ଇପିଏଫଓ ପେନସନଭୋଗୀଙ୍କ ପାଇଁ ଜୀବନ ପ୍ରମାଣ ପତ୍ର ଦାଖଲ କରିବାର ଅନ୍ତିମ ତାରିଖ ୨୮ ଫେବୃଆରୀ ୨୦୨୧ ପର୍ଯ୍ୟନ୍ତ ଘୁଞ୍ଚିଲା
ନୂଆଦିଲ୍ଲୀ: ବର୍ତ୍ତମାନର କୋଭିଡ-୧୯ ମହାମାରୀ ଏବଂ ବୟସ୍କ ଜନସଂଖ୍ୟାଙ୍କ ପ୍ରତି କରୋନା ଭୂତାଣୁର ଅଧିକ ସଂକ୍ରମଣ ଆଶଙ୍କାକୁ ଆଖି ଆଗରେ ରଖି କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫଓ) ପକ୍ଷରୁ ଜୀବନ ପ୍ରମାଣପତ୍ର ଦାଖଲ କରିବାର ଅନ୍ତିମ ତାରିଖକୁ ୨୮ ଫେବୃଆରୀ ୨୦୨୧ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଇପିଏସ ୧୯୯୫ ଅନ୍ତର୍ଗତ ପେନସନ ଉଠାଉଥିବା ତଥା ଯେଉଁମାନଙ୍କର ଫେବୃଆରୀ ୨୮, ୨୦୨୧ ସୁଦ୍ଧା ଜୀବନ ପ୍ରମାଣପତ୍ରର ଅବଧି ଶେଷ ହେଉଛି ସେମାନଙ୍କୁ ଏହି ସୁବିଧା ମିଳିପାରିବ। ବର୍ତ୍ତମାନ ପେନସନ ଭୋଗୀ ମାନେ ବର୍ଷର ୩୦ ନଭେମ୍ବର ସୁଦ୍ଧା ଯେକୌଣସି ସମୟରେ ଜୀବନ ପ୍ରମାଣପତ୍ର ଦାଖଲ କରିବାର ସୁବିଧା ପାଇପାରୁଛନ୍ତି, ଯାହାକି ଜାରି କରାଯିବାର ଏକ ବର୍ଷ ଅବଧି ପର୍ଯ୍ୟନ୍ତ ବୈଧ ରହିବ । ଏପରି ସମସ୍ତ ପେନସନ ଭୋଗୀ ମାନେ ଫେବୃଆରୀ ୨୮, ୨୦୨୧ ସୁଦ୍ଧା ସେମାନଙ୍କ ଜୀବନ ପ୍ରମାଣପତ୍ର ଦାଖଲ କରିପାରିବେ। ଜୀବନ ପ୍ରମାଣ ପତ୍ର ଦାଖଲ ପାଇଁ ବିଭିନ୍ନ ପ୍ରକାର ମାଧ୍ୟମ ରହିଛି । ୩.୬୫ ଲକ୍ଷ ଜନ ସେବା କେନ୍ଦ୍ର (ସିଏସସିଏସ), ପେନସନ ବିତରଣ କରୁଥିବା ବ୍ୟାଙ୍କ ଶାଖା, ଡାକ ବିଭାଗ ଅଧୀନରେ ଆସୁଥିବା ୧.୩୬ ଲକ୍ଷ ଡାକ ଘର, ୧.୯୦ ଲକ୍ଷ ପୋଷ୍ଟ ମ୍ୟାନ ଏବଂ ଗ୍ରାମୀଣ ଡାକ ସେବକଙ୍କ ମାଧ୍ୟମରେ ଏହା ଦାଖଲ କରାଯାଇପାରିବ । ନିକଟସ୍ଥ ସିଏସସିକୁ ଠାବ କରିବା ଲାଗି ପେନସନଭୋଗୀମାନେ ((https://locator.csccloud.in/) ଲିଙ୍କ ବ୍ୟବହାର କରିପାରିବେ। ସେହିପରି ନିଜ ସୁବିଧା ଅନୁସାରେ, ଯେକୌଣସି ସ୍ଥାନରୁ କିମ୍ବା ସେମାନଙ୍କ ଘର ପାଖରେ ଡାକ ଘର ମାଧ୍ୟମରେ ଜୀବନପ୍ରମାଣପତ୍ର ଦାଖଲ କରିବା ଲାଗି (http://ccc.cept.gov.in/covid/request.aspx) ଲିଙ୍କକୁ ବ୍ୟବହାର କରାଯାଇପାରିବ । କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ, ସନ୍ତୋଷ ଗଙ୍ଗୱାର ପେନସନଭୋଗୀଙ୍କ କଲ୍ୟାଣ ପାଇଁ ଇପିଏଫଓ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପକୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ବିଭିନ୍ନ ପ୍ରକ୍ରିୟାକୁ ସରଳୀକରଣ କରି ଏହି ସଂଗଠନ ଡିଜିଟାଲ ଇଣ୍ଡିଆ ଡ୍ରାଇଭକୁ ବଡ଼ ପ୍ରୋତ୍ସାହନ ପ୍ରଦାନ କରିଛି । ସେହିପରି ଇପିଏଫଓ ପକ୍ଷରୁ ୨୮ ଫେବୃଆରୀ ୨୦୨୧ ପର୍ଯ୍ୟନ୍ତ ଜୀବନ ପ୍ରମାଣପତ୍ର ଦାଖଲ ଅବଧିକୁ ବଢ଼ାଇ ଦିଆଯାଇଛି । ଏହାଦ୍ୱାରା ୩୫ ଲକ୍ଷ ପେନସନଭୋଗୀ ଉପକୃତ ହୋଇପାରିବେ । ଶ୍ରୀ ଗଙ୍ଗୱାର ଆହୁରି କହିଥିଲେ ଯେ , ନଭେମ୍ବର ୨୦୨୦ ସୁଦ୍ଧା ଯେଉଁ ପେନସନଭୋଗୀମାନେ ଜୀବନପ୍ରମାଣପତ୍ର ଦାଖଲ କରିପାରିନାହାନ୍ତି ସେମାନଙ୍କ ଲାଗି ଏହି ପରିବର୍ଦ୍ଧିତ ଅବଧି ମଧ୍ୟରେ ପେନସନ ବନ୍ଦ ହେବ ନାହିଁ ।


