ଉଠାଦୋକାନୀ ଆଇନ ମାନୁନାହାଁନ୍ତି

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡ଼ିଶା ଉଠାଦୋକାନୀ ମହାସଂଘର ବହୁ ଆନ୍ଦୋଳନ ଫଳରେ ରାଜ୍ୟ ସରକାର ଉଠାଦୋକାନୀ ମାନଙ୍କୁ ଥଇଥାନ କରିବା ପାଇଁ ଏକ ଭଲ ଯୋଜନା କରିଥିଲେ । ଗତ କିଛିଦିନ ତଳେ ଭୁବନେଶ୍ୱର ମହାନଗର ନିଗମ ତରଫରୁ କସମପଲ୍ଲୀ ଛକଠାରେ ଏକ ଭେଣ୍ଡିଂଜୋନରେ ୪୨ଟି ଦୋକାନ ତିଆରି କରାଯାଇଥିଲା । ଏହି ଦୋକାନଗୁଡ଼ିକୁ ମାନ୍ୟବର ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଏମ୍‌ସି ମେୟର, କମିଶନର ପ୍ରମୁଖ ଉଦ୍‌ଘାଟନ କରିଥିଲେ । ଉଠାଦୋକାନୀ ଆଇନ ଅନୁଯାୟୀ ସେହି ଦୋକାନଗୁଡ଼ିକୁ କସମପଲ୍ଲୀ ଛକରେ ଉଚ୍ଛେଦ ହୋଇଥିବା ଦୋକାନୀମାନଙ୍କୁ ବଣ୍ଟନ କରାଯିବା କଥା । କିନ୍ତୁ ବଡ଼ ଦୁଃଖ ଓ ପରିତାପର ବିଷୟ ଭୁବନେଶ୍ୱର ମହାନଗର ନିଗମ ଏବଂ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ମିଳିତ ସହଯୋଗରେ ଉଚ୍ଛେଦ ହୋଇଥିବା ଦୋକାନୀମାନଙ୍କୁ ସେହି ଭେଣ୍ଡିଂଜୋନରେ ଥଇଥାନ କରାନଯାଇ କିଛି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ପ୍ରଦାନ କରାଯାଇଛି । ଏଠାରେ ପ୍ରଶ୍ନ ଉଠେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ମୁକ୍ତା ଯୋଜନାରେ ଉଠାଦୋକାନୀମାନଙ୍କ ଥଇଥାନ ପାଇଁ ୬୦ କୋଟି ଟଙ୍କା ମଞ୍ଜୁର କରିଥିବା ବେଳେ ପ୍ରକୃତ ହିତାଧିକାରୀମାନଙ୍କୁ ଦିଆନଯାଇ ଅନ୍ୟମାନଙ୍କୁ ଦିଆଯାଇଅଛି । ଫଳରେ କସମପଲ୍ଲୀର ସ୍ଥାନୀୟ ଦୋକାନୀମାନେ ମର୍ମାହତ ହୋଇଛନ୍ତି । ଓଡ଼ିଶା ଉଠାଦୋକାନୀ ମହାସଂଘ ଏସ୍‌ଏଚ୍‌ଜି ମହିଳାମାନଙ୍କୁ ବିରୋଧ କରୁନାହିଁ, ସେମାନେ ବି ରୋଜଗାର କରନ୍ତୁ । କିନ୍ତୁ ଏସ୍‌ଏଚ୍‌ଜିମାନଙ୍କ ପାଇଁ ରାଜ୍ୟ ସରକାର ମିଶନ ଶକ୍ତି ମାଧ୍ୟମରେ ବହୁ ଯୋଜନା କରିଛନ୍ତି । ସେମାନଙ୍କ ଯୋଜନାରୁ କେହି ବିରୋଧ କରୁନାହାଁନ୍ତି । କିନ୍ତୁ ଉଠାଦୋକାନୀମାନଙ୍କ ପାଇଁ ଉଦ୍ଦିଷ୍ଟ ଯୋଜାନକୁ ଅନ୍ୟମାନଙ୍କୁ ଦେବା ଦୁଃଖଦାୟକ କଥା । ତେଣୁ ସର୍ବଭାରତୀୟ ମହିଳା ଉଠାଦୋକାନୀ ମହାସଂଘ ଓ ଓଡ଼ିଶା ଉଠାଦୋକାନୀ ମହାସଂଘ ତରଫରୁ ରାଜ୍ୟ ସରକାର ଓ ଭୁବନେଶ୍ୱର ମହାନଗରର ନିଗମକୁ ଅନୁରୋଧ କରାଯାଉଛି କି, ଭବିଷ୍ୟତରେ ଏହିଭଳି କାର୍ଯ୍ୟରୁ ନିବୃତ୍ତ ରହୁନ୍ତୁ । ଯଦି ଆଇନ ଅନୁଯାୟୀ ବିଏମ୍‌ସି କମିଶନର, ସହରାଞ୍ଚଳ ବିକାଶ ବିଭାଗ କାର୍ଯ୍ୟ ନକରନ୍ତି, ତେବେ ମହାସଂଘ ବାଧ୍ୟ ହୋଇ ଆଇନକୁ ହାତମୁଠାକୁ ନେବା ସହ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବ ଏବଂ ବିଏମ୍‌ସିର ଆଇନ ଖିଲାପକାରୀ ଅଧିକାରୀଙ୍କ ବିରୁଦ୍ଧରେ ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନିଆଯିବ । ମହାସଂଘର ରାଜ୍ୟ ସଭାପତି ପ୍ରତାପ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ସମ୍ପାଦକ ଅନୁଜ ପ୍ରଧାନ, ମହିଳା ଉଠାଦୋକାନୀ ଆବାହିକା ଶୁଭଲକ୍ଷ୍ମୀ ମହାନ୍ତି, ଅନୁ ମିଶ୍ର, ଗୋଲାପୀ ବୈରୀଗଞ୍ଜନ, ମଧୁସ୍ମିତା ରାଉତ, ସସ୍ମିତା ସାହୁ, ସାବିତ୍ରୀ ସାହୁ, ରମାମଣୀ ସାହୁ, କଳ୍ପନା ପଟ୍ଟନାୟକ ଓ ଲକ୍ଷ୍ମୀପ୍ରିୟା ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ । ମହାସଂଘର ଦାବି ମୁକ୍ତା ଯୋଜନା ମାଧ୍ୟମରେ ଗଠନ କରାଯାଉଥିବା ଭେଣ୍ଡିଂଜୋନ ଗୁଡ଼ିକୁ ଉଠାଦୋକାନୀ ମାନଙ୍କୁ ପ୍ରଦାନ କରାଯାଉ, ଯେଉଁ ଅଞ୍ଚଳରେ ଭେଣ୍ଡିଂଜୋନ ତିଆରି କରାଯାଉଅଛି, ସେହି ଅଞ୍ଚଳରେ ଉଚ୍ଛେଦ ଉଠାଦୋକାନୀମାନଙ୍କୁ ଭେଣ୍ଡିଂଜୋନ ମାଧ୍ୟମରେ ଥଇଥାନ କରାଯାଉ, ଯେଉଁ ଅଞ୍ଚଳରେ ଭେଣ୍ଡିଂଜୋନ ତିଆରି କରାଯାଉଛି, ସେ ଅଞ୍ଚଳରେ ଥିବା ମହିଳା ଉଠାଦୋକାନୀମାନଙ୍କୁ ପ୍ରଥମେ ଅଗ୍ରାଧିକାର ଦିଆଯାଉ । ଯଦି ସରକାରୀ କର୍ମଚାରୀମାନେ ଆଇନ ନମାନି ବେନିୟମ କାର୍ଯ୍ୟ କରନ୍ତି, ତେବେ ମହାସଂଘ ଆଇନକୁ ହାତକୁ ନେବା ସହ ଆସନ୍ତା ୨୭ ତାରିଖରେ ମହାସଂଘ ପିଲାଛୁଆ ସହ ବିଏମ୍‌ସି କାର୍ଯ୍ୟାଳାୟ ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଧାରଣାରେ ବସିବୁ ବୋଲି ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ