ଚାନ୍ଦିପୁଟରେ ମଦ ବିରୋଧୀ ଆନ୍ଦୋଳନ, ତାତିଲେ ମହିଳା ଗୋଷ୍ଠୀ, ପ୍ରଶାସନକୁ ଚେତାବନୀ
ମୋହନା, (ଅଂଶୁମାନ ପଣ୍ଡା):ମୋହନା ବ୍ଳକ ଚାନ୍ଦିପୁଟ ପଞ୍ଚାୟତର ବିଭିନ୍ନ ମହିଳା ଗୋଷ୍ଠୀଙ୍କ ପକ୍ଷରୁ ଚାନ୍ଦିପୁଟ ଗ୍ରାମ ସମେତ ବିଭିନ୍ନ ଅଞ୍ଚଳରେ ମଦ ବିକ୍ରୀକୁ ବିରୋଧ କରାଯାଇଛି। ପଞ୍ଚାୟତର ୧୪ଗୋଟି ସଭ୍ୟ ସଭ୍ୟା ଓ ବିଭିନ୍ନ ମହିଳା ସଙ୍ଗଠନ ପକ୍ଷରୁ କୁହାଯାଇଛି ଚାନ୍ଦିପୁଟ ଏକ ଆଦର୍ଶ ପଞ୍ଚାୟତ ହୋଇଥିବା ବେଳେ ଏଠାରେ ବହୁ ବିଦ୍ୟାଳୟ, ମହାବିଦ୍ୟାଳୟ,ବ୍ୟାଙ୍କ, ହାଟ ଓ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟ ରହିଛି। ରାତି ପାହିଲେ ଶହଶହ ଲୋକ ବିଭିନ୍ନ କାମ ନେଇ ଏଠାକୁ ଆସିଥାନ୍ତି। କିନ୍ତୁ ଦୁଃଖର ବିଷୟ କିଛି ମଦ ବ୍ୟବସାୟୀ ଖୋଲାଖୋଲି ମଦ ବିକ୍ରି କରି ଲାଭବାନ ହେଉଛନ୍ତି। ପରିବାରଗୁଡିକର କିଛି ମୁରବି ଓ ଶିକ୍ଷିତ ପାଠପଢୁଆ ଯୁବକମାନେ ମଦ ପିଇ ମାତାଲ ଅବସ୍ଥାରେ ରାସ୍ତାଘାଟରେ ବୁଲୁଛନ୍ତି ଓ ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ରହୁଛନ୍ତି। ଯାହାଫଳରେ ପରିବାରରେ ଅଶାନ୍ତି ଓ ବିଭିନ୍ନ ସମସ୍ୟାର ବାତାବରଣ ଦେଖାଦେଉଛି। ଏଣୁ ପଞ୍ଚାୟତରେ ମଦବିକ୍ରୀକୁ ବିରୋଧ କରି ୫୦ରୁ ଉର୍ଦ୍ଧ୍ଵ ମହିଳା ଏକତ୍ରିତ ହୋଇ ପ୍ରଥମେ ପଂଚାୟତ କାର୍ଯ୍ୟଳୟ ରେ ଧାରଣା ଦେଇଥିଲି ତିନି ଘଣ୍ଟା ବସିବା ପରେ ସରପଞ୍ଚ ନ ଆସିବାରୁ ଅଟୋ ଭଡ଼ା କରି ମୋହନା ବ୍ଲକ ରେ ପହଞ୍ଚି ବିଡ଼ିଓ ତପସ୍ପିନି ହାଂସଦା ଙ୍କୁ ଦାବିପତ୍ର ପ୍ରଦାନ କରିବା ସହ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିକଟକୁ ଅଭିଯୋଗ ପତ୍ର ପ୍ରେରଣ କରିଛନ୍ତି। ତୁରନ୍ତ ସେମାନଙ୍କ ଦାବିକୁ ପ୍ରଶାସନ ଗ୍ରହଣ କରି ଦୃଢ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ରାଜରାସ୍ତା ଅବରୋଧ କରାଯିବ ବୋଲି କହିଛନ୍ତି।


