ଆମ ପୋଲିସ ସମିତି ପାଟପୁର ଥାନା ପକ୍ଷରୁ ସଡକ ସୁରକ୍ଷା ଓ ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଆମ ପୋଲିସ ସମିତି ପାଟପୁର ଥାନା ପକ୍ଷରୁ ପାଟପୁର ଅନ୍ତର୍ଗତ ପାଟପୁର ହଳଦିଆ ତୈଳିକ ସମାଜ କୋଠଘର ପରିସରରେ ସୋମବାର ଦିନ ସଡକ ସୁରକ୍ଷା ଓ ଟ୍ରାଫିକ ସଚେତନତା ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଛତ୍ରପୁର ଓ ପାଟପୁର ପୋଲିସର ମିଳିତ ଆନୁକୂଲ୍ୟରେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ସଂଯୋଜନା କରିଥିବା ବେଳେ ଆଞ୍ଚଳିକ ପରିବହନ ବିଭାଗ ଅଧିକାରୀ ରତିକାନ୍ତ ନାୟକ , ପାଟପୁର ବିଶ୍ଵାସରାୟ ବିଜ୍ଞାନ ମହାବିଦ୍ୟାଳୟ ରାସାୟନିକ ବିଜ୍ଞାନ ଅଧ୍ୟାପକ ଡଃ. କୈଳାଶ ଚନ୍ଦ୍ର ସ୍ୱାଇଁ , ଆଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଚିକିତ୍ସା ଅଧିକାରୀ ଡକ୍ଟର ବାହାନ ଦାସ , ଜିଲ୍ଲା ପରିଷଦ ସୁଲତା ରାଣୀ ସ୍ବାଇଁ , ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସଂକର୍ଷଣ ସ୍ୱାଇଁ ପାଟପୁର ସରପଞ୍ଚ ପ୍ରତିନିଧି ମୁକୁନ୍ଦ ବରାଡ ସମିତି ସଭ୍ୟା ପ୍ରତିନିଧି ସୁକଦେବ ସ୍ବାଇଁ , ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମର ମହତ୍ତ୍ଵ ସମ୍ପର୍କରେ ଅଭିଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ସାଧାରଣତଃ ଦୁଇଚକିଆ ମୋଟର ବାଇକ ଚଳାଇବା ସମୟରେ ହେଲମେଟ ବ୍ୟବହାର କରିବା , ଦୁଇଚକିଆ ଯାନରେ ଦୁଇରୁ ଅଧିକ ଯାତ୍ରୀକୁ ନ ବସାଇବା , ସେହିପରି ଚାରିଚକିଆ ଯାନ ଚଳାଉଥିବା ସମୟରେ ଚାଳକ ଓ ପାଖରେ ବସିଥିବା ଯାତ୍ରୀମାନେ ସିଟ୍ ବେଲ୍ଟ ପିନ୍ଧିବା ଜରୁରୀ , ମଦ୍ୟପାନ କିମ୍ବା ମାଦକ ଦ୍ରବ୍ୟ ସେବନ କରି ଗାଡ଼ି ନ ଚଳାଇବା , ଗାଡ଼ି ଚଳାଇବା ସମୟରେ ମୋବାଇଲ ଫୋନ ବ୍ୟବହାର ନ କରିବା , ଦ୍ରୁତ ଗତିରେ ଗାଡି ନ ଚଲାଇବା , ସର୍ବସାଧାରଣ ରାସ୍ତାରେ ବିପଦପୂର୍ଣ୍ଣ ଭାବେ ଗାଡ଼ି ନ ଚଳାଇବା , ରାସ୍ତାରେ ଦୁର୍ଘଟଣା ଘଟିଥିବା ସମୟରେ ଗୁରୁତର ଅବସ୍ଥାରେ ଥିବା ଲୋକଙ୍କୁ ସହଯୋଗ କରି ସେମାନଙ୍କୁ କିପରି ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଇବା ଆଦି ଉପରେ ଗୁରୁତ୍ବ ଦେବାକୁ ପରାମର୍ଶ ଦେବା ସହ ବର୍ତ୍ତମାନ ସମୟରେ ବହୁ ଯୁବପିଢୀ ମାନେ ଏଥିରେ ବେଶୀ ମାତ୍ରାରେ ପ୍ରଭାବିତ ହୋଇଥାନ୍ତି। ତେଣୁ ସେମାନେ ଏହି ସବୁ ନିୟମକୁ ମାନି ଚଳିବା ପାଇଁ କହିଥିଲେ । ଯାହାଫଳରେ ଅଞ୍ଚଳରେ ଦୁର୍ଘଟଣାର ମାନ ହ୍ରାସ ପାଇପାରିବ ବୋଲି ଉପସ୍ଥିତ ଛାତ୍ରଛାତ୍ରୀ ଓ ସର୍ବ ସାଧାରଣ ଲୋକଙ୍କୁ ସଚେତନ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ପାଟପୁର ବିଜ୍ଞାନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ , ଅଟୋ ଚାଳକ ସଂଘ ସଦସ୍ୟ , ଗ୍ରାମବାସୀ ଓ ଆଖପାଖ ଅଞ୍ଚଳର ଲୋକମାନେ ଉପସ୍ଥିତ ରହି ସହଯୋଗ ପ୍ରଦାନ କରିଥିଲେ । ଶେଷରେ ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ଉପସ୍ଥିତ ଥିବା ସମସ୍ତ ବୁଦ୍ଧିଜୀବୀ ଯୁବ ପୀଢ଼ି ଙ୍କ ସହଯୋଗ କରିବା ପାଇଁ ଅନୁରୋଧ କରିବା ସହ ଧନ୍ୟବାଦ ଜଣାଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ