ଇନ୍ଦାଗଡ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ
ଭଞ୍ଜନଗର – ବୁଧବାର ଦିନ ଭଞ୍ଜନଗର ବ୍ଳକ ଡୁମାକୁମ୍ପା କ୍ଳଷ୍ଟର ଅନ୍ତର୍ଗତ ଇନ୍ଦାଗଡ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ଶ୍ରୀମତୀ ଲବଙ୍ଗ ଲତା ବେହେରା ସଭାପତିତ୍ବ କରିଥିବାବେଳେ ସରପଞ୍ଚ ଶ୍ରୀମତୀ କୁଞ୍ଜଲତା ପ୍ରଧାନ ମୁଖ୍ୟ ଅତିଥି ଓ ସମିତିସଭ୍ୟ ଟୁକୁନା ସାହୁ ସମ୍ମାନିତ ଅତିଥି ଓ ସି.ଆର୍.ସି.ସି ଶ୍ରୀ ତ୍ରିନାଥ ବେହେରା ମୁଖ୍ୟବକ୍ତା ରୂପେ ଯୋଗ ଦେଇଥିଲେ । ପ୍ରଧାନଶିକ୍ଷକ ଶ୍ରୀ ହାଡୁବନ୍ଧୁ ନାୟକ ବାର୍ଷିକ ବିବରଣୀ ପଠନ କରିଥିଲେ । ସି.ଆର୍.ସି.ସି ତ୍ରିନାଥ ବେହେରା ବିଦ୍ୟାଳୟକୁ ଶିଶୁ ପ୍ରିୟ କରିବା ପାଇଁ ତଥା ଅଭିଭାବକ ଓ ଗ୍ରାମବାସୀଙ୍କ ସମ୍ମୁଖରେ ବିଦ୍ୟାଳୟର ବର୍ଷକ ର ଘଟଣା କ୍ରମ କୁ ଉପସ୍ଥାପନ କରି ସେମାନଙ୍କ ସହଯୋଗରେ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ନିମିତ୍ତ ବାର୍ଷିକ ଉତ୍ସବର ଆବଶ୍ୟକତା କୁ ବ୍ୟାଖ୍ୟା କରିବାପରେ ବିଦ୍ୟାଳୟର ମୋ ସ୍କୁଲ ଅଭିଯାନ ଫଣ୍ଡକୁ ସମସ୍ତେ ଦାନ କରି ବିଦ୍ୟାଳୟର ଉନ୍ନତି ରେ ଅଂଶୀଦାର ହେବାକୁ ସି.ଆର୍.ସି.ସି ଶ୍ରୀ ବେହେରା ଅନୁରୋଧ କରିଥିଲେ । ସମ୍ମାନିତ ଅତିଥି ରୂପେ ପୂର୍ବତନ ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ଶ୍ରୀ ହର୍ଷ ବେହେରା ,ବାଉଁଶଲୁଣ୍ଡି ସି.ଆର୍.ସି.ସି ଶ୍ରୀ ସନ୍ତୋଷ କୁମାର ସାହୁ, ଗୋଲାପଡା ସି.ଆର୍.ସି.ସି ଶ୍ରୀ ଦେବୀ ପ୍ରସାଦ ଦାଶ ପ୍ରମୁଖ ମଞ୍ଚାସୀନ ଥିଲେ । ସମସ୍ତ ଅତିଥିଙ୍କୁ ଏହି ଅବସରରେ ଉପଢୌକନ ପ୍ରଦାନ କରି ବିଦ୍ୟାଳୟ ତରଫରୁ ସମ୍ବର୍ଧନା ଦିଆଯାଇଥିଲା । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର କୃତୀ ଶିକ୍ଷାର୍ଥୀ ଓ ପ୍ରତି ଶ୍ରେଣୀର ବେଷ୍ଟ ଷ୍ଟୁଡେଣ୍ଟଙ୍କୁ ପ୍ରମାଣ ପତ୍ର ସହ ପୁରସ୍କୃତ କରାଯାଇଥିଲା । ବିଦ୍ୟାଳୟର ଶିକ୍ଷକ ବଂଶୀଧର ଦଣ୍ଡିଆ ଙ୍କ ନେତୃତ୍ବରେ ଶିକ୍ଷାର୍ଥୀମାନଙ୍କ ବଳିଷ୍ଠ ଅଭିନୟରେ କ୍ଷୁଦ୍ର ନାଟକ “ମାଳତୀ ମାଆର ଦୁଃଖ ସରିଲା “ପରିବେଷଣ ହେବା ସହ ଜନାଦୃତ ଲାଭ କରିଥିଲା । ଶିକ୍ଷକ ସନ୍ତୋଷ କୁମାର ରଥ,ସନ୍ତୋଷ ବେହେରା ,ଶିକ୍ଷୟତ୍ରୀ ସବିତା ବେହେରା ,ନମିତା କୁମାରୀ ପୃଷ୍ଟି ଙ୍କ ସମେତ ସମସ୍ତ ଗ୍ରାମବାସୀ,ଅଭିଭାବକ ଏହି କାର୍ୟ୍ୟକ୍ରମରେ ସହାୟତା କରିଥିଲେ ଓ ଉପସ୍ଥିତ ଅତିଥି,ଗ୍ରାମବାସୀ ବିଦ୍ୟାଳୟର ମୋ ସ୍କୁଲ ଫଣ୍ଡକୁ ସାତ ହଜାର ଟଙ୍କା ଦାନ କରିଥିଲେ । ଶେଷରେ ବରିଷ୍ଠ ଶିକ୍ଷକ ସିଦ୍ଧାର୍ଥ କୁମାର ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ ।


