରେ ସେମାନଙ୍କୁ ଦୈନିକ ୧୨ଘଣ୍ଟାରୁ ଉର୍ଦ୍ଧ୍ୱ କାମକରାଉ ଥିଲେ ମଧ୍ୟ ସେମାନଙ୍କୁ ଖାଦ୍ୟ ପେୟ ଦିଆଯାଉନଥିବା ବେଳେ ସେମାନଙ୍କୁ ମଜୁରୀ ମଧ୍ୟ ଦିଆଯାଉ ନାହିଁ । ଏହି ସମ୍ପର୍କରେ ଠିକାଦାରଙ୍କୁ ଗୃହାରୀ କଲେ ସେହି ଝିଅ ମାନଙ୍କୁ ମାରଣାସ୍ତ୍ର ଦେଖାଇ ଧମକ ଦିଆଯିବା ସହିତ ମାନସିକ ଶାରୀରିକ ନିର୍ଯ୍ୟାତନା ଦିଆଯାଉଥିବା ଅଭିଯୋଗ ହୋଇଛି । ସେମାନଙ୍କ ମଧ୍ୟରୁ କୈାଶଳ କ୍ରମେ ଲୁଚି ପାଳାଇ ଆସିଥିବା ଗୋଟିଏ ଝିଅ ଏହି ସମ୍ପର୍କର ସମସ୍ତ ତଥ୍ୟ ପ୍ରଦାନ କରିଛି । ଷଣ୍ଢପଲ୍ଲି ଗ୍ରାମର ଭରତ ମଳିକ ମାଧ୍ୟମରେ ଠିକାଦାର ବିରକିଶୋର ମଳିକଙ୍କ ତତ୍ୱାବଧାନରେ ଏହି ପିଲାମାନେ ଆନ୍ଧ୍ରକୁ ମଜୁରୀ ଲାଗିବାକୁ ଯାଇଥିଲେ । ଏଣୁ ଏଭଳି ପରିସ୍ଥିତିରେ ଆନ୍ଧ୍ର ଯାଇଥିବା ସେହି ବାଳିକା ମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ସେମାନଙ୍କ ଅଭିଭାବକ ମାନଙ୍କୁ ହସ୍ତାନ୍ତର କରାଯିବା ପାଇଁ ଷଣ୍ଢପଲ୍ଲୀ ଗ୍ରାମର ଅରୁପା ନନ୍ଦ ମଳିକ, କନକପ୍ରଭା ମଳିକ, ସ୍ନେହଲତା ସେଠି,ମଥୁରୀ ମଳିକ ପ୍ରମୁଖ ଅତିରିକ୍ତ ଜିଲ୍ଲା ପାଳଙ୍କୁ ଭେଟି ନିବେଦନ କରିଛନ୍ତି । ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ ଏହି ସମ୍ପର୍କରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲା ଶ୍ରମ ଅଧିକରୀଙ୍କୁ ନିର୍ଦେଶ ଦେଇଥିବା ଜଣାପଡିଛି ।


