ଇକୋ କ୍ଲବ ଶିକ୍ଷକ ଓ ଯୁବଛାତ୍ରଙ୍କ ପକ୍ଷରୁ କରୋନା ଭାଇରସ ସମ୍ପର୍କରେ ସଚେତନତା ଶୋଭାଯାତ୍ରା
କେନ୍ଦ୍ରାପଡ଼ା – ଇକୋ କ୍ଲବ ଶିକ୍ଷକ ଓ ଯୁବଛାତ୍ର ଗଣଙ୍କ ପକ୍ଷରୁ ଆଜି ସକାଳେ ଏକ କରୋନା ଭାଇରସ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନତା ଶୋଭାଯାତ୍ରା ଶିକ୍ଷକ ପାର୍ଥସାରଥୀ ବେହେରାଙ୍କ ନେତୃତ୍ୱରେ କେନ୍ଦ୍ରାପଡା ବ୍ଲକ ପରିସରରୁ ବାହାରି କେନାଲବନ୍ଧ ଦେଇ ସାନ୍ତସାହି ପର୍ଯ୍ୟନ୍ତ ଆସି ସେଠାରୁ ସହରର ମୁଖ୍ୟରାସ୍ତାଦେଇ ପୁରୁଣା ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଆସି ବାଟରେ ଜନସାଧାରଣଙ୍କୁ ସଚେତନ କରିଥିଲା । ଏହି ଶୋଭାଯାତ୍ରାକୁ ବ୍ଲକ ପରିସରରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ଉର୍ମିଳା ମିଶ୍ର ମୁଖ୍ୟ ଅତିଥି ଓ ପ୍ରାଧ୍ୟାପକ ଅଜୟ କୁମାର ସାମଲ ମୁଖ୍ୟବକ୍ତା ଏବଂ ସରକାରୀ ଆଇନଜୀବି ସଞ୍ଜୟ କୁମାର ଜେନା ଓ ରାମସାର ସଂଯୋଜକ ପିତବାସ ପଣ୍ଡା ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଏଭଳି କାର୍ଯ୍ୟକ୍ରମର ଆୟୋଜନ ଦ୍ୱାରା ଜନସାଧାରଣ କରୋନା ଭାଇରସ ସମ୍ପର୍କରେ ସଚେତନ ହେବା ସହିତ ସେଭଳି ମାରାତ୍ମକ ରୋଗରୁ ରକ୍ଷା ପାଇପାରିବେ ବୋଲି ମତବ୍ୟକ୍ତ କରିଥିଲେ । ଏଥିସହିତ ଏଭଳି ଏକ କାର୍ଯ୍ୟକ୍ରମର ଆୟୋଜନ ପାଇଁ ଶିକ୍ଷକ ପାର୍ଥସାରଥୀ ବେହେରାଙ୍କୁ କୃତଜ୍ଞତା ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବି ରମଣୀରଞ୍ଜନ ରାଉତରାୟ,ଧିରେନ୍ଦ୍ର କୁମାର ଦାସ ପ୍ରମୁଖ ଉପସ୍ଥିତ ରହି ଶୋଭାଯାତ୍ରାକାରୀଙ୍କ ସହିତ ସଚେତନତା ସୃଷ୍ଟି କରିଥିଲେ ।


