ଇଂ.ସୁରେନ୍ଦ୍ର ନାଥ ଦାସଙ୍କର ୪ପୁସ୍ତକ ଉନ୍ମୋଚିତ
ବାଲେଶ୍ୱର, (ସରୋଜ ପଣ୍ଡା) : ଅବସରପ୍ରାପ୍ତ ବିଦ୍ୟୁତ ବିଭାଗ ମୁଖ୍ୟ ଯନ୍ତ୍ରୀ ଇଂ.ସୁରେନ୍ଦ୍ର ନାଥ ଦାସଙ୍କ ଲିଖିତ ନୂତନ ଚାରିଖଣ୍ଡି ପୁସ୍ତକ ଲୋକର୍ପିତ ହୋଇଯାଇଛି । ସ୍ଥାନୀୟ ହୋଟେଲ କଳିଙ୍ଗ ସଭାକକ୍ଷରେ ଆୟୋଜିତ ଉତ୍ସବକୁ ଖ୍ୟାତନାମା ଓଡ଼ିଶୀ ନୃତ୍ୟାଙ୍ଗନା ଅନସୂୟା ନାଏକ,ଉଦ୍ଘାଟନ ସହ କାର୍ଯ୍ୟକ୍ରମରେ ପୌରୋହିତ୍ୟ କରିଥିଲେ । ଲେଖକ ଇଂ.ଦାସଙ୍କ ସହପାଠିନୀ କବୟିତ୍ରୀ ଯଶୋଧାରା ଦାସଙ୍କ ଦ୍ୱାରା ପୁସ୍ତକଗୁଡ଼ିକ ଉନ୍ମୋଚିତ ହୋଇଥିଲା । ‘ଧ୍ୱନିପ୍ରତିଧ୍ୱନି’ର ସମ୍ପାଦିକା କବି ସୈରିନ୍ଧ୍ରୀ ସାହୁ, ସାହିତ୍ୟିକା ଅରୁଣା ରାୟ, ବି.କେ.ମିନତୀ, କବି ସତ୍ୟଭାମା ମୁଦୁଲି, ଶିକ୍ଷୟିତ୍ରୀ ଗୀତାଞ୍ଜଳି ପାଣିଗ୍ରାହୀ ପ୍ରମୁଖ ଏଥିରେ ବରେଣ୍ୟ ଅତିଥି ଭାବେ ଯୋଗଦେଇ ଉନ୍ମୋଚିତ ପୁସ୍ତକ ଉପନ୍ୟାସ ‘ସୁଭଦ୍ରା’, ଓ ‘ଲକ୍ଷ୍ମୀ’, କାବ୍ୟଗ୍ରନ୍ଥ ‘ଜନ୍ମ ଜନ୍ମାନ୍ତରେ ସାଥୀ ମୋର’, କବିତା ସଂକଳନ ‘ସ୍ମୃତି ଏକ ଝରାଫୁଲ’କୁ ସମୀକ୍ଷା କରିଥିଲେ । ଇଂ.ଦାସ ତାଙ୍କ ଦୀର୍ଘ ୫୨ବର୍ଷର ଦାମ୍ପତ୍ୟ ଜୀବନର ମଧୁମୟ ସ୍ମୃତିକୁ ‘ଜନ୍ମ ଜନ୍ମାନ୍ତରେ ସାଥୀ ମୋର’ରେ ଅତ୍ୟନ୍ତ ସରଳ ଓ ସାବଲୀଳ ଭାଷା ବିନ୍ୟାସରେ ହୋଇଥିବା ବର୍ଣ୍ଣନାକୁ ଅତିଥିମାନେ ବେଶ ପ୍ରଶଂସା କରିଥିଲେ । ସେହିଭଳି ଭାବେ ‘ସୁଭଦ୍ରା’ ଭଳି ଏକ ରାଜନୈତିକ ଉପନ୍ୟାସ ମଧ୍ୟରେ ସାମାଜିକ ଜୀବନର ବାସ୍ତବ ଘଟଣାବଳୀକୁ ଲେଖକ ଉପସ୍ଥାପିତ କରିଛନ୍ତି । ଅନ୍ୟ ଏକ ଉପନ୍ୟାସ ‘ଲକ୍ଷ୍ମୀ’ରେ ଜାତିପ୍ରଥାର ସଂକୀର୍ଣ୍ଣତାକୁ ଦର୍ଶାଇ ମାନବତାର ଜୟଗୀତି ଗାନ କରିବା ଦିଗରେ ନାରୀର ତ୍ୟାଗ ଜଗତ ପାଇଁ କେତେ ମହାନ ତାହାକୁ ପାଠକଙ୍କ ସମ୍ମୁଖରେ ଉପସ୍ଥାପନ କରାଯାଇଥିବା ବୋଲି ଅତିଥିମାନେ କହିଥିଲେ । ସୁବର୍ଣ୍ଣଶ୍ରୀ ପ୍ରକାଶନର ମୁଖ୍ୟ କବି କାଳୀପଦ ପଣ୍ଡା ଏଥିରେ ଯୋଗଦେଇ ୪ ପୁସ୍ତକ ପ୍ରକାଶନର ବିଭିନ୍ନ ଦିଗ ସମ୍ପର୍କରେ ଆଲୋକପାତ କରିଥିଲେ । ଲେଖକ ଇଂଜିନିୟର ଦାସ ଏଥିରେ ଉପସ୍ଥିତ ରହି ନିଜର ଲେଖକୀୟ ଅନୁଭୁତି ଓ ଅଭିଜ୍ଞତା ସମ୍ପର୍କରେ ବର୍ଣ୍ଣନା କରିଥିଲେ । ଉତ୍ସବ ପ୍ରାରମ୍ଭରେ ଲେଖକ ଇଂ.ଦାସଙ୍କ କନିଷ୍ଠ କନ୍ୟା ସୁଜିତା ଦାସ ଅତିଥିଙ୍କୁ ମଞ୍ଚ ଆମନ୍ତ୍ରଣ ସହ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ସୁଶ୍ରୀ ସତ୍ୟଭାମା ମୁଦୁଲି ସଙ୍ଗୀତର ତାଳେ ତାଳେ ଉତ୍ସବକୁ ସଂଚାଳନା କରିଥିଲେ । ଲେଖକଙ୍କ ପତ୍ନୀ ସତ୍ୟଭାମା ଦାସ ଅତିଥିମାନଙ୍କୁ ଅଙ୍ଗବସ୍ତ୍ର ଦେଇ ସମ୍ବର୍ଦ୍ଧିତ କରିବା ଅବସରରେ ଲେଖକଙ୍କ ସହ ତାଙ୍କର ପାଞ୍ଚଞ୍ଚଦଶନ୍ଧିର ଅନୁଭୁତିକୁ ଉପସ୍ଥାପନ କରିଥିଲେ । ପୁତୁରାବୋହୂ ବିଶ୍ୱବିଜୟୀ ଦାସ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ଇଂ.ଦାସଙ୍କ ଶିକ୍ଷାଗୁରୁ ଦିବଂଗତ କବି କୁମାର ଚକ୍ରବର୍ତ୍ତୀ, ଲେଖକ ଇଂ. ନରେନ ଚନ୍ଦ୍ର ଦାଶ, ସହପାଠୀ ପୂର୍ବତନ ବିଧାୟକ ଅରୁଣ ଦେ, ସହପାଠୀ ଶିଳ୍ପପତି ହିମାଂଶୁ ଦାସ, ସହପାଠୀ ଡାକ୍ତର ବାସୁଦେବ ଦାସ, ବନ୍ଧୁ ଡାକ୍ତର ପ୍ରଫୁଲ୍ଲ ଚନ୍ଦ୍ର ଆଚାର୍ଯ୍ୟଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା ।


