ଆମ୍ବୋ ଘାଟରୁ ବେଆଇନି ବାଲି ଚାଲାଣ, ରୋକ ଲଗାଇ ପାରୁନି ପ୍ରଶାସନ
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ତହସିଲର ଆମ୍ବୋ ବାଲିଘାଟରୁ ବେଆଇନ ଭାବେ ଦୈନିକ ଶହଶହ ଟ୍ରାକ୍ଟର ବାଲି ଚୋରା ଚାଲାଣ କରୁଥିଲେବି ପ୍ରଶାସନ ଏଥିରେ ରୋକ ଲଗାଇବାକୁ ଅକ୍ଷମ ହୋଇଥିବା ଅଭିଯୋଗ ହେଉଛି । ଅଭିଯୋଗରୁ ଜଣାଯାଇଛି ଯେ ଆମ୍ବୋ ବାଲିଘାଟକୁ ପ୍ରଶାସନ ପକ୍ଷରୁ ଲିଜ ସୁତ୍ରରେ ଦିଆଯାଇ ନଥିବାରୁ ଏହାର ଫାଇଦା ନେଇ କିଛି ଲୋକ ଏବେ ଏହାକୁ ବେଆଇନ ଭାବେ ଚଳାଇଛନ୍ତି । କିଛି ନିଦ୍ଦିଷ୍ଟ ବ୍ୟକ୍ତି ନିର୍ଦ୍ଦଷ୍ଟ ଶ୍ରମିକ ମାନଙ୍କୁ ଲଗାଇ ବାଲି ଉତ୍ତୋଳନ କରୁଛନ୍ତି । ଯାହା ଦ୍ୱାରାକି ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ହାନୀ ହେଉଛି । ଅନ୍ୟପକ୍ଷରେ ଦିନରାତି ଏହି ଟ୍ରାକ୍ଟର ଗୁଡିକ ଯାତାୟତ କରିବା ଦ୍ୱାରା ଗାଁ ଗଣ୍ଡାର ରାସ୍ତା ନଷ୍ଟ ହେବାସହ ସାଧାରଣ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏନେଇ ଅନେକ ଲୋକ ପ୍ରଶାସନକୁ ଜଣାଇ ଏହି ବେଆଇନ ବାଲିଘାଟକୁ ବନ୍ଦ କରିବାପାଇଁ ନିାବଦନ କରିଥିଲେବି ପ୍ରଶାସନ କୌଣସି ପଦକ୍ଷେପ ନେଉ ନାହିଁ ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ଅତିରିକ୍ତ ତହସିଲଦାରଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଆମେ ଅନେକ ଥର ଚଢ଼ାଉ କଲୁଣି, କିନ୍ତୁ ଆମ ଯିବା ସମ୍ପର୍କରେ ସେମାନେ ପୁର୍ବରୁ ସୁଚନା ପାଇ ପଳାଉଛନ୍ତି, ତେଣୁ ଏଠାରେ ୧୪୪ଧାରା ଜାରି କରାଯିବାକୁ ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି ।


