ଉଠା ଜଳସେଚନ ପ୍ରକଳ୍ପ ଅଚଳ: ପାଣି ପାଇଁ ଚାଷୀ ହତାଶ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ତହସିଲ ଅଧିନ ବରୁଣଗଢ଼ିଆ ମୌଜାରେ ଥିବା ଏକମାତ୍ର ଉଠା ଜଳସେଚନ ପ୍ରକଳ୍ପ ଦୀର୍ଘ ବର୍ଷ ହେବ ଅଚଳ ହୋଇ ପଡ଼ି ଥିବାରୁ ଚାଷ ଜମିକୁ ଜଳ ଯୋଗାଣ ନେଇ ସମସ୍ୟା ଦେଖାଯାଇଛି । ପ୍ରକାଶ ଯେ, ବରୁଣଗଢ଼ିଆ ମୌଜା ଅଧିନରେ ପୋଡ଼ାପାଟଣା, ଟିଲୋ, ଶାଳକଣିଆ, ଭୁବନେଶ୍ୱରପୁର ଶାସନ ଆଦି ଗ୍ରାମର ଚାଷୀ ମାନଙ୍କର ଜମି ରହିଛି । ଏଠାରେ ମୁଖ୍ୟ ଫସଲ ଭାବେ ଲୋକମାନେ ଧାନଚାଷ ଉପରେ ନିର୍ଭର କରି ଚଳନ୍ତି । ହଦଗଡ଼ସ୍ଥିତ ସାଳନ୍ଦୀ ଜଳସେଚନ ପ୍ରକଳ୍ପର ମୁଖ୍ୟ କେନାଲରୁ ବାହାରି ଥିବା ଶାଖା କେନାଲର ଜଳ ଏହି ଅଞ୍ଚଳର ଜମିରେ ମାଡ଼ିପାରେ ନାହିଁ । ବର୍ଷା ଜଳ ହିଁ ଧାନ ଚାଷ ପାଇଁ ଏକମାତ୍ର ଭରସା ହୋଇଥାଏ । ଠିକ୍ ସମୟରେ ବର୍ଷା ନହେଲେ ଗଜା ମରୁଡ଼ି ଓ ଫସଲହାନୀ ହେବା ଭଳି ପରିସ୍ଥିତି ସୃଷ୍ଟି ହୋଇଥାଏ । ସାଂପ୍ରତିକ ଜଳ ସମସ୍ୟା ଓ ଚାଷୀମାନଙ୍କ ଦାବୀକୁ ଗୁରୁତ୍ୱ ଦେଇ ପ୍ରାୟ ୫ ବର୍ଷ ତଳେ ସରକାରଙ୍କ ପକ୍ଷରୁ ଏକ ଉଠା ଜଳସେଚନ ପ୍ରକଳ୍ପ ସଂପୃକ୍ତ ଅଞ୍ଚଳରେ ନିର୍ମାଣ କରାଯାଇଥିଲା । ଉକ୍ତ ଜଳ ସେଚନ ପ୍ରକଳ୍ପକୁ ବନ୍ତ ବିଦ୍ୟୁତ ବିଭାଗ ପକ୍ଷରୁ ବିଦ୍ୟୁତ ଯୋଗାଣ ହୋଇଥିଲା । ଉକ୍ତ ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ପରେ ଚାଷୀ ମାନେ ଖରିଫ ଓ ରବି ଧାନ ଚାଷ କରିବା ପାଇଁ ସକ୍ଷମ ହୋଇଥିଲେ । ମାତ୍ର ନିର୍ମାଣର ଦେଢ଼ ବର୍ଷ ପରେ ଉକ୍ତ ପ୍ରକଳ୍ପ ଅଚଳ ହୋଇଯାଇଥିଲା । ବଜ୍ରପାତ ଯୋଗୁ ବିଦ୍ୟୁତ୍ ଯନ୍ତ୍ରାଂଶ ଗୁଡିକ ନଷ୍ଟ ହୋଇଯାଇଥିଲା । ଏହାକୁ ମରାମତି କରି ସଚଳ କରିବାକୁ କେହି ପଦକ୍ଷେପ ନେଇନଥିଲେ । ପ୍ରାୟ ସାଢ଼େ ତିନି ବର୍ଷରୁ ଊର୍ଦ୍ଧ୍ୱ କାଳ ଏହା ଅଚଳ ହୋଇପଡିବାରୁ ତାହା ଚାଷୀମାନଙ୍କ ଆବଶ୍ୟକତାକୁ ପୂରଣ କରିପାରୁ ନାହିଁ । ପ୍ରାୟ ୨୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ବିନିମୟରେ ନିର୍ମିତ ଏହି ପ୍ରକଳ୍ପ ବିଦ୍ୟୁତ ଯୋଗାଣ ଅଭାବରୁ ଖତ ଖାଉଛି । ଦୀର୍ଘ ବର୍ଷ ଧରି ବିଭାଗୀୟ ଅବହେଳା ଯୋଗୁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି । ଜିଲାପାଳ, ଉଠା ଜଳସେଚନ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ, ବିଦ୍ୟୁତ୍ ବିଭାଗର ଉଚ୍ଚ ଅଧିକାରୀ ମାନେ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ପୋଡ଼ାପାଟଣା ଗ୍ରାମର ଗୋବିନ୍ଦ ଚନ୍ଦ୍ର ସାହୁ, ବିଷ୍ଣୁ ଚରଣ ବାରିକ, ହରିହର ଓଝା, ପ୍ରଶାନ୍ତ ବେହେରା ଦାବୀ କରିଛନ୍ତି । ସେହିଭଳି ଛୟାଳସିଂହ, ଗଣିଜାଙ୍ଗ, ରାମକୃଷ୍ଣପୁର ଆଦି ପଞ୍ଚାୟତରେ ଏଭଳି ସମସ୍ୟା ଦେଖିବାକୁ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ