ଆର୍ଯ୍ୟପଲ୍ଲୀରେ ମାଛଧରା ବନ୍ଦର ପ୍ରତିଷ୍ଠା ସମେତ ବିଧାନସଭାରେ ପ୍ରଶ୍ନ ଉଠାଇଲେ ବିଧାୟକ

ଛତ୍ରପୁର, (ଦେବଦତ୍ତ ମହାରଣା):ବହୁବର୍ଷ ଧରି ମତ୍ସ୍ୟଜୀବୀମାନେ ଦାବି କରି ଆସୁଥିବା ଛତ୍ରପୁର ବ୍ଲକ ଆର୍ଯ୍ୟପଲ୍ଲୀ ଠାରେ ଆଧୁନିକଧରଣ ମାଛଧରା ବନ୍ଦର ପ୍ରତିଷ୍ଠା ସମେତ ନିର୍ବାଚନମଣ୍ଡଳୀର ବିଭିନ୍ନ ପ୍ରସଙ୍ଗ ଉପରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଚଳିତ ବିଧାନସଭାରେ ପ୍ରଶ୍ନ ଉଠାଇଛନ୍ତି । ଛତ୍ରପୁର ବ୍ଲକ ଆର୍ଯ୍ୟପଲ୍ଲୀ ଠାରେ ପ୍ରସ୍ତାବିତ ମାଛଧରା ବନ୍ଦର ପ୍ରତିଷ୍ଠା ନେଇ ଏପର୍ଯ୍ୟନ୍ତ କ’ଣ ସବୁ ପଦକ୍ଷେପ ଗ୍ରହଣ କରାଯାଇଛି ଏବଂ ଏହାର ନିର୍ମାଣ କାର୍ଯ୍ୟ କେବେ ସୁଦ୍ଧା ଆରମ୍ଭ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି ବିଧାୟକଙ୍କ ପ୍ରଶ୍ନର ଉତ୍ତରରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି, ମାଛଧରା ବନ୍ଦର ନିର୍ମାଣ ପାଇଁ ଆନୁସଙ୍ଗିକ କାର୍ଯ୍ୟ ପର୍ଯ୍ୟାୟକ୍ରମେ କରାଯାଉଛି । ସେଥିପାଇଁ ନିର୍ଦ୍ଧାରିତ ଜଙ୍ଗଲ ଜମିର କିସମ ପରିବର୍ତ୍ତନ, ଇଞ୍ଜିନିଅରିଂ ସର୍ଭେ, ପ୍ରକଳ୍ପ ନକ୍ସା ଓ ମଡେଲ ଅଧ୍ୟୟନ ଭଳି କାର୍ଯ୍ୟ ହାତକୁ ନିଆଯାଇଛି । ପରିବେଶ ମଞ୍ଜୁର ତଥା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରଶାସନିକ ଅନୁମୋଦନ ମିଳିବା ପରେ ମାଛଧରା ବନ୍ଦର ନିର୍ମାଣ ସମ୍ବନ୍ଧେ ପରବର୍ତ୍ତୀ ପଦକ୍ଷେପ ନିଆଯାଇପାରେ ।ସେହିପରି ଛତ୍ରପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗଞ୍ଜାମ ବ୍ଲକ ଖଣ୍ଡଦେଉଳି ଠାରେ ଥିବା ସହୀଦ ଭଗତସିଂ ଡିଗ୍ରୀ କଲେଜରେ ଯୁକ୍ତତିନି ବିଜ୍ଞାନ ପାଠ୍ୟକ୍ରମ ଖୋଲିବା ନିମନ୍ତେ ବିଭାଗ ତରଫରୁ କ’ଣ ପଦକ୍ଷେପ ରହିଛି ବିଧାୟକଙ୍କ ପ୍ରଶ୍ନର ଉତ୍ତରରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି, ଖଣ୍ଡଦେଉଳି ଡିଗ୍ରୀ କଲେଜରେ ଯୁକ୍ତତିନି ପାଠ୍ୟକ୍ରମ ଖୋଲିବା ପାଇଁ ଉକ୍ତ କଲେଜ କର୍ତ୍ତୃପକ୍ଷ ପୋର୍ଟାଲ ମାଧ୍ୟମରେ ଆବେଦନ କରିଛନ୍ତି । ଏହି ଆବେଦନ ଆଧାରରେ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କ ସ୍ତରରେ ଆବେଦନ ପତ୍ର ଯାଞ୍ଚ କରାଯାଇ ଆବଶ୍ୟକୀୟ ନିରୀକ୍ଷଣ କରାଯାଇଛି ଏବଂ ଏହାର ଏକ ନିରୀକ୍ଷଣ ରିପୋର୍ଟ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି (ଏଚ୍‌ପିସି) ନିକଟରେ ଉପସ୍ଥାପନ କରିବା ନିମନ୍ତେ ଉଚ୍ଚଶିକ୍ଷା ବିଭାଗରେ ହସ୍ତାନ୍ତର ହୋଇଛି । ଏହି ରିପୋର୍ଟ ଆଧାରରେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ବିହିତ ପଦକ୍ଷେପ ଗ୍ରହଣ କରିବେ । ଏହାସହିତ ଗଞ୍ଜାମ ବ୍ଲକରେ ସହକାରୀ ଉଦ୍ୟାନ ଅଧିକାରୀଙ୍କ କାର୍ଯ୍ୟାଳୟ ଖୋଲିବା ପାଇଁ କ’ଣ ପଦକ୍ଷେପ ନିଆଯାଇଛି ପ୍ରଶ୍ନର ଉତ୍ତରରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି, ଗଞ୍ଜାମ ବ୍ଲକରେ ସହକାରୀ ଉଦ୍ୟାନ ଅଧିକାରୀଙ୍କ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ଜମି ଚିହ୍ନଟ କରିବା ପାଇଁ ତହସିଲଦାର ଗଞ୍ଜାମକୁ ପତ୍ର ମାଧ୍ୟମରେ ଅନୁରୋଧ କରାଯାଇଛି ଏବଂ ତତ୍ ସହିତ ଜମି ଅଧିକରଣ ନିମନ୍ତେ ସଂପୃକ୍ତ ରାଜସ୍ୱ ନିରୀକ୍ଷକଙ୍କ ସହ ଯୋଗାଯୋଗ କରାଯାଇଛି । ଜମି ଚିହ୍ନଟ କାର୍ଯ୍ୟକ୍ରମ ସମ୍ପାଦନ ପରେ ସହକାରୀ ଉଦ୍ୟାନ ଅଧିକାରୀ, ଗଞ୍ଜାମଙ୍କ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ଅର୍ଥ ମଞ୍ଜୁର ପାଇଁ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ