ଆର୍ଥିକ ସଙ୍କଟ ବିରୁଦ୍ଧରେ ୪ ବାମପନ୍ଥୀ ଦଳର ମିଳିତ ପ୍ରତିବାଦ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ବିଜେପି ସରକାରଙ୍କ ଭୁଲ୍ ଓ ବିପଜ୍ଜନକ ନୀତି ଫଳରେ ଦେଶରେ ସୃଷ୍ଟି ହୋଇଥିବା ଚରମ ଅର୍ଥନୈତି ସଙ୍କଟ, ମାନ୍ଦାବସ୍ଥା, ଜନସାଧାରଣଙ୍କ ଦୁଃଖ ଦୁର୍ଦ୍ଦଶା ବୃଦ୍ଧି ବିଶେଷକରି ଦରଦାମ ଓ ବେକାରୀ ବୃଦ୍ଧି ଓ ଅନ୍ୟ ପକ୍ଷରେ ଗଣତନ୍ତ୍ର, ସମ୍ବିଧାନ ଓ ଧର୍ମନିରପେକ୍ଷତା ଉପରେ ଆକ୍ରମଣକୁ ବିରୋଦ୍ଧ କରି ଚାରିପ୍ରମୁଖ ବାମପନ୍ଥୀ ଦଳ ସିପିଆଇ, ସିପିଆଇ (ଏମ୍‌), ସିପିଆଇ (ଏମ୍‌ଏଲ୍‌) ଲିବରେସନ ଓ ଫରୱାର୍ଡ଼ ବ୍ଲକ ତରଫରୁ ଭୁବନେଶ୍ୱରସ୍ଥିତ ଗାନ୍ଧୀମାର୍ଗଠାରେ ଏକ ପ୍ରତିବାଦସଭା ଅନୁଷ୍ଠିତ ହୋଇଯାଇଛି । ମୋଦିଙ୍କ ନେତୃତ୍ୱରେ ପରିଚାଳିତ କେନ୍ଦ୍ର ବିଜେପି ସରକାରଙ୍କ ଭୁଲ୍ ଓ ବିପଜ୍ଜନକ ନୀତି ଫଳରେ ଆମ ଦେଶର ଅର୍ଥନୀତି ଆଜି ଘୋର ସଙ୍କଟର ସମ୍ମୁଖୀନ । ମୋଟର ଯାନଠାରୁ ଆରମ୍ଭ କରି ବସ୍ତ୍ର ଓ କପଡ଼ା ଶିଳ୍ପ, ପରିବହନ ଓ ନିର୍ମାଣ ଶିଳ୍ପ ପର୍ଯ୍ୟନ୍ତ ସବୁ କ୍ଷେତ୍ରକୁ ମାନ୍ଦାବସ୍ଥା ଗ୍ରାସ କରାଯାଇଛି । ଏପରିକି ସାଧାରଣ ଲୋକଙ୍କ ଚା’ର ସାଥୀ ୫ଟଙ୍କିଆ ବିସ୍କୁଟ ପ୍ୟାକେଟର ବିକ୍ରି ମଧ୍ୟ ହ୍ରାସ ପାଇଛି । ବିକ୍ରି ହ୍ରାସ ଯୋଗୁ ଉତ୍ପାଦନ ସଙ୍କୁଚିତ ହୋଇଛି ଏବଂ ଲକ୍ଷ ଲକ୍ଷ ଶ୍ରମିକ କର୍ମଚାରୀ ଛଟେଇ ହେବାରେ ଲାଗିଛନ୍ତି । ଚାଷୀ ଫସଲର ଉଚିତ୍ ମୂଲ୍ୟ ନ ପାଇ ଋଣ ଦାଉରେ ଆତ୍ମହତ୍ୟା କରୁଛି । ମୂଲିଆ ଅନାହାର ଓ ଅର୍ଦ୍ଧାହାରରେ ଦିନ କାଟୁଛି । ଏହା ସାଙ୍ଗକୁ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ସାଧାରଣ ମଣିଷର ଦୈନନ୍ଦିନ ଜୀବନକୁ ଦୁର୍ବିସହ କରିଦେଲାଣି । ଗରୀବଙ୍କ ପଖାଳର ସାଥୀ ପିଆଜର ଦର ଆଜି ୬୦ ଟପିଲାଣି । ରାଷ୍ଟ୍ରାୟତ ଲାଭଦାୟକ ସଂସ୍ଥାକୁ ବ୍ୟ।।ପକ ଘରୋଇକରଣ କରିବାର ପ୍ରୟାସକୁ ଏହି ଚାରୋଟି ବାମପନ୍ଥୀ ଦଳ ତରଫରୁ ଦୃଢ ନିନ୍ଦା କରାଯାଇଛି ।
କେନ୍ଦ୍ର ସରକାର ଏହାର ପ୍ରତିକାର ପରିବର୍ତ୍ତେ ଗାଲୁମାରି ଭୁଲ୍ ତଥ୍ୟ ଦେବାରେ ଲାଗିଛନ୍ତି । ମୋଦି ସରକାର ସ୍ୱୀକାର କରିବାକୁ ପ୍ରସ୍ତୁତ ନୁହଁନ୍ତି ଯେ, ତାଙ୍କ ସରକାରର ନୋଟବନ୍ଦୀ ଓ ଜିଏସ୍‌ଟି ଯୋଗୁ ଭାରତୀୟ ଅର୍ଥନୀତି ପ୍ରଭୂତ କ୍ଷତି ଘଟିିଛି । ହଜାର ହଜାର କ୍ଷୁଦ୍ର, ଲଘୁ ଓ ମଧ୍ୟମ ଶିଳ୍ପ ବନ୍ଦ ହୋଇଛି ଏବଂ କୋଟିଏରୁ ଉଦ୍ଧ୍ୱର୍ ଶ୍ରମିକ ଓ କର୍ମଚାରୀ ଚାକିରୀ ହରାଇଛନ୍ତି । ଏହିଠାରୁ ଆରମ୍ଭ ହୋଇଛି ଅର୍ଥନୈତିକ ସଙ୍କଟ ଓ ମାନ୍ଦାବସ୍ଥା । ଅନ୍ୟ ପକ୍ଷରେ ବିଜେପି ଶାସନର ସମସ୍ତ ଫାଇଦା ନେଇଛନ୍ତି ସରକାରଙ୍କ ଦ୍ୱାରା ଲାଳିତ ପାଳିତ (କ୍ରୋନି ପୁଞ୍ଜିବାଦ) ମୁଷ୍ଟିମେୟ ଧନ କୁବେରମାନେ । ମାତ୍ର ସରକାର ଉପରେ ଟ୍ୟାକ୍ସ ସରଚାର୍ଜ ପ୍ରତ୍ୟାହାର ସହିତ କର୍ପୋରେଟ ଟିକସ ହ୍ରାସ କରିଛନ୍ତି ଏବଂ ରାଜକୋଷ ବିତ୍ତୀୟ ନିଅଣ୍ଟର ଭରଣା ପାଇଁ ରିଜର୍ଭ ବ୍ୟାଙ୍କରୁ ୧ଲକ୍ଷ ୭୬ ହଜାର କୋଟି ନେବା ପରେ ଏବେ ପୁଣି ୩୦ ହଜାର କୋଟି ମାଗିଛନ୍ତି । କିନ୍ତୁ ସରକାର ଜାଣିରଖିବା ଉଚିତ୍ ଯେ, ଏହାଦ୍ୱାରା ମାନ୍ଦାବସ୍ଥା ଟଳିବ ନାହିଁ । ରାଷ୍ଟ୍ରାୟତ ସଂସ୍ଥା ଓ ସରକାରୀ ଯୋଜନାରେ ନିବେଶ ବୃଦ୍ଧି କରି ନୂତନ କର୍ମ ନିଯୁକ୍ତି ସୃଷ୍ଟି ସହିତ ଗ୍ରାମୀଣ ଅର୍ଥନୀତିକୁ ସାହାଯ୍ୟ କରି ଲୋକଙ୍କର କ୍ରୟଶକ୍ତିକୁ ବଢାଇଲେ ଯାଇ ଚାହିଦା ବଢିବ ଓ ଶିଳ୍ପ ଉତ୍ପାଦନ ବୃଦ୍ଧି ପାଇ ମାନ୍ଦାବସ୍ଥା ଦୂରହେବ । ସୋମବାରର ଏହି ପ୍ରତିବାଦ ସଭାରେ ସିପିଆଇର ରାଜ୍ୟ ସମ୍ପାଦକ ଆଶିଷ କାନୁନ୍‌ଗୋ, ଜାତୀୟ ପରିଷଦ ସଭ୍ୟ ରାମକୃଷ୍ଣ ପଣ୍ଡା ଓ ସୁରଜେନା, ସିପିଆଇ(ଏମ୍‌) ପକ୍ଷରୁ ରାଜ୍ୟ କମିଟି ସମ୍ପାଦକ ଅଳିକିଶୋର ପଟ୍ଟନାୟକ, ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ ସୁରେଶ ପାଣିଗ୍ରାହୀ, ରବୀନ୍ଦ୍ର ଟୁଡ଼ୁ, ସିପିଆଇ (ଏମ୍‌.ଏଲ୍‌) ଲିବରେସନର ରାଜ୍ୟ ସମ୍ପାଦକ ସାଥୀ ଯୁଧିଷ୍ଠିର ମହାପାତ୍ର, କେନ୍ଦ୍ରୀୟ କମିଟି ସଦସ୍ୟ ତଥା ପୂର୍ବତନ ବିଧାୟକ ରାଧାକାନ୍ତ ସେଠି ଓ ରାଜ୍ୟ କମିଟି ସଦସ୍ୟ ଅଶୋକ ପ୍ରଧାନ, ଫରୱାର୍ଡ଼ ବ୍ଲକର ରାଜ୍ୟ ସମ୍ପାଦକ ଜ୍ୟୋତିରଞ୍ଜନ ପାଣିଗ୍ରାହୀ, ନାରାୟଣ ଡ଼ାଳୁଆ ପ୍ରମୁଖ ତାଙ୍କର ଅଭିଭାଷଣ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ