ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଭୂମିକାକୁ ଛାତ୍ର କଂଗ୍ରେସ ନିନ୍ଦା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜ କହିଛନ୍ତି ଯେ, ଉଭୟ ମୋଦି ସରକାର ଓ ନବୀନ ପଟ୍ଟନାୟକ ସରକାର ଉଭୟ ଦେଶରେ ଓ ରାଜ୍ୟରେ ଶିକ୍ଷାର ଘରୋଇକରଣ ବ୍ୟବସ୍ଥାକୁ ପ୍ରୋତ୍ସାହନ ଦେଉଛନ୍ତି । ନିକଟରେ ନବୀନ ପଟ୍ଟନାୟକ ସରକାର ଓଡ଼ିଶାରେ ୬୩୦୦ ସ୍କୁଲ୍କୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଥିବା ସ୍ଥଳେ ଓଡ଼ିଶାରେ ପ୍ରତ୍ୟେକ ଦିନ ନୂଆ ନୂଆ ଘରୋଇ ବିଦ୍ୟାଳୟ ଗୁଡ଼ିକ ଖୋଲୁଅଛି । କଳାହାଣ୍ଡି ଜିଲ୍ଲାରେ ସରକାରୀ ସ୍କୁଲ୍ ଓ କଲେଜର ଛାତରୁ ପାଣି ଗଳୁଥିବା ବେଳେ ନବୀନ ପଟ୍ଟନାୟକ ସରକାର ମହାଲିଙ୍ଗି ବେସରକାରୀ ବିଜ୍ଞାନ ବିଦ୍ୟାଳୟ ଉପରେ ସରକାରୀ ଅନୁଦାନର ବର୍ଷା କରିଛନ୍ତି । ଏ ସମ୍ପର୍କରେ ସି.ଏ.ଜି. ୨୦୧୪ ମସିହାରେ ପ୍ରଶ୍ନ କରିଥିଲେ । କରୋନା ପରିସ୍ଥିତିକୁ ନେଇ ଅଭିଭାବକ ମାନଙ୍କର ଆର୍ଥିକ ମେରୁଦଣ୍ଡ ଦୋହଲି ପଡ଼ିଥିବା ବେଳେ ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡ଼ିକ ଅଭିଭାବକମାନଙ୍କ ତଣ୍ଟିଚିପି ସ୍କୁଲ୍ ଫି ଆଦାୟ କରୁଛନ୍ତି । ସ୍କୁଲ୍ ଫି ଛାଡ଼ ପାଇଁ ମାନ୍ୟବର ହାଇକୋର୍ଟ ନିର୍ଦ୍ଦେଶ ଦେଇଥିବା ବେଳେ ଘରୋଇ ଶିକ୍ଷାନୁଷ୍ଠାନରୁ ମାଲିକମାନେ ଏହାକୁ ଖାତିର କରୁନାହାଁନ୍ତି । ଘରୋଇ ଶିକ୍ଷାନୁଷ୍ଠାନର ମାଲିକମାନଙ୍କ ସହ ମଧୁଚନ୍ଦ୍ରିକାରେ ଥିବା ନବୀନ ସରକାର ନୀରବଦ୍ରଷ୍ଟା ସାଜିଛନ୍ତି ।
ସରକାରୀ ଶିକ୍ଷାନୁଷ୍ଠାନ ମାନଙ୍କରେ ଶିକ୍ଷକ ମରୁଡ଼ି ପଡ଼ିଛି । ଏପରିକି ଓଡ଼ିଶାରେ ଶତାଧିକ ଶିକ୍ଷାନୁଷ୍ଠାନରେ ମାତ୍ର ଜଣେ ଜଣେ ଶିକ୍ଷକ ଅଛନ୍ତି । ଦେଶରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ/ ମହାବିଦ୍ୟାଳୟ / ବିଶ୍ୱବିଦ୍ୟାଳୟ ମାନଙ୍କର ଅବସ୍ଥା ମଧ୍ୟ ଶୋଚନୀୟ । ଓଡ଼ିଶାରେ କୋରାପୁଟରେ ଥିବା ଏକମାତ୍ର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ୯୫୦ ଛାତ୍ରଛାତ୍ରୀ ଥିବାବେଳେ ଶିକ୍ଷକ ସଂଖ୍ୟା ମାତ୍ର ୧୭ଜଣ । ସେହିପରି ଦେଶରେ ଥିବା ସମସ୍ତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମାନଙ୍କରେ ୩୨ ପ୍ରତିଶତ ଶିକ୍ଷକ ପଦବୀ, ୩୭ ପ୍ରତିଶତ ଅଣଶିକ୍ଷକ ପଦବୀ ଖାଲି ପଡ଼ିଛି । ମୋଦି ସରକାରଙ୍କ ଶିକ୍ଷାନୀତି ଦେଶର ଛାତ୍ର ସମାଜକୁ ବିଭ୍ରାନ୍ତ କରିବା ପାଇଁ ଉଦ୍ଦିଷ୍ଟ । ମୋଦି ସରକାର ଦେଶର ସୁବର୍ଣ୍ଣ ଇତିହାସକୁ ବଦଳାଇ ଏଥିରେ କିଛି ମିଥ୍ୟା ତଥ୍ୟ ଯୋଡ଼ିବା ପାଇଁ ଅପଚେଷ୍ଟା କରୁଛନ୍ତି । ସବୁଠୁ ଦୁଃଖଦାୟକ ଘଟଣା ଏହିକି ଯେ, ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଉପଲକ୍ଷେ କେନ୍ଦ୍ର ସରକାରଙ୍କ ଶିକ୍ଷା ବିଭାଗ ଅଧିନରେ ଥିବା ଆଇସିଏଚ୍ଆର ସ୍ୱାଧୀନତା ସଂଗ୍ରାମୀ ମାନଙ୍କର ପୋଷ୍ଟର ଜାରି କରିଥିଲେ ଯେଉଁଥିରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ତଥା ସ୍ୱାଧୀନତା ସଂଗ୍ରାମୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଫଟୋ ସ୍ଥାନ ପାଇନଥିଲା । ସୁତରାଂ, ମୋଦି ସରକାରଙ୍କ ଜାତୀୟ ଶିକ୍ଷାନୀତି, ଶିକ୍ଷାର ଘରୋଇକରଣକୁ ପ୍ରୋତ୍ସାହନ ଦେବା ସହ ଗୈରୀକରଣ ପାଇଁ କ୍ଷେତ୍ର ପ୍ରସ୍ତୁତ କରୁଛି । ଏହା ଜାତୀୟ ଶିକ୍ଷାନୀତି ନୁହେଁ ବରଂ ବହିଃସ୍କରଣ ନୀତି ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି । ଏହା ଭାରତର ପୁରୁଣା ପରମ୍ପରା ଉପରେ ଆଧାରିତ ହୋଇ ବଢିଚାଲିବ ବୋଲି ଏହି ଶିକ୍ଷାନୀତିରୁ ଜଣାପଡ଼ିଛି । ଅନ୍ୟ ପକ୍ଷରେ ଉଭୟ ମୋଦି ଓ ନବୀନ ସରକାର ଉଭୟ ଅନୁସୂଚିତ ଜାତି ଓ ଜନଜାତି ଏବଂ ପଛୁଆବର୍ଗ ମାନଙ୍କ ପାଇଁ ଶିକ୍ଷାଗ୍ରହଣ ଓ ନିଯୁକ୍ତି କ୍ଷେତ୍ରରେ ଠିକ୍ ଭାବରେ ସ୍ଥାନ ସରଂକ୍ଷଣ ବ୍ୟବସ୍ଥା କରୁନାହାଁନ୍ତି । ସେମାନଙ୍କ ଠାରୁ ଭୋଟ ନେଇ, ପରେ ଭୁଆଁ ବୁଲାଯାଉଛି ବୋଲି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜ ଅଭିଯୋଗ କରିଛନ୍ତି ।


