ବାଲେଶ୍ୱର ପୌରପାଳିକାରେ ୫ ଅଧ୍ୟକ୍ଷ-୧୩୨ କାଉନସିଲର ପ୍ରାର୍ଥୀଙ୍କ ନାମାଙ୍କନ
ବାଲେଶ୍ୱର, (ସରୋଜ ପଣ୍ଡା) : ଚଳିତ ପୌର ନିର୍ବାଚନ ପାଇଁ ଗତ ୨ ତାରିଖରୁ ଆରମ୍ଭ ହୋଇଥିବା ନାମାଙ୍କନ ଦାଖଲ ପ୍ରକ୍ରିୟା ସୋମବାର ଶେଷ ହୋଇଛି । ଶେଷ ଦିନରେ ବାଲେଶ୍ୱର ପୌରପାଳିକାର ଅଧ୍ୟକ୍ଷ ପଦ ସମେତ ବିଭିନ୍ନ ୱାର୍ଡ଼ ପାଇଁ ମୋଟ ୧୦୨ ଜଣ ପ୍ରାର୍ଥୀ ଦାମାଙ୍କନପତ୍ର ଦାଖଲ କରିଛନ୍ତି । ତନ୍ମଧ୍ୟରୁ ୫ ଜଣ ଅଧ୍ୟକ୍ଷ ପ୍ରାର୍ଥୀ ଓ ୯୭ ଜଣ କାଉନସିଲର ପ୍ରାର୍ଥୀ ଥିବା ପୌର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ୭ ଦିନରେ ଅଧ୍ୟକ୍ଷ ପଦ ପାଇଁ ସବିତା ସାହୁ, ରଶ୍ମିରେଖା ଦେବ, ପ୍ରଜ୍ଞାପାରମିତା ବିଶ୍ୱାଳ, ସଂଧ୍ୟା ଚକ୍ରବର୍ତ୍ତୀ ଓ ଚିତ୍ରାରାଣୀ ପାତ୍ର ୫ ଜଣ ଓ ୩୧ ଗୋଟି କାଉନସିଲର ପଦ ପାଇଁ ମୋଟ ୧୩୨ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିବା ଜଣାପଡ଼ିଛି । ତେବେ ଶେଷଦିନରେ ଆଜି ବିଭିନ୍ନ ରାଜନୈତିକ ଦଳଙ୍କ ପକ୍ଷରୁ ପ୍ରାର୍ଥୀମାନେ ଶୋଭାଯାତ୍ରାରେ ଆସିଥିବା ଲକ୍ଷ୍ୟ କରାଯାଇଛି । ଦଳୀୟ କର୍ମକର୍ତ୍ତା, କର୍ମୀ, ସହଯୋଗୀ ଓ ସମର୍ଥକଙ୍କ ଗହଣରେ ବାଜା ଓ ରୋଷଣୀ ମଧ୍ୟରେ ପ୍ରାର୍ଥୀମାନେ ସହର ପରିକ୍ରମା ସହ ପୌରପାଳିକା ପର୍ଯ୍ୟନ୍ତ ଆସିଥିଲେ । ନାମାଙ୍କନ ଦାଖଲ କରିଥିବା ପ୍ରତ୍ୟେକ ପ୍ରାର୍ଥୀ ନିଜର ବିଜୟକୁ ନେଇ ଆଶାବାଦୀ ଥିବା କହିଛନ୍ତି । ନିର୍ବାଚିତ ହେବା ପରେ ସହରବାସୀଙ୍କ ଯାବତୀୟ ସେବା ଯୋଗାଇବା ସାଙ୍ଗକୁ ଲୋକଙ୍କ ସମସ୍ୟାର ସମାଧାନ କରିଦେବେ ବୋଲି ପ୍ରତିଶ୍ରୁତି ବି ଦେଇଛନ୍ତି । ସେହିଭଳି କାଉନସିଲର ପଦ ପାଇଁ ନାମାଙ୍କନ ଦାଖଲ କରିଥିବା ପ୍ରାର୍ଥୀମାନେ ମଧ୍ୟ ମିଡିଆ ଜରରିଆରେ ଅନୁରୂପ ପ୍ରତିଶ୍ରୁତି ଦେଉଥିବା ଦେଖିବାକୁ ମିଳିଥିଲା । ଆସନ୍ତା ୯ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ସହ ବୈଧ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ୧୪ ତାରିଖ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର ଓ ସେହିଦିନ ସଂଧ୍ୟା ୫ଟା ସୁଦ୍ଧା ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ୨୪ ତାରିଖ ସକାଳ ୮ରୁ ଅପରାହ୍ଣ ୫ ପର୍ଯ୍ୟନ୍ତ ମତଦାଦ ଚାଲିବ ବୋଲି ପୌର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।


