ମାର୍କେଟ ବିଲ୍ଡ଼ିଙ୍ଗରେ ଉଚ୍ଛେଦ ସମୟରେ ଉତ୍ତେଜନା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସୋମବାର ଦିନ ୧୧ ଘଟିକା ସମୟରେ ବିଏମ୍ସି, ବିଡ଼ିଏ, ଜିଏ ଏବଂ ପୋଲିସ୍ର ମିଳିତ ଉଚ୍ଛେଦକାରୀ ଦଳ ଆସି ୟୁନିଟ୍-୨ସ୍ଥିତ ମାର୍କେଟ ବିଲ୍ଡିଙ୍ଗ ପାଖରେ ଜୋତା ପଲିସ୍ କରୁଥିବା ଦୋକାନ ଗୁଡ଼ିକୁ ଭାଙ୍ଗିବା ଆରମ୍ଭ କରିଥିଲେ । ଉଚ୍ଛେଦ ସମୟରେ ଜଣେ ଦୋକାନୀ ଉଠାଦୋକାନୀ ଉଚ୍ଚ ନ୍ୟାୟାଳୟର ଆଦେଶକୁ ଦେଖାଇବାରୁ ବିଏମ୍ସି ଅଧିକାରୀ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ଆଦେଶକୁ ଫୋପାଡ଼ି ଦେବା ସହ ଦୋକାନ ଉଚ୍ଛେଦ କରିବା ପାଇଁ ଆମ୍ଭଙ୍କୁ ବିଏମ୍ସି କମିଶନର କହିଛନ୍ତି ବୋଲି ପ୍ରକାଶ କରିଥିଲେ ଏବଂ ଅଧିକାରୀ ଜଣକ ଡ୍ରୋଜର ଚଲାଉଥିବା ବ୍ୟକ୍ତିଙ୍କୁ ଦୋକାନ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସେହି ସମୟରେ ବହୁ ମହିଳା ଉଠାଦୋକାନୀ ଆଇନକୁ ମାନୁନଥିବା ଅଧିକାରୀଙ୍କୁ ବିରୋଧ କରିଥିଲେ । କିନ୍ତୁ ବିଡ଼ିଏ ଗାଡ଼ିରେ ଆସିଥିବା ଜଣେ ଅଧିକାରୀ ମହିଳା ଉଠାଦୋକାନୀମାନଙ୍କୁ ଯାଅ ବାବୁ ଘରେ ବାସନ ମାଜିବ, ‘ମହିଳାମାନେ ଭାରି ଅଳିଆ’ ବୋଲି କହି ଇଙ୍ଗିତ କରିଥିଲେ । ସେହି ସମୟରେ ଓଡ଼ିଶା ଉଠାଦୋକାନୀ ମହାସଂଘର ମହିଳା ଦୋକାନୀମାନେ ପ୍ରତିବାଦ କରିବାରୁ ସେ ଅଫିସର ମହିଳା ଦୋକାନୀମାନଙ୍କୁ ଦେଖିଦେବେ ବୋଲି ପୋଲିସ୍ ସମ୍ମୁଖରେ ଧମକ ଦେବାରୁ ସେଠାରେ କିଛି ସମୟ ପାଇଁ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ମହାସଂଘର ରାଜ୍ୟ ସଭାପତି ପ୍ରତାପ ସାହୁ ସେଠାରେ ପହଞ୍ôଚ ବିଏମ୍ସି ଓ ବିଡ଼ିଏ ଅଧିକାରୀଙ୍କୁ କିଏ ଆପଣଙ୍କୁ ନିର୍ଦ୍ଦେଶ ଦେଇ ଦୋକାନ ଉଚ୍ଛେଦ କରିବାକୁ ବୋଲି ପଚାରିବାରୁ ବିଏମ୍ସି ଅଧିକାରୀମାନେ ଆମକୁ ଯିଏ ଦେଉଛି ଦେଉ, ଆମେ କିନ୍ତୁ ଦୋକାନ ଉଚ୍ଛେଦ କରିବୁ ବୋଲି କହିବାରୁ ପରିସ୍ଥିତି ଜଟିଳ ହୋଇପଡ଼ିଥିଲା ।କିନ୍ତୁ ବଡ଼ ଦୁଃଖର ବିଷୟ ଯେ, ଭାଙ୍ଗିବାକୁ ଆସୁଥିବା ଉଚ୍ଛେଦକାରୀ ଦଳ ସଦାସର୍ବଦା ଦୋକାନୀମାନଙ୍କୁ ଦୁର୍ବ୍ୟବହାର କରିବା, ଜିନିଷପତ୍ର ନେଇଯିବା, ଫିଙ୍ଗି ଫୋପାଡ଼ିବା, ଟ୍ରଲି ଭାଙ୍ଗିଦେବା ଯାହା ସମ୍ବିଧାନ ବିରୋଧୀ କାର୍ଯ୍ୟ କରିବା ପାଇଁ କିଏ ସେମାନଙ୍କୁ ନିର୍ଦ୍ଦେଶ ଦେଉଛି ତାହା ତଦନ୍ତ ସାପେକ୍ଷ ହେବା ଦରକାର । ରାଜ୍ୟ ସରକାର ଯଦି ୨୪ ଘଣ୍ଟା ଭିତରେ ମହିଳା ଉଠାଦୋକାନୀ ମାନଙ୍କୁ ଦୁର୍ବ୍ୟବହାର କରିଥିବା ବିଏମ୍ସି, ବିଡ଼ିଏ କର୍ମଚାରୀମାନଙ୍କୁ ଗିରଫ ନକରନ୍ତି, ତେବେ ହଜାର ହଜାର ଉଠାଦୋକାନୀ ବିଏମ୍ସି କମିଶନର ଓ ମେୟରଙ୍କ ବାସଭବନ ଆଗରେ ଅହୋରାତ୍ର ଧାରଣା ଦେବେ ବୋଲି ମହାସଂଘର ସଭାପତି ପ୍ରତାପ କୁମାର ସାହୁ ଚେତାବନୀ ଦେଇଛନ୍ତି ।


