ପ୍ରେରଣା ପକ୍ଷରୁ ମେକ୍-ଇନ୍ ଓଡ଼ିଶା-୨୦୩୬ ପାଇଁ ସ୍ୱତନ୍ତ୍ର ଅଧିବେଶନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଶୁଭ ଶତବାର୍ଷିକୀ ୨୦୩୬ ମସିହାରେ ପାଳନ କରାଯିବ । ଏଥିପାଇଁ ସାମାଜିକ ଅନୁଷ୍ଠାନ ପ୍ରେରଣା ଗ୍ରୀନ୍ ଆର୍ମି ପକ୍ଷରୁ ମେକ୍ ଇନ୍ ଓଡ଼ିଶା-୨୦୩୬ ସୋମବାର ଦିନ ସ୍ଥାନୀୟ ଜୟଦେବ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଓଡ଼ିଶାକୁ ୨୦୩୬ ମସିହା ସୁଦ୍ଧା ବିଶ୍ୱର ସବୁଜ ରାଜଧାନୀରେ ପରିଣତ କରିବା ପାଇଁ ସଂକଳ୍ପ ନିଆଯାଇଥିଲା । ଏଥିରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ମୁଖ୍ୟ ଅତିଥି ରୂପେ ଯୋଗଦେଇ କହିଲେ ଯେ, ରାଜ୍ୟରେ ଥିବା ପ୍ରାୟ ୫୦ ହଜାର ସ୍କୁଲ୍ ପରିସରକୁ ସବୁଜ ସୁନ୍ଦର ଓ ପ୍ରଦୂଷଣମୁକ୍ତ କରାଯିବା ପାଇଁ ତାଙ୍କ ବିଭାଗ ପକ୍ଷରୁ ଉଦ୍ୟମ କରାଯିବ । ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ପ୍ରେରଣା ଗ୍ରୀନ୍ ଆର୍ମିର କମାଣ୍ଡାଣ୍ଟ ଇନ୍ ଚିଫ ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନ କହିଲେ ଯେ, ପ୍ରତିବର୍ଷ ଗଛ ଲଗାଇବା ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ଜଣେ ବ୍ୟକ୍ତିଙ୍କୁ ପ୍ରେରଣା ପକ୍ଷରୁ ୧ ଲକ୍ଷ ଟଙ୍କା ସହ ଗ୍ରୀନ୍ ମ୍ୟାନ୍ ଆୱାର୍ଡ ଦିଆଯାଉଛି । ଚଳିତବର୍ଷ ଠାରୁ ଭଲ ଗଛ ଲଗାଉଥିବା ସ୍କୁଲ୍କୁ ମଧ୍ୟ ପୁରସ୍କାର ଦିଆଯିବ ।ଏଥିରେ ବିଶିଷ୍ଟ ସ୍ତମ୍ଭକାର ଡ. ଭଗବାନ ପ୍ରକାଶ, ଓଡ଼ିଶା ରାଜ୍ୟ ପାଇକ ଆଖଡ଼ା ମହାସଂଘର ସଭାପତି ଡକ୍ଟର ପ୍ରକାଶ ଶ୍ରୀଚନ୍ଦନ ପ୍ରମୁଖ ଅତିଥି ରୂପେ ଯୋଗ ଦେଇ ବୃକ୍ଷରୋପଣ ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ବିଭିନ୍ନ ବିଶ୍ୱବିଦ୍ୟାଳୟ ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ସଂଯୋଜକ, କାର୍ଯ୍ୟକ୍ରମ ଅଧିକାରୀଙ୍କୁ ସମ୍ମାନିତ କରାଯାଇଥିଲା । ଏଥି ସହିତ ୧୦୦ଜଣ ଗ୍ରୀନ ଆର୍ମି କମାଣ୍ଡାଣ୍ଟ ଓ ୫ଜଣ ଗ୍ରୀନ ଆର୍ମି କ୍ୟାପଟେନଙ୍କୁ ବୃକ୍ଷ ରୋପଣ କ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ୱ ପାଇଁ ସମ୍ମାନିତ କରାଯାଇଥିଲା । ଶେଷରେ ଅନୁପମା ଚମ୍ପତ୍ତିରାୟ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି ଅବସରରେ ଉତ୍କଳ ଜନନୀର ସ୍ୱତନ୍ତ୍ର ଫଟୋଚିତ୍ରକୁ ମନ୍ତ୍ରୀ ଶ୍ରୀ ଦାଶ ଉନ୍ମୋଚନ କରିଥିଲେ । ଏହି ଫଟୋଚିତ୍ରକୁ ଆଙ୍କିଛନ୍ତି ବିଶିଷ୍ଟ ଚିତ୍ରଶିଳ୍ପୀ ଶ୍ରୀ ବଳଦେବ ମହାରଣା ।


