ଉପେନ୍ଦ୍ରଙ୍କ ମୁହଁରେ କେବେ ଫୁଟିବ ହସ କିଡନୀ ରୋଗରେ ଭୋଗୁଛନ୍ତି ଯନ୍ତ୍ରଣା I

ବେଲଗୁଣ୍ଠା,(ଶିବରାମ ଚୌଧୁରୀ): କୁହାଯାଏ ଦୁଃଖି ଲୋକ ପାଖକୁ ଦୁଃଖର ରାସ୍ତା ସର୍ବଦା ଖୋଲା ଥାଏ I ଯେଉଁ ବୟସରେ ଭେଣ୍ଡିଆ ପୁଅ ରୋଜଗାର କରି ନିଜ ବାପା ମାଆ ଏବଂ ସ୍ତ୍ରୀ ପିଲାଙ୍କ ବୋଝ ଉଠାଇ ଥାଆନ୍ତା ସେହି ବୟସରେ ଯଦି ସେ ପରିବାର ପାଇଁ ବୋଝ ପାଲଟି ଯାଏ ତେବେ ତାର ଦୁଃଖର ବୋଝ ଯେ କେତେ ଓଜନିଆ ହୋଇଥିବ ତାହା ଜଣେ ଅତି ନିକଟରୁ ଦେଖିଲେ ହିଁ ଅନୁଭବ କରିପାରିବ I ଘଟଣା ହେଉଛି ବେଲଗୁଣ୍ଠା ବ୍ଲକ୍ କ୍ଷତ୍ରୀୟବରପୁର ପଂଚାୟତ ଅନ୍ତର୍ଗତ ବାଘୁଆପଲ୍ଲୀ ଗ୍ରାମର ବିଶ୍ଵନାଥ ଗୌଡ଼ାଙ୍କ ପୁଅ ଉପେନ୍ଦ୍ର ଗୌଡ଼ଙ୍କ ଯନ୍ତ୍ରଣା ଭରା କାହାଣୀ Iବାଘୁଆପଲ୍ଲୀ ଗ୍ରାମର ଉପେନ୍ଦ୍ର ପୂର୍ବରୁ ବାଙ୍ଗାଲୁର, ସୁରତ୍ ପ୍ରଭୃତି ଅଞ୍ଚଳରେ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରି ନିଜର ବୃଦ୍ଧ ବାପା ମାଆ, ସ୍ତ୍ରୀ ଏବଂ ଦୁଇ ପୁଅ ଝିଅଙ୍କୁ ସୁଖେ ଦୁଃଖେ ପ୍ରତିପୋଷଣ କରି ଆସୁଥିଲା I କିନ୍ତୁ ଦଇବ ଦାଉ ସାଧିଲା ଉପେନ୍ଦ୍ରଙ୍କ ଉପରେ I ହଠାତ୍ ଉପେନ୍ଦ୍ରଙ୍କ ଶରୀର ଅସୁସ୍ଥ ହୋଇ ପଡ଼ିବାରୁ ସେ ଡ଼ାକ୍ତରଖାନାରେ ପରୀକ୍ଷା କରାଇ ଯାହା ଜାଣିଲେ ସେଥିରେ ସେ ନିରାଶାରେ ଭାଙ୍ଗି ପଡିବା ଛଡା ଅନ୍ୟ କୌଣସି ରାସ୍ତା ନଥିଲା I ପରୀକ୍ଷାରୁ ଜଣା ପଡ଼ିଥିଲା ଯେ ତାଙ୍କର ଦୁଇଟି ଯାକ କିଡନୀ ନଷ୍ଟ ହୋଇଯାଇଛି I ଏହାପରେ ସେ ଗାଆଁକୁ ଫେରି ଆସି କଟକ ବଡ଼ ମେଡ଼ିକାଲରେ ନିଜର ଚିକିତ୍ସା ଆରମ୍ଭ କରିଥିଲେ I କିନ୍ତୁ ଧିରେ ଧିରେ ଉପେନ୍ଦ୍ରଙ୍କ ରୋଗ ବଢିବା ସହିତ ଚିକିତ୍ସା ଖର୍ଚ୍ଚ ଏବଂ ପରିବାର ପ୍ରତିପୋଷଣ ପାଇଁ ନିଜ ପୈତୃକ ଜମିବାଡି,ସୁନା ରୂପା ଅଳଙ୍କାର ବିକ୍ରି କରିବା ସହ ବର୍ତ୍ତମାନ ଶଯ୍ୟାରେ ପଡି ରହି ନିର୍ବାକ ହୋଇଯାଇଛନ୍ତି I ରୋଗୀଣା ବୃଦ୍ଧ ବାପା ମାଆ ଉପେନ୍ଦ୍ରଙ୍କ ପାଖରେ ବସି ପୁଅର ଯନ୍ତ୍ରଣାକୁ ଦେଖି ଲୁହ ଗଡ଼ାଉଛନ୍ତି I ସ୍ତ୍ରୀ ଏବଂ ଦୁଇ ଛୋଟ ଛୁଆଙ୍କ ଦୁଃଖ କଥା ତ ନ କହିବା ଭଲ I ଏନେଇ ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରକାଶ ହେଲାପରେ କିଛି ସ୍ଵେଚ୍ଛାସେବୀ ସଂଗଠନ ଉପେନ୍ଦ୍ରଙ୍କୁ ସହାୟତାର ହାତ ବଢାଇଥିଲେ ମଧ୍ଯ ତାହା ସମୂଦ୍ରକୁ ଶଙ୍ଖେ ପାଣି ଭଳି I ପୂର୍ବରୁ ଉପେନ୍ଦ୍ର ଡାଏଲେସିସ୍ ପାଇଁ କଟକ ଯାଉଥିବା ବେଳେ ରେସ୍ପଣ୍ଡ୍ ଟ୍ରଷ୍ଟ୍ ର ସହାୟତାରେ ବର୍ତ୍ତମାନ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଉପେନ୍ଦ୍ରଙ୍କ ମାଗଣା ଡାଏଲେସିସ୍ ଜାରି ରହିବା ସହିତ ସମାଜ ରିଲିଫ୍ ପାଣ୍ଠିରୁ ମଧ୍ଯ 15 ହଜାର ଟଙ୍କାର ସହାୟତା ରାଶି ଯୋଗାଇ ଦିଆଯାଇଛି I ଏହାପରେ ବି ଉପେନ୍ଦ୍ରଙ୍କ ଅଧିକ ଚିକିତ୍ସା ପାଇଁ ଅଧିକ ସରକାରୀ ସହାୟତାର ଆବଶ୍ୟକ ରହିଛି I ସୂଚନା ଥାଉ କି ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଡାଏଲେସିସ୍ ମେସିନ୍ ଉପଲବ୍ଧ ଥିଲେ ମଧ୍ଯ କୌଣସି କାରଣରୁ ସେଗୁଡିକ କାର୍ଯ୍ୟକ୍ଷମ ହୋଇ ନ ପାରିବା ଯୋଗୁଁ ଉପେନ୍ଦ୍ରଙ୍କୁ ଆବଶ୍ୟକ ପରିମାଣର ଡାଏଲେସିସ୍ ସୁବିଧା ଯୋଗାଇ ଦିଆଯାଇ ପାରୁନାହିଁ I ଦକ୍ଷିଣ ଓଡ଼ିଶାରେ ବ୍ରହ୍ମପୁର ବଡ଼ ମେଡ଼ିକାଲ ଏକ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିଥିଲେ ମଧ୍ୟ ଏହି ମେଡ଼ିକାଲ୍ ରେ କିଡନୀ ରୋଗ ଭଳି ଗୁରୁତର ରୋଗ ପାଇଁ ଆବଶ୍ୟକ ଯନ୍ତ୍ରପାତି କାର୍ଯ୍ୟକ୍ଷମ ହେଉନଥିବା ଚିକିତ୍ସା ବ୍ୟବସ୍ଥା ପ୍ରତି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି I ତେଣୁ ଉଭୟ ସରକାର ଏବଂ ମେଡ଼ିକାଲ୍ କର୍ତୃପକ୍ଷ ଯଦି ଏହି ଦିଗରେ ସ୍ଵତନ୍ତ୍ର ଧ୍ୟାନ ଦିଅନ୍ତେ ତେବେ ଉପେନ୍ଦ୍ରଙ୍କ ସମେତ ବହୁ ଗୁରୁତର ରୋଗୀ ମଧ୍ଯ ଉପକୃତ ହୋଇପାରନ୍ତେ I ଏହା ସହ ସର୍ବସ୍ୱାନ୍ତ ହୋଇପଡିଥିବା ଉପେନ୍ଦ୍ରଙ୍କ ପରିବାର ପ୍ରତିପୋଷଣ ପାଇଁ ତାଙ୍କ ସ୍ତ୍ରୀଙ୍କୁ ସ୍ୱାବଲମ୍ବୀ କରିବା ଦିଗରେ କିଛି ସରକାରୀ ସହାୟତା ଯୋଗାଇଦେବା ତାଙ୍କ ପିଲାମାନଙ୍କ ଶିକ୍ଷା ବ୍ୟବସ୍ଥା ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି I ଏବେ ଦେଖିବାକୁ ବାକି ରହିଲା କେବେ ଉପେନ୍ଦ୍ରଙ୍କ ଉପରେ ସରକାରଙ୍କ ଶୁଭ ଦୃଷ୍ଟି ପଡ଼ୁଛି ଆଉ କେବେ ଉପେନ୍ଦ୍ର ଏବଂ ତାଙ୍କ ପରିବାର ସଦସ୍ୟଙ୍କ ମୁହଁରେ ହସ ଫୁଟୁଛି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ