ରଘୁନାଥପୁର ଆବାସିକ ବାଳକ ବିଦ୍ୟାଳୟର ୬ଷ୍ଠ ସମନ୍ୱୟ କମିଟି ବୈଠକ

ଛତ୍ରପୁର, (ଦେବଦତ୍ତ ମହାରଣା):ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ରଘୁନାଥପୁର ସ୍ଥିତ ଆବାସିକ ବାଳକ ବିଦ୍ୟାଳୟର ଷଷ୍ଠ ସମନ୍ୱୟ କମିଟି ବୈଠକ ବୁଧବାର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । କମିଟିର ଅଧ୍ୟକ୍ଷ ତଥା ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ବୈଠକରେ ଅଧ୍ୟକ୍ଷତା କରି ବିଦ୍ୟାଳୟରେ ରହୁଥିବା ଛାତ୍ରମାନଙ୍କ ସୁବିଧା କ୍ଷେତ୍ରରେ ବିଭିନ୍ନ ଆନୁଷଙ୍ଗିକ ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ କରିଛନ୍ତି । ଆବାସିକ ବିଦ୍ୟାଳୟର ଭଂଗ୍ନ ଅବସ୍ଥାରେ ଥିବା ପାଚେରୀ କାମକୁ ତୁରନ୍ତ ମରାମତି କରିବା, ପିଲାଙ୍କ ବ୍ୟବହାରରେ ଆସୁଥିବା ପରିସ୍ରାଗାର ଗୁଡିକ ନଷ୍ଟ ହୋଇଛି ସେଗୁଡିକୁ ମରାମତି କିମ୍ବା ନୂତନ ଭାବେ ତିଆରି କରିବା ଏବଂ ବିଦ୍ୟାଳୟ ପରିସରରେ ଖାଲଢ଼େପ ସ୍ଥାନ ଗୁଡିକୁ ସମତୁଲ କରିବା ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ପିଲାଙ୍କ ପାଇଁ ଖାଦ୍ୟ ଖାଇବା ସ୍ଥଳୀ ଏବଂ ବିଭିନ୍ନ ସାମଗ୍ରୀ ରଖିବା ନିମନ୍ତେ ଏକ ଅତିରିକ୍ତ ଗୃହ ନିର୍ମାଣ କରାଯିବ । ଆବାସିକ ବିଦ୍ୟାଳୟର ଛାତ୍ରମାନଙ୍କ ସୁରକ୍ଷା ଦୃଷ୍ଟିରୁ ସିସିଟିଭି ଲଗାଇବା ପାଇଁ ଜିଲ୍ଲାପାଳ କହିଛନ୍ତି । ସେହିପରି ବିଦ୍ୟାଳୟରେ ରହୁଥିବା ପିଲାଙ୍କ ପ୍ରତ୍ୟେକ ମାସରେ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଅଧ୍ୟୟନ ସହିତ ଅନ୍ୟାନ୍ୟ ଆକ୍ଟିଭିଟି ପାଇଁ ପାର୍ଟ ଟାଇମ୍ ଶିକ୍ଷକ ନିଯୁକ୍ତି କରିବା ଦିଗରେ ଛତ୍ରପୁର ବିଇଓଙ୍କୁ ପଦକ୍ଷେପ ନେବାକୁ କୁହାଯାଇଛି । ସମସ୍ତ ପ୍ରକାରରୁ ବଞ୍ଚିତ ଥିବା ବାଳକମାନଙ୍କୁ ଥଇଥାନା କରିବା ସହିତ ସେମାନଙ୍କ ପାଠପଢ଼ା ଅନ୍ୟାନ୍ୟ ସୁବିଧା କ୍ଷେତ୍ରରେ ରଘୁନାଥପୁର ଠାରେ ଏହି ଆବାସିକ ବାଳକ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି । ବର୍ତ୍ତମାନ ୪୫ ଜଣ ବାଳକ ଏଠାରେ ଥଇଥାନା କରାଯାଇଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି । ବୈଠକରେ ଜିଲ୍ଲା ଶିକ୍ଷାଧିକାରୀ ଅମିତା ପଟ୍ଟନାୟକ, ସମଗ୍ର ଶିକ୍ଷାର ଅର୍ଥପରାମର୍ଶଦାତା ମଧୁସୂଦନ ପରିଡା, ବରିଷ୍ଠ ବୈଷୟିକ ପରାମର୍ଶଦାତା ଇଂ ମନୋଜ କୁମାର ବେହେରା, ପ୍ଲାନିଂ କୋଡିନେଟର ସାବିତ୍ରୀବାଳା ଦାଶ, ସ୍ୱାସ୍ଥ୍ୟ, ଜିଲ୍ଲା ମଙ୍ଗଳ ଓ ଜିଲ୍ଲା ଯୋଗାଣ ବିଭାଗ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ