ଇନକମ୍ ଟ୍ୟାକ୍ସ ନିୟମ ବଦଳାଇବାକୁ ପ୍ରସ୍ତୁତି ଚଳାଇଛନ୍ତି କେନ୍ଦ୍ର ସରକାର
କେନ୍ଦ୍ର ସରକାର ଆୟକର ସହ ଜଡ଼ିତ ଏକ ବଡ଼ ନିଷ୍ପତ୍ତି ନେବାର ପ୍ରସ୍ତୁତି ଚଳାଇଛନ୍ତି । ରିପୋର୍ଟ ମୁତାବକ, ସରକାର ଡିଭିଡେଣ୍ଟ୍ ଡିଷ୍ଟ୍ରିବ୍ୟୁଶନ ଟ୍ୟାକ୍ସ(ଡିଡିଟି)ରେ ପରିବର୍ତ୍ତନ ଆଣିପାରନ୍ତି । ଏ ନେଇ ବିଚାର ପ୍ରକ୍ରିୟା ଜାରି ରହିଛି । ଏକ ନ୍ୟୁଜ୍ ଏଜେନ୍ସି ଅନୁସାରେ, ଏହି ନିଷ୍ପତ୍ତିରେ ବିଦେଶୀ ନିବେଶ ବଢ଼ିପାରେ । ଏଥିପାଇଁ ସରକାର ଏହାର ପ୍ରୟାସରେ ଲାଗିଛନ୍ତି । କୁହାଯାଉଛି, ଡିଭିଡେଣ୍ଟ୍ ଡିଷ୍ଟ୍ରିବ୍ୟୁଶନ ଟ୍ୟାକ୍ସ ଯୋଗୁ ପ୍ରତିବର୍ଷ ୬୦ ହଜାର କୋଟି ଟଙ୍କା ରାଜକୋଷକୁ ଆସୁଛି । ସରକାରଙ୍କ ନୂଆ ଯୋଜନାରେ ଏଥିରେ କୌଣସି ଫରକ୍ ପଡ଼ିବ ନାହିଁ । ୨୦୨୦ ଫେବୃୟାରୀ ୧ରେ ଉପସ୍ଥାପନ ହେବାକୁ ଥିବା ବଜେଟରେ ସରକାର ଏହି ପ୍ରସ୍ତାବ ଆଣିପାରନ୍ତି । ବର୍ତ୍ତମାନ ସମୟରେ ଏହି ଟ୍ୟାକ୍ସ କମ୍ପାନୀଗୁଡ଼ିକୁ ଦେବାକୁ ପଡ଼ିଥାଏ । କିନ୍ତୁ ଆଗକୁ ଶେୟାରଧାରକଙ୍କୁ ଦେବାକୁ ପଡ଼ିପାରେ । ନିଜ ଶେୟାରଧାରକମାନଙ୍କୁ ଡିଭିଡେଣ୍ଟ୍ ଦେବା ପୂର୍ବରୁ ଭାରତୀୟ କମ୍ପାନୀଗୁଡ଼ିକୁ ୧୫ ପ୍ରତିଶତ ଡିଡିଟି ଦେବାକୁ ପଡ଼ିଥାଏ ।
-କମ୍ପାନୀଗୁଡ଼ିକ ଉପରେ ଭାରତ ସରକାର ଏହି ଟ୍ୟାକ୍ସ ଲଗାଇଥାଆନ୍ତି । ଆର୍ଥିକ ବର୍ଷରେ ଘରାଇ କମ୍ପାନୀରୁ ମିିଳିଥିବା ୧୦ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଡିଭିଡେଣ୍ଟ ଉପରେ ଟ୍ୟାକ୍ସରୁ ମୁକ୍ତି ମିଳିଥାଏ । ଅର୍ଥାତ୍ ନିବେଶକଙ୍କୁ ଏହା ଉପରେ ଟ୍ୟାକ୍ସ ଦେବାକୁ ପଡ଼ି ନ ଥାଏ ।
-କୌଣସି ବିଦେଶୀ କମ୍ପାନୀକୁ ନିଜ ଶେୟାର ଧାରକଙ୍କୁ ଦିଆଯାଇଥିବା ଡିଭିଡେଣ୍ଟ୍ ଉପରେ ଡିଡିଟି ଟ୍ୟାକ୍ସରୁ ମୁକ୍ତ କରାଯାଇଥାଏ । ସେଠି ବିଦେଶୀ କମ୍ପାନୀରୁ ପ୍ରାପ୍ତ ଡିଭିଡେଣ୍ଟ୍ ନିବେଶକଙ୍କ ପାଇଁ ଟ୍ୟାକ୍ସେବୁଲ୍ ହୋଇଥାଏ । ଏହାକୁ “ଅନ୍ୟ ସ୍ରୋତରୁ ଆୟ’ ଅଧୀନରେ ନିଆଯାଇଥାଏ । ଲାଗୁ ଦର ଅନୁସାରେ ଏହା ଉପରେ ଟ୍ୟାକ୍ସ ପଡ଼ିଥାଏ ।
-ମିଚ୍ୟୁଆଲ ଫଣ୍ଡରୁ ମିଳିଥିବା ଡିଭିଡେଣ୍ଟ୍ ନିବେଶକଙ୍କ ପାଇଁ ଟ୍ୟାକ୍ସ ଫ୍ରି ଅଟେ । କିନ୍ତୁ ସେମାନଙ୍କୁ ଡେବ୍ଟ ଫଣ୍ଡସ୍ ପାଇଁ ୨୫ ପ୍ରତିଶତ ଦରରେ ଡିଡିଟି ଦେବାକୁ ପଡ଼ିଥାଏ । ଇକ୍ୱିଟି ଫଣ୍ଡ୍ ପାଇଁ ଏହା ୧୦ ପ୍ରତିଶତ ଅଟେ ।


