ଇନରହୁଇଲ୍ କ୍ଲବ ରୟାଲ ଦ୍ୱାରା ଜରାୟୁ-ଦ୍ୱାର କର୍କଟ ସଚେତନତା କର୍ମଶାଳା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଇନରହୁଇଲ୍ କ୍ଲବ ଅଫ ଭୁବନେଶ୍ୱର ରୟାଲ ଦ୍ୱାରା ସ୍ଥାନୀୟ ରୋଟାରୀ ଭବନଠାରେ ସରଭାଇକାଲ କ୍ୟାନ୍ସର ବା ଜରାୟୁ-ଦ୍ୱାର କର୍କଟ ରୋଗ ବିଷୟରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କ୍ଲବର ସଭାପତି ଶ୍ରୀମତୀ ସୁବ୍ରତା ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କଟକ ଆଚାର୍ଯ୍ୟ ହରିହର କ୍ୟାନ୍ସର ଗବେଷଣା କେନ୍ଦ୍ରର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର (ଡ.) ନିରଞ୍ଜନ ରାଉତ ମୁଖ୍ୟ ଅତିଥି, ପ୍ରଫେସର (ଡ.) ସୁମିତା ମହାନ୍ତି, ପ୍ରଫେସର (ଡ.) ଭାଗ୍ୟଲକ୍ଷ୍ମୀ ନାକୟ ସମ୍ମାନିତ ବାକ୍ତା ଭାବେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ସଭାପତି ଶ୍ରୀମତୀ ସୁବ୍ରତା ସାମଲ ସମସ୍ତଙ୍କୁ ସ୍ୱାଗତ କରିବା ସହିତ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ । ପ୍ରଫେସର (ଡ.) ଭାଗ୍ୟଲକ୍ଷ୍ମୀ ନାୟକ ଜରାୟୁ-ଦ୍ୱାର କର୍କଟ ରୋଗର ଲକ୍ଷଣ, କାରଣ ଏବଂ ଏହି ରୋଗରୁ ରକ୍ଷା ପାଇବା ପାଇଁ ନିରାକରଣ ଉପରେ ଆଲୋକପାତ କରିଥିଲେ । ଅନ୍ୟତମ ବକ୍ତା ପ୍ରଫେସର (ଡ.) ସୁମିତା ମହାନ୍ତି ପାଲିଆଟିଭ୍ କେୟାର ବା ଯନ୍ତ୍ରଣା ଓ ଉପଶମ ଚିକିତ୍ସା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ମୁଖ୍ୟ ଅତିଥି ପ୍ରଫେସର (ଡ.) ନିରଞ୍ଜନ ରାଉତ ଏହି ଦୂରାରୋଗ୍ୟରୁ ରକ୍ଷା ପାଇବା ପାଇଁ କି କି ସାବଧାନତା ଦରକାର ତାହା ଉପରେ ମତବ୍ୟକ୍ତ କରିଥିଲେ । ମହିଳାମାନଙ୍କର ବୈବାହିକ ଜୀବନ ପୂର୍ବରୁ ଭୂତାଣ ସଂକ୍ରମଣକୁ ରୋକିବା ପାଇଁ ଏଚ୍.ପି.ଭି. ଟୀକା ନେବା ଆବଶ୍ୟକ ବୋଲି ସେ କହିଥିଲେ । ସେ ମଧ୍ୟ ଜରାୟୁ କର୍କଟର ଲକ୍ଷଣ ପ୍ରକାଶ ପାଇବା ମାତ୍ରେ ପାପ୍ ପରୀକ୍ଷା କରାଇବା ପାଇଁ ମତ ରଖିଥିଲେ । ସର୍ବଶେଷରେ ସମସ୍ତେ ସଚେତନ ରହି ଝିଅମାନଙ୍କୁ ଏଚ୍.ପି.ଭି ଟୀକା ଓ ମା’ମାନଙ୍କୁ ନିୟମିତ ଭାବେ ପାପ୍ ପରୀକ୍ଷା ଦ୍ୱାରା ଏହି ଜରାୟୁ-ଦ୍ୱାର କର୍କଟ ରୋଗରୁ ସୁରକ୍ଷା ମିଳିପାରିବ ବୋଲି ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଇନରହୁଇଲ୍ ରୟାଲର ସମସ୍ତ ସଭ୍ୟା, ରୋଟାରିଆନ ତଥା ସି.ଡି.ଏ ଅଧ୍ୟକ୍ଷ ଅନିଲ କୁମାର ସାମଲ, ଅନ୍ୟ କ୍ଲବର ପ୍ରେସିଡ଼େଣ୍ଟ, ଡିଷ୍ଟ୍ରିକ୍ଟ ଇ.ଏସ୍.ଓ ଶ୍ରୀମତୀ ସନ୍ଧ୍ୟାରାଣୀ ମିଶ୍ର, ରୋଟାରାକ୍ଟରମାନେ ଓ ବିଭିନ୍ନ ବସ୍ତିର ମହିଳାମାନେ ଯୋଗ ଦେଇଥିଲେ । ପୂର୍ବତନ ସଭାପତି ଶ୍ରୀମତୀ ନିହାରିକା ମିଶ୍ର ସଭା ପରିଚାଳନା କରିଥିଲା ବେଳେ ପୂର୍ବତନ ସଭାପତି ଶ୍ରୀମତୀ ରଶ୍ମୀରେଖା ତ୍ରିପାଠୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶ୍ରୀମତୀ ସରୋଜିନୀ ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ । ସେକ୍ରେଟାରୀ କାଦମ୍ବିନୀ ରଥ ଓ ପୂର୍ବତନ ସଭାପତି ଶ୍ରୀମତୀ ଲୋପାମୁଦ୍ରା ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଏହି ଅବସରରେ କ୍ଲବ ତରଫରୁ ୨ଜଣ କ୍ୟାନ୍ସର ରୋଗୀଙ୍କୁ ୫ ହଜାର ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ପରିଶେଷରେ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ କ୍ୟାନ୍ସର ଇନ୍ଷ୍ଟିଚ୍ୟୁଟର ସୁବତ୍ର ତ୍ରିପାଠୀଙ୍କୁ ସମ୍ମାନିତ କରାଯାଇଥିଲା । ଶ୍ରୀମତୀ ଶ୍ରଦ୍ଧାଞ୍ଜଳୀ ଦାଶ ଉପସ୍ଥାନ ପାଠ କରିଥିଲେ । କାର୍ଯ୍ୟକ୍ରମଟି ଜରାୟୁ କର୍କଟ ଉପରେ ବେସ୍ ସଚେତନତା ସୃଷ୍ଟି କରିପାରିଥିଲା ।


