ଆମ ପଞ୍ଚାୟତ ଆମ ସମସ୍ୟା ଅଭିଶପ୍ତ ଜୀବନ ବିତାଉଛନ୍ତି ଆଠ ଗ୍ରାମବାସୀ
ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ):ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର କନ୍ଧମାଳ ଜିଲ୍ଲା । ଜିଲ୍ଲାର ଅଧିକାଂଶ ଅଞ୍ଚଳରେ ବସବାସ କରନ୍ତି ଆଦିବାସୀ ସଂପ୍ରଦାୟର ଲୋକେ । ହେଲେ ଆଜିବି ଜିଲ୍ଲାର ଅନେକ ଅଞ୍ଚଳକୁ ଭଲ ରାସ୍ତାଟିଏ ନାହିଁ । ଫଳରେ ଦୈନନ୍ଦିନଯାତାୟାତରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏବଂ ପ୍ରଶାସନିକ ଅବହେଳା ଯୋଗୁଁ ସରକାରଙ୍କ ଯୋଜନା ଅପହଁଚ ହୋଇପଡ଼ୁଛି ଅଞ୍ଚଳବାସୀଙ୍କ ପାଇଁ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ବାଟାଗୁଡ଼ା ଗ୍ରାମ ପଞ୍ଚାୟତରୁ ଆସିଛି ଏଭଳି ଅଭିଯୋଗ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ଅନ୍ତର୍ଗତ ବାଟାଗୁଡ଼ା ଗ୍ରାମ ପଞ୍ଚାୟତ । ୫୯ ନଂ ଜାତୀୟ ରାଜପଥରୁ ମାତ୍ର ୧୧ କିଲୋମିଟର ମଧ୍ୟରେ ରହିଛି, ସବାରକିଆ,ଡୁକଲାମିଲା,ଗଙ୍ଗେରୀ,ଟଙ୍ଗମ, ପାଜିମାହା ଭଳି ୮ଟି ଗାଁ । ଅଭିଶପ୍ତ ଜୀବନ ଜିଉଁଛନ୍ତି ଏହି ଅଞ୍ଚଳବାସୀ । ଦୀର୍ଘ ବର୍ଷର ବ୍ୟବଧାନ ପରେ ମଧ୍ୟ ଏଯାଏଁ ଏହି ଅଞ୍ଚଳକୁ ଭଲ ରାସ୍ତାଟିଏ ହୋଇପାରିନାହିଁ । ଫଳରେ ଦୈନନ୍ଦିନ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଅଞ୍ଚଳବାସୀ । ଅନ୍ୟପଟେ ରାସ୍ତା ଅଭାବ ଯୋଗୁଁ ଗାଁ କୁ ଗାଡ଼ି ମୋଟର ଆସିପାରୁନାହିଁ, ଫଳରେ ଅଧିକ ପାଠ ପଢ଼ିବାପାଇଁ ବାହାରକୁ ପିଲାମାନେ ଯାଇପାରୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ସେପଟେ ବାରମ୍ବାର ଅଭିଯୋଗ ପରେ ସମସ୍ୟା ନସୁଧୁରିବାରୁ ଗତ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିଥିଲେ ଏହି ଅଞ୍ଚଳବାସୀ । ତଥାପି ଯଥା ପୂର୍ବଂ ତଥା ପରଂ l ଅଙ୍କାବଙ୍କା ଖାଲି ଖମା ପାହାଡ଼ିଆ ରାସ୍ତାଦେଇ ଦୈନନ୍ଦିନ କାମରେ ଚାଲିଚାଲି ଯିବାଆସିବା କରୁଛନ୍ତି ଏହି ଅଞ୍ଚଳବାସୀ । ରାସ୍ତା ଭଲ ନଥିବାରୁ ଗାଁ କୁ ଆମ୍ବୁଲାନ୍ସ ପହଁଚି ପାରୁନାହିଁ । ଫଳରେ ବିଭିନ୍ନ ସମୟରେ ଗର୍ଭବତୀ ମହିଳାଙ୍କ ସମେତ ରୋଗୀଙ୍କୁ ଭାରରେ ବୋହି ନେବାକୁ ପଡ଼ୁଛି । ଏଭଳି ପରିସ୍ଥିତିରେ ରାସ୍ତାଘାଟରେ ମଧ୍ୟ ପ୍ରସୂତୀ ସନ୍ତାନ ପ୍ରସବ କରିଥିବାର ବହୁ ନଜିର୍ ରହିଛି । ବର୍ତ୍ତମାନ ବର୍ଷାଦିନେ ଆସିଲାଣି । ସେପଟେ ରାସ୍ତାର ଅବସ୍ଥା ଶୋଚନୀୟ । ଟିକେ ବର୍ଷା ହେଲେ ଏହି ରାସ୍ତାରେ ଚାଲିବା ମୁସ୍କିଲ ହୋଇପଡ଼ୁଛି । ଯଥାଶୀଘ୍ର ସରକାର ଏବଂ ପ୍ରଶାସନ ପକ୍ଷରୁ ସମସ୍ୟାର ସମାଧାନ କରାନଗଲେ ରାଜ ରାସ୍ତାକୁ ଓହ୍ଲାଇବାସହ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ଅଞ୍ଚଳବାସୀ । ସେପଟେ ଏନେଇ ବାଟାଗୁଡ଼ା ସରପଞ୍ଚ ମେନକା ମଲ୍ଲିକ ମଧ୍ୟ ସ୍ଥାନୀୟ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ନିକଟରେ ବାରମ୍ବାର ଦାବି ଜଣାଇ ଆସିଛନ୍ତି । କିନ୍ତୁ ଏଯାବତ କୌଣସି ସୁଫଳ ମିଳିନାହିଁ ବୋଲି କହିଛନ୍ତି ସରପଞ୍ଚ ।


