ଆମ ଗର୍ବ ଓ ଗୌରବର ପ୍ରତୀକ ତ୍ରିରଙ୍ଗା ପତାକା
ନିମାପଡା, (ସନ୍ତୋଷ ଦାଶ):ଦେଶ ସ୍ବାଧିନତା ଲାଭ କରିବାର ୭୫ ବର୍ଷ ରେ ପଦାର୍ପଣ କରିଛି। ଏହି ଅବସର ରେ କେନ୍ଦ୍ର ସରକାର ଙ୍କ ତରଫରୁ ‘ ହର ଘର ତ୍ରିରଙ୍ଗା ‘ ଅଭିଯାନ ଲକ୍ଷ୍ୟରେ ଅଗଷ୍ଟ ୧୩ରୁ ୧୫ ତାରିଖ ମଧ୍ୟରେ ଦେଶ ର ପ୍ରତ୍ୟେକ ବ୍ୟକ୍ତି ନିଜ ଘରେ ଜାତୀୟ ପତାକା ଉଡ଼ାଇବା ପାଇଁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀ ଙ୍କୁ ନିବେଦନ କରିଛନ୍ତି। ତ୍ରିରଙ୍ଗା ପତାକା ସହିତ ପ୍ରତିଟି ଭାରତୀୟଙ୍କର ସମ୍ପର୍କ କୁ ଆହୁରି ନିବିଡ କରିବା ହେଉଛି ଏହି ଅଭିଯାନ ର ଉଦ୍ଦେଶ୍ୟ। ବାସ୍ତବ ରେ ତ୍ରିରଙ୍ଗା କେବଳ ଆମର ଜାତୀୟ ପତାକା ନୁହେଁ, ଏହା ଆମ ସମସ୍ତ ଙ୍କ ଗର୍ବ ଓ ଗୌରବ। ତ୍ରିରଙ୍ଗା ପତାକା ହେଉଛି ଆମ ଭାରତବାସୀ ଙ୍କ ଅସ୍ମିତା, ଦେଶପ୍ରୀତି, ପରିଚୟ, ସ୍ୱାଭିମାନ ର ବଳିଷ୍ଠ ପ୍ରତୀକ। ବିଦେଶ ମାଟିରେ ଛୋଟ, ବଡ଼ ପ୍ରତ୍ୟେକ ସଫଳତା ରେ ଆମେ ତ୍ରିରଙ୍ଗା ପତାକା ଉଡ଼ାଇ ଗର୍ବ ଓ ଗୌରବ ରେ ଜଣାଇଦିଏ ଯେ, ଆମେ ଭାରତୀୟ। ଆସନ୍ତୁ ଜାଣିବା ଦେଶ ବ୍ୟାପୀ ଫର୍ ଫର୍ ଉଡୁଥିବା ଆମ ଜାତୀୟ ପତାକା ତ୍ରିରଙ୍ଗା ବିଷୟ ରେ କିଛି କଥା। ୧୯୦୬ ମସିହା ରେ ପ୍ରଥମ ଚିତ୍ରିତ ଭାରତ ର ଜାତୀୟ ପତାକା ସ୍ବାମୀ ବିବେକାନନ୍ଦ ଙ୍କ ଶିଷ୍ୟା ଭଗିନୀ ନିବେଦିତା ଙ୍କ ଦ୍ଵାରା ପ୍ରସ୍ତୁତ ହୋଇଥିଲା। ଏହା ଲାଲ, ସବୁଜ ଓ ହଳଦିଆ ରଙ୍ଗରେ ବିଭକ୍ତ ହୋଇ ଥିଲା। ମଧ୍ୟଭାଗ ରେ ଥିବା ହଳଦିଆ ଅଂଶ ରେ ବନ୍ଦେ ମାତରଂ ହିନ୍ଦି ରେ ଲେଖା ଯାଇଥିଲା । ଏହି ପତାକା କୁ ପ୍ରଥମେ ୧୯୦୬ ମସିହା ଅଗଷ୍ଟ ୭ ତାରିଖରେ କଲିକତା ର ପାର୍ସି ବାଗାନ ଛକ ଠାରେ ଉଡ଼ାଯାଇଥିଲା। ୧୯୦୭ ମସିହା ରେ ଜାତୀୟ ପତାକା ରେ ସାମାନ୍ୟ ପରିବର୍ତ୍ତନ କରା ଯାଇଥିଲା। ଜର୍ମାନ ଠାରେ ଅନୁଷ୍ଠିତ ଆନ୍ତର୍ଜାତୀୟ ସମାଜବାଦୀ ସମ୍ମିଳନୀ ରେ ଜଣେ ବିଦେଶିନୀ ଏହି ପତାକା କୁ ଉତ୍ତୋଳନ କରିଥିଲେ।୧୯୧୭ ମସିହା ରେ ଜାତୀୟ ପତାକା ର ତୃତୀୟ ସଂସ୍କରଣ ହୋଇଥିଲା। ଡ. ଆନିବେସାନ୍ତ ଓ ବାଲ୍ ଗଙ୍ଗାଧର ତିଲକ ପତାକା ରେ କିଛି ପରିବର୍ତ୍ତନ କରିଥିଲେ। ପତାକା ଟି ତିନୋଟି ରଙ୍ଗ ପରିବର୍ତ୍ତେ ଦୁଇଟି ରଙ୍ଗ ଅର୍ଥାତ ସବୁଜ ଓ ଲାଲ ରେ ହୋଇଥିଲା। ୧୯୨୧ ମସିହା ରେ ପତାକା ର ଚତୁର୍ଥ ସଂସ୍କରଣ ହୋଇଥିଲା। ବିଜୟୱାଡା ଠାରେ ଅନୁଷ୍ଠିତ କଂଗ୍ରେସ ର ଏକ ସଭା ରେ ଆନ୍ଧ୍ର ପ୍ରଦେଶ ର ଜଣେ ଯୁବକ ପିଙ୍ଗଳି ଭେଙ୍କେୟା ଏକ ପତାକା ର ଡିଜାଇନ୍ ମହାତ୍ମା ଗାନ୍ଧୀ ଙ୍କୁ ପ୍ରଦାନ କରିଥିଲେ। ସେଥିରେ ଲାଲ ଓ ସବୁଜ ରଙ୍ଗ ରହିଥିଲା। ମୁସଲିମ ସମ୍ପ୍ରଦାୟ ପାଇଁ ସବୁଜ ଆଉ ହିନ୍ଦୁ ସମୁଦାୟ ପାଇଁ ଲାଲ ରଙ୍ଗ ପ୍ରତୀକ ଭାବେ ରହିଥିଲା। ଏହି ପତାକା କୁ ଦେଖିବା ପରେ ଏଥିରେ ଆଉ ଗୋଟିଏ ରଙ୍ଗ ଧଳା ରଖିବାକୁ ପ୍ରସ୍ତାବ ଦେଇଥିଲେ। ଧଳା ରଙ୍ଗ ଅନ୍ୟ ସବୁ ସମ୍ପ୍ରଦାୟ ର ପ୍ରତୀକ ବୋଲି ମହାତ୍ମା କହିଥିଲେ। ତାଙ୍କ କଥା ରହିଥିଲା। ତେବେ ଉପରେ ଥିବା ଧଳା ରଙ୍ଗ ଓ ମଝି ରେ ଥିବା ସବୁଜ ରଙ୍ଗ ଉପରେ ଏକ ଚରଖା ଚିହ୍ନ ରଖାଯାଇଥିଲା।୧୯୩୧ ମସିହା ରେ ଭାରତୀୟ ତ୍ରିରଙ୍ଗା ପତାକା ର ସାମାନ୍ୟ ପରିବର୍ତ୍ତନ କରାଯାଇଥିଲା।ଉପରେ ଥିବା ଧଳା ରଙ୍ଗ କୁ ମଝି କୁ ଅଣାଯାଇଥିଲା ଆଉ ଲାଲ ରଙ୍ଗ ବଦଳରେ ନାରଙ୍ଗୀ ରଙ୍ଗ ଉପରେ ରଖା ଯାଇଥିଲା।୧୯୪୭ ମସିହା ଜୁଲାଇ ୨୨ତାରିଖରେ ତ୍ରିରଙ୍ଗା କୁ ନୂତନ ତଥା ପୂର୍ଣ୍ଣ ରୂପ ମିଳିଥିଲା। ଚରଖା ପରିବର୍ତ୍ତେ ଅଶୋକ ଚକ୍ର କୁ ସ୍ଥାନିତ କରିବାପାଇଁ ସାମ୍ବିଧାନିକ ସଭା ରେ ସର୍ବସମ୍ମତ ଭାବେ ସିକୃତୀ ମିଳିଥିଲା। ଏହା ସହିତ ତ୍ରିରଙ୍ଗା ପତାକା କୁ ଭାରତ ର ରାଷ୍ଟ୍ରୀୟ ଧ୍ଵଜ ଓ ଜାତୀୟ ପତାକା ଭାବେ ଗ୍ରହଣ କରିବା ପାଇଁ ଏମ୍ବଲମ୍ ଆଣ୍ଡ ନେମ୍ପ୍ରି ଭେନସନ୍ ଆକ୍ଟ ଫର ପ୍ରପର ୟୁଜ୍ଆ କ୍ଟ – ୧୯୫୦ ପ୍ରସ୍ତୁତ କରାଯାଇ ଥିଲା। ରାଜେନ୍ଦ୍ର ପ୍ରସାଦ ଙ୍କ ନେତୃତ୍ଵ ରେ ଜାତୀୟ ପତାକା ର ରୂପରେଖ ଠିକ୍ କରିବାପାଇଁ ଏକ କମିଟି ଗଠନ କରାଯାଇଥିଲା।୧୯୪୭ ମସିହା ଜୁଲାଇ ୧୪ ତାରିଖ ରେ କମିଟି ର ସୁପାରିସ ଅନୁସାରେ ଭାରତୀୟ ଜାତୀୟ ପତାକା ର ଏକ ସମ୍ପୂର୍ଣ୍ଣ ଓ ଶେଷ ରୂପରେଖ ପ୍ରସ୍ତୁତ କରାଯାଇ ଥିଲା। ଜାତୀୟ ପତାକା କୁ ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷରେ ସମସ୍ତ ଙ୍କ ଦ୍ଵାରା ଗ୍ରହଣୀୟ ହେବା ପାଇଁ କେତେକ ପ୍ରସ୍ତାବ ମଧ୍ୟ ଦିଆଯାଇ ଥିଲା। ୧୯୪୭ ମସିହା ଜୁଲାଇ ୨୨ତାରିଖ ରେ ଜାତୀୟ ପତାକା ତ୍ରିରଙ୍ଗା ର ସମ୍ପୂର୍ଣ୍ଣ ରୂପରେଖ ପ୍ରକାଶ ପାଇଥିଲା। ପତାକା ର ମଧ୍ୟ ଭାଗରେ ଚରଖା ପରିବର୍ତ୍ତେ ଅଶୋକ ସ୍ତମ୍ଭ ର ଚକ୍ର କୁ ରଖାଗଲା। ଏହି ଅଶୋକ ଚକ୍ର ହେଉଛି ଆଇନ ର ପ୍ରତୀକ। ପତାକା ର ଉପର ଅଂଶ ରେ ଥିବା ନାରଙ୍ଗୀ ରଙ୍ଗ ହେଉଛି ଦେଶ ର ଶକ୍ତି ଓ ଶୌର୍ଯ୍ୟ ର ପ୍ରତୀକ। ମଧ୍ୟ ଭାଗରେ ଥିବା ଧଳା ରଙ୍ଗ ଶାନ୍ତି ଓ ସତ୍ୟ କୁ ପ୍ରତିଫଳିତ କରେ। ନିମ୍ନ ରେ ଥିବା ଗାଢ଼ ସବୁଜ ରଙ୍ଗ ଦେଶ ମାଟି ର ଉର୍ବରତା ଓ ବିକାଶ କୁ ପ୍ରତିନିଧିତ୍ଵ କରିଥାଏ। ନୀଳ ରଙ୍ଗ କୁ ଆକାଶ, ମହାସାଗର, ଓ ସାର୍ବଭୌମ ସତ୍ୟ ର ପ୍ରତୀକ ଭାବେ ଗ୍ରହଣ କରାଯାଇଛି। ତେଣୁ ପତାକା ର ମଧ୍ୟ ଭାଗରେ ଥିବା ଅଶୋକ ଚକ୍ର କୁ ନେଭି ବ୍ଲୁ ରଙ୍ଗ ରେ ଚିତ୍ରଣ କରାଯାଇଛି। ଅଶୋକ ଚକ୍ର ରେ ଥିବା ୨୪ଟି ଅର ଦିନ ର ୨୪ ଘଣ୍ଟା କୁ ଦର୍ଶାଇଥାଏ। ସମୟ ପରି ଅହରହ କାର୍ଯ୍ୟ କରିବାକୁ ଏହା ପ୍ରେରଣା ଦେଇଥାଏ। ଏହି ୨୪ଟି ଅର ମନୁଷ୍ୟ ର ୨୪ଟି ଗୁଣ ଓ ସତ୍ ମାର୍ଗ ରେ ଯିବା ପାଇଁ ୨୪ଟି ମାର୍ଗ ସହିତ ମଧ୍ୟ ତୁଳନା କରାଯାଇଛି। ୧୯୪୭ ମସିହା ଅଗଷ୍ଟ ୧୫ ତାରିଖ ରେ ନୁହେଁ ୧୬ ତାରିଖ ଦିନ ପଣ୍ଡିତ ଜବାହାରଲାଲ ନେହେରୁ ଦିଲ୍ଲୀ ର ଲାଲକିଲ୍ଲା ଠାରେ ଜାତୀୟ ପତାକା ତ୍ରିରଙ୍ଗା କୁ ପ୍ରଥମେ ଉତ୍ତୋଳନ କରିଥିଲେ। ସେହିଦିନ ଠାରୁ ପ୍ରତିବର୍ଷ ଅଗଷ୍ଟ ୧୫ତାରିଖ ରେ ଦେଶ ର ପ୍ରଧାନମନ୍ତ୍ରୀ ଲାଲକିଲ୍ଲା ଠାରେ ଜାତୀୟ ପତାକା ତ୍ରିରଙ୍ଗା କୁ ଉତ୍ତୋଳନ କରିବା ସହ ଦେଶବାସୀ ଙ୍କୁ ସମ୍ବୋଧନ କରି ଆସୁଛନ୍ତି। ତ୍ୟାଗ, ବୀରତ୍ଵ, ବଳିଦାନ ଓ ସ୍ୱାଭିମାନ ର ପ୍ରତୀକ ଆମ ଜାତୀୟ ପତାକା ତ୍ରିରଙ୍ଗା। ଆମ ଅସ୍ମିତା ର ପରିଚୟ। ଅସରନ୍ତି କଥା ଓ ଗାଥା ର ସମାହାର। ଭାରତୀୟ ଭାବେ ଆମ ଙ୍କୁ ସାରା ବିଶ୍ବ ରେ ଗର୍ବିତ କରାଉଥିବା ଏହି ମହାନ ତ୍ରିରଙ୍ଗା କୁ ଆମ ର କୋଟି କୋଟି ସଲାମ। ଭାରତ ମାତା କି ଜୟ।


