ଆର୍ଯ୍ୟ ସମାଜ ପକ୍ଷରୁ ଋଷି ନିର୍ବାଣ ଦିବସ ପାଳିତ
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ଭାରତବର୍ଷରେ ସଂସ୍କାରବାଦୀ ଆନ୍ଦୋଳନର ଅନ୍ୟତମ ପ୍ରବର୍ତ୍ତକ, ଆର୍ଯ୍ୟ ସମାଜର ପ୍ରତିଷ୍ଠାତା ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ୮୭ତମ ନିର୍ବାଣ ଉତ୍ସବ ଗତକାଲି ପବିତ୍ର ଦୀପାବଳୀର ସନ୍ଧ୍ୟାରେ ଜୁମ୍ ଭିଡ଼ିଓ ଯୋଗେ, ଆର୍ଯ୍ୟ ସମାଜ ଓଡ଼ିଶା ପକ୍ଷରୁ ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି ।କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭବେ ଉଦ୍ଘାଟନ କରି ଦିବ୍ୟଜୀବନ ସଂଘର ସନ୍ଥ ସ୍ୱାମୀ ଜଗନ୍ନାଥାନନ୍ଦ ସରସ୍ୱତୀ ମହାରାଜ କହିଲେ ଯେ, ମହର୍ଷି ଦୟାନନ୍ଦ ତାଙ୍କ ମୃତ୍ୟୁ ପୂର୍ବରୁ ତାଙ୍କର ଭକ୍ତ ଶ୍ରଦ୍ଧାଳୁମାନଙ୍କୁ ସଙ୍କେତ ଦେଇଥିଲେ । ବୈଦିକ ଜ୍ଞାନକୁ ସାଧାରଣ ଜନତାଙ୍କ ନିକଟରେ ପହଞ୍ଚାଇବା ସହ ସମାଜର କଲ୍ୟାଣ ପାଇଁ ତାର ପ୍ରୟୋଗ ବିଷୟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିବା ପର୍ଯ୍ୟନ୍ତ ଚିନ୍ତନ କରୁଥିଲେ ।ବିଶିଷ୍ଟ ବକ୍ତା ବେଦ ପ୍ରବଚକ ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା କହିଲେ ଯେ, ଜଣେ ସାଧାରଣ ମଣିଷର ଉନ୍ନତି ପାଇଁ, ଧର୍ମର ଆବଶ୍ୟକତାକୁ ନେଇ, ମହର୍ଷି ଦୟାନନ୍ଦ ଆର୍ଯ୍ୟ ସମାଜ ପ୍ରତିଷ୍ଠା କରିଥିଲେ । ବେଦର ପ୍ରତ୍ୟେକଟି ମନ୍ତ୍ର କିଭଳି ମାନବ କଲ୍ୟାଣ ପାଇଁ ଉଦ୍ଦିଷ୍ଟ, ତାର ସରଳ ଉଦାହରଣମାନ ସେ ଦେଇଥିଲେ । ଅନ୍ୟତମ ବକ୍ତା ବେସିକ ସାଇନ୍ସ କଲେଜର ନିର୍ଦ୍ଦେଶକ ପ୍ରଫେସର ବିକାଶ ପଣ୍ଡା କହିଲେ ଯେ, ବିଜ୍ଞାନର ପ୍ରୟୋଗକୁ ମହର୍ଷି ଦୟାନନ୍ଦ ଧର୍ମ ମାଧ୍ୟମରେ କରିଛନ୍ତି । ଆର୍ଯ୍ୟ ସମାଜକୁ ସେ କେବଳ ଏକ ଆଧ୍ୟାତ୍ମବାଦୀ ଅନୁଷ୍ଠାନ ଭାବେ ସେ ପ୍ରତିଷ୍ଠା କରିନଥିଲେ, ସମାଜର ଅନ୍ଧବିଶ୍ୱାସ ଓ କୁସଂସ୍କାର ବିରୁଦ୍ଧରେ ଆଜକୁ ୧୪୫ବର୍ଷ ତଳେ ଯେଉଁ ଆନ୍ଦୋଳନର ସୂତ୍ରପାତ୍ର ସେ କରିଥିଲେ ତାହାହିଁ ଥିଲା ଆର୍ଯ୍ୟ ସମାଜ । ଋଷି ନିର୍ବାଣ ଦିବସ ଅବସରରେ ଆର୍ଯ୍ୟ ଭବନଠାରେ ପଣ୍ଡିତ ବିନୋଦ ବିହାରୀ ଦାସଙ୍କ ଦ୍ୱାରା ବୈଦିକ ଶାନ୍ତି ଯଜ୍ଞ ଅନୁଷ୍ଠିତ ହୋଇଥିଲା । ଆଜିର କାର୍ଯ୍ୟକ୍ରମ ପ୍ରାରମ୍ଭରେ ଯୁବ ଆର୍ଯ୍ୟ ସମାଜ, ଓଡ଼ିଶାର ସଭାପତି ପ୍ରବୀର ଆର୍ଯ୍ୟ ସ୍ୱାଗତ ଭାଷଣ ଦେଇଥିଲେ ଓ ଶେଷରେ ଦୀପକ ଆର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ ।


