ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କ ପରଲୋକ
ଗୁଣପୁର,(ୱାଇ ଏନ ଏସ): ରାୟଗଡା ଜିଲ୍ଲା ଗୁଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କ ଆଜି ଭୋର୍ ରେ କଟକ ବଡ଼ ମେଡ଼ିକାଲରେ ପରଲୋକ ଘଟିଛି। ସେ ଉଚ୍ଚ ରକ୍ତଚାପ ଓ ମଧୁମେହ ରେ ରୋଗରେ ପୀଡିତ ଥିଲେ । ତାଙ୍କ ସ୍ବାସ୍ଥ୍ୟ ଭୀଷଣ ଖରାଫ ହେବାରୁ ଭୁବନେଶ୍ୱର ଝାରପଡା ଜେଲ କର୍ତ୍ତୃପକ୍ଷ ତାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ରେ ଭର୍ତ୍ତି କରିବା ପରେ ଅଧିକ ଚିକିତ୍ସା ପାଇଁ ଦୁଇ ଦିନ ତଳେ ଏମସ୍ କୁ ସ୍ଥାନାନ୍ତରିତ କରିଥିଲେ। ଏହା ପରେ କଟକ ଏସସିବି ମେଡ଼ିକାଲକୁ ନିଆଯାଇଥିଲା। ତେବେ ଆଜି ଭୋର ୩ ଟା ବେଳେ ସେ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ।ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିବା ବେଳେ ମୃତ୍ୟ ଶଯ୍ୟା ନିକଟ ରେ ତାଙ୍କ ପତ୍ନୀ ଛାୟା ଗମାଙ୍ଗ ଓ ଦୁଇ ଝିଅ ଦିବ୍ୟ ଦର୍ଷିନୀ , ପ୍ରିୟ ଦର୍ଶିନି ,ପୁଅ ଲଳିତ ରଞ୍ଜନ ପୁତୁରା ମାନସ ମୁକେଶ ଓ ପରିବାର ବର୍ଗ ଉପସ୍ଥିତ ରହିଥିଲେ। ନିୟମ ଅନୁଯାୟୀ ଜେଲ କତ୍ତୃପକ୍ଷ ତାଙ୍କ ଶବ ବ୍ୟବଚ୍ଛେଦ ହେବା ପରେ ବିଧାନସଭା ପରିସର ରେ ତାଙ୍କୁ ଗାର୍ଡ ଅଫ ଅନର୍ ପ୍ରଦାନ କରାଯିବ ଓ ପରେ ପୁରୀ ସ୍ୱର୍ଗ ଦ୍ୱାରରେ ସ୍ଵର୍ଗତ ଗମାଙ୍ଗଙ୍କ ଅନ୍ତିମ ସଂସ୍କାର କରାଯିବ । ଉଲେଖଯୋଗ୍ୟଯେ ଜୁନ୍ ୨୦୨୩ରେ, ଭୁବନେଶ୍ୱରର ଏକ ସ୍ୱତନ୍ତ୍ର କୋର୍ଟ ତାଙ୍କ ଗର୍ଭବତୀ ପତ୍ନୀ ଶଶିରେଖାଙ୍କ ହତ୍ୟା ପାଇଁ ସ୍ଵର୍ଗତଃ ଗମାଙ୍ଗଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ଅଗଷ୍ଟ ୧୯୯୫ରେ ତାଙ୍କ ସରକାରୀ କ୍ୱାର୍ଟରରେ ତାଙ୍କର ଅର୍ଦ୍ଧଦଗ୍ଧ ମୃତଦେହ ମିଳିଥିଲା। ଭୁବନେଶ୍ୱର ସ୍ଵତନ୍ତ୍ର କୋର୍ଟରେ ଦୋଷୀ ସାବ୍ୟସ୍ତ କରିବା ପରେ ସେ ଭୁବନେଶ୍ୱର ଝାରପଡା ଜେଲରେ ଆଜୀଵନ କଏଦୀ ରୂପେ ସଜା କାଟୁଥିଲେ। ସୂଚନାଯୋଗ୍ୟ ୧ ମାର୍ଚ୍ଚ ୧୯୫୧ ମସିହାରେ ରାମନାଗୁଡା ବ୍ଲକ ଅମିନିଂ ଗ୍ରାମରେ ଜନ୍ମିତ ସ୍ଵର୍ଗତଃ ଗମାଙ୍ଗ ଭାରତୀୟ ଷ୍ଟେଟ ବ୍ୟାଙ୍କ ଚାକିରୀ ଛାଡି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ସ୍ଵର୍ଗତଃ ଗମାଙ୍ଗ ପ୍ରଥମ ଥର ୧୯୯୦ – ୧୯୯୫) ଜନତା ଦଳ ଟିକେଟ୍ରେ ନିର୍ବାଚନ ଲଢ଼ି ବିଜୟୀ ହୋଇ କଂଗ୍ରେସ ଦୁର୍ଗକୁ ଭାଙ୍ଗି ରେକର୍ଡ ସୃଷ୍ଟି କରିଥିଲେ । ଗୁଣପୁର ନିର୍ବାଚନ ମଣ୍ଡଳୀରେ ଦୀର୍ଘ ବର୍ଷ ଧରି କଂଗ୍ରେସର ପ୍ରଭାବ ରହିଥିବା ବେଳେ, ଜଣେ ଅଣ-କଂଗ୍ରେସ ବିଧାୟକ ଭାବେ ଜିତି ଇତିହାସ ସୃଷ୍ଟି କରିଥିଲେ । ଦ୍ୱିତୀୟ ଥର (୨୦୦୦ – ୨୦୦୪) ଜନତା ଦଳର ବିଭାଜନ ପରେ ସେ ଭାରତୀୟ ଜନତା ପାର୍ଟି ରେ ଯୋଗ ଦେଇଥିଲେ। ୨୦୦୦ ମସିହାରେ ବିଜେଡି-ବିଜେପି ମେଣ୍ଟ ସମୟରେ ସେ ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ଜିତିଥଲେ । ଏହା ପରେ ବିଜେଡି ଦଳରେ ଯୋଗଦେଇଥିଲେ। ସ୍ଵର୍ଗତଃ ଗମାଙ୍ଗ ଜଣେ ମେଳାପି ଓ କର୍ମଠ ରାଜ ନେତା ରୂପେ ଗୁଣପୁର ଅଞ୍ଚଳରେ ସୁନାମ ରହିଥିଲା। ମାଟିର ନେତା ଭାବେ ଗୁଣପୁରର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା। ବିଶେଷ କରି ତାଙ୍କ ଉଦ୍ୟମରେ ଗୁଣପୁର ବଂଶଧାରା ନଦୀ ଉପରେ ସେତୁ ନିର୍ମାଣ କାର୍ଯ୍ୟ ସମ୍ପନ କରିବା ସହ ପଦ୍ମପୁରରେ ଆର ଜି କଲେଜ ପ୍ରତିଷ୍ଠା ତାଙ୍କ ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ। ସ୍ଵର୍ଗତଃ ଗମାଙ୍ଗଙ୍କ ବିୟୋଗରେ ଗୁଣପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, କୋରାପୁଟ ସାଂସଦ ସପ୍ତଗିରି ଶଙ୍କର ଉଲାକା ଗୁଣପୁର ବିଧାୟକ ସତ୍ୟଜିତ ଗମାଙ୍ଗ, ରାୟଗଡା ବିଧାୟକ କାଡ୍ରକା ଆପଲସ୍ବାମୀ, ବିଷମ କଟକ ବିଧାୟକ ନୀଳମାଧବ ହିକକ୍କା, ରାୟଗଡା ଜିଲ୍ଲା ଏସଡିସି ଅଧ୍ୟକ୍ଷ ବିଦ୍ୟାଧର ଶବର, ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ସାରକା, ପୂର୍ବତନ ରାଜ୍ୟସଭା ସାଂସଦ ଏନ. ଭାସ୍କର ରାଓ ,ପୂର୍ବତନ ବିଧାୟକ ରଘୁନାଥ ଗମାଙ୍ଗ, ପୂର୍ବତନ ଜିଲ୍ଲା ପରିଷଦ ସଭାପତି ବିଜୟ କୁମାର ଗମାଙ୍ଗ,ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ସୁଧୀର ଦାଶ,ବିଜେପି ରାଷ୍ଟ୍ରୀୟ ପରିଷଦ ସଭ୍ୟ ୱାଇ ଗଣପତି ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି।


