ଦୀପ ଶିଖାରେ ଝଲସିବ ପୁରୀ ବଡ଼ଦାଣ୍ଡ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଗତବର୍ଷ ମହାମାରୀର ମହା ଆତଙ୍କକୁ ପ୍ରତିହତ କରିବା ପାଇଁ ସିଂହଦ୍ୱାରରୁ ଶରଧାବାଲି ଯାଏଁ ମହାମାରୀର ମହାଦେବତା ନୃସିଂହ ମନ୍ଦିର ଠାରୁ ଶ୍ରୀଜଗନ୍ନାଥ ମନ୍ଦିର ବଡ଼ଦାଣ୍ଡରେ ସମଗ୍ର ବିଶ୍ୱବାସୀଙ୍କ ମଙ୍ଗଳ କାମନା ପାଇଁ ୧ଲକ୍ଷ ଦୀପାଳି ଜଳି ଉଠିଥିଲା, ଯାହା ରାଜ୍ୟ / ଜାତୀୟ ତଥା ଆନ୍ତର୍ଜାତୀୟ ସମ୍ବାଦର ପ୍ରମୁଖ ପୃଷ୍ଠା ମଣ୍ଡନ କରିବା ସହିତ ଗିନିସ୍ ରେକର୍ଡ ସମକକ୍ଷ ହୋଇପାରିଥିଲା । ଚଳିତ ବର୍ଷ ସମ୍ପୂର୍ଣ୍ଣ ଥମି ନଥିବା ସେହି ମହାମାରୀର ମହାଆତଙ୍କକୁ ସମ୍ପୂର୍ଣ୍ଣ ଭାବେ ପ୍ରତିହତ କରିବା ପାଇଁ ବଡ଼ଦାଣ୍ଡରେ ଦେବ ଦୀପାବଳୀ ପବିତ୍ର ଦୀପାବଳୀ ସନ୍ଧ୍ୟାରେ ପୁନର୍ବାର “ଦୀପାଞ୍ଜଳି” କାର୍ଯ୍ୟକ୍ରମ ଆସନ୍ତା ଡ଼ିସେମ୍ବର ୪ ଓ ୫ ତାରିଖ ଶନିବାର ଓ ରବିବାର ଦିନ ଶ୍ରୀମନ୍ଦିରରେ ଦେବଦୀପାବଳୀ ପାଳନ ଅବସରରେ ସନ୍ଧ୍ୟା ୫ଟାରୁ ୭ଟା ମଧ୍ୟରେ ସିଂହଦ୍ୱାର ଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଦୀପ ଲଗାଯିବ । ତେବେ ଏହା ଦ୍ୱାରା ବଡ଼ଦାଣ୍ଡର କୌଣସି ଅଂଶ ଯେପରି ଅବରୋଧ ନ ହେବ ଏବଂ ସରକାରଙ୍କ ଦ୍ୱାରା ଜାରି ହୋଇଥିବା କୋଭିଡ୍ ନିୟମାବଳୀ କଟକଣା ପାଳନ ହେବ ସେଥିପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବ । ସିଂହଦ୍ୱାର ସମ୍ମୁଖରେ ମହାପ୍ରଭୁଙ୍କୁ ଘିଅ ଦୀପ ଏବଂ ସମଗ୍ର ବଡ଼ଦାଣ୍ଡରେ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ତେଲ ଦୀପଦାନ କରାଯିବ । ଓଡ଼ିଶା ଇଣ୍ଟରନ୍ୟାସନାଲ ସେଣ୍ଟର ଓ ଶ୍ରୀମନ୍ଦିର ଛତିଶା ନିଯୋଗ ମିଳିତ ଭାବରେ ଏହି କାର୍ଯ୍ୟକ୍ରମର ଆୟୋଜନ କରିବେ । ଓଡ଼ିଶା ଇଣ୍ଟରନ୍ୟାସନାଲ ସେଣ୍ଟର ପକ୍ଷରୁ ଆଜି ଉତ୍କଳ ସାମ୍ବାଦିକ ସଂଘ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦୀପଦାନ କାର୍ଯ୍ୟକ୍ରମର ଅଧ୍ୟକ୍ଷ ଡ଼. ଅଶୋକ ମହାପାତ୍ର ଏହି ସୂଚନା ଦେଇଛନ୍ତି । ଛତିଶା ନିଯୋଗର ନାୟକ ପାଟ୍ଟଯୋଶୀ ଜନାର୍ଦ୍ଦନ ମହାପାତ୍ର ଓ ସେବାୟତମାନଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହେବ । ଏହି ଦୀପଦାନ ପାଇଁ ୫୦ ଟିଣ ଘିଅ ଓ ୬୦୦ ଟିଣ ତେଲ ବ୍ୟବହାର କରାଯିବ । ପୁରୀର ବିଶିଷ୍ଟ ବ୍ୟବସାୟୀ ଶ୍ରୀ ରାଜକିଶୋର ପାତ୍ର ଦୀପଦାନ କାର୍ଯ୍ୟକ୍ରମର ପ୍ରମୁଖ ଦାୟିତ୍ୱ ତୁଲାଉଛନ୍ତି । କୋଭିଡ଼ ମହାମାରୀରୁ ମାନବ ଜାତିକୁ ରକ୍ଷା କରିବା ପାଇଁ ଡିସେମ୍ବର ୪ ଓ ୫ ଦୁଇଦିନ ଧରି ପୁରୀ ବଡ଼ଦାଣ୍ଡରେ “ଶ୍ରୀଅଚ୍ୟୁତାୟ ନମଃ, ଶ୍ରୀଅନନ୍ତାୟ ନମଃ ଏବଂ ଶ୍ରୀଗୋବିନ୍ଦାୟ ନମଃ” ମନ୍ତ୍ର ୧୦୮ ଥର ଜପ କରିବା ସହିତ ଅଗ୍ନିହୋତ୍ର ଯଜ୍ଞର ଆୟୋଜନ କରାଯିବ । ଉକ୍ତ ଦିନ ରାଜ୍ୟର ସମସ୍ତ ଶ୍ରୀଜଗନ୍ନାଥ ମନ୍ଦିରରେ ଦୀପଦାନ କରିବାକୁ କାର୍ଯ୍ୟକ୍ରମର କାର୍ଯ୍ୟକାରୀ ଅଧ୍ୟକ୍ଷ ତଥା ଉତ୍କଳ ସାମ୍ବାଦିକ ସଂଘର ସଭାପତି ଶ୍ରୀ ବିଭୂତି ଭୂଷଣ କର ଜଗନ୍ନାଥ ପ୍ରେମୀ ଭକ୍ତମାନଙ୍କୁ ନିବେଦନ କରିଛନ୍ତି । ଶ୍ରୀଯୁକ୍ତ ଅରୁଣ ପଣ୍ଡା, ବରିଷ୍ଠ ସାମ୍ବାଦିକ, ଶ୍ରୀଯୁକ୍ତ କୃଷ୍ଣଗୋପାଳ ମହାରାଜ, ମହନ୍ତ ରାଧାକୃଷ୍ଣ ମଠ, ପୁରୀ, ଶ୍ରୀ ଶରତ କୁମାର ଦାସ, ପ୍ରାକ୍ତନ ଆୟକର ଆୟୁକ୍ତ, ଓଡ଼ିଶା ଏବଂ ଶ୍ରୀ ଶଙ୍କର ପରିଡ଼ା ସାମାଜିକ କର୍ମୀ ତଥା ଭାଷାବିତ୍ ଦେବ ଦିପାବଳୀ ଉତ୍ସବର ମହତ୍ତ୍ୱ ଏବଂ ତତ୍‌ସହିତ ଦୀପଦାନ ବିଶେଷତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ ଏବଂ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଓଡ଼ିଶାର ଜନସାଧାରଣଙ୍କ ଆନ୍ତରିକ ସହଯୋଗ କାମନା କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ଇଣ୍ଟରନ୍ୟାସ୍‌ନାଲ୍ ସେଣ୍ଟରର କର୍ମକର୍ତ୍ତା ଶ୍ରୀମତୀ କୁମୁଦିନୀ ପଣ୍ଡା, ଶ୍ରୀ ଚନ୍ଦ୍ରଶେଖର ସିଙ୍ଗୋଟି, ଶ୍ରୀ ଉଦୟ କୁମାର ଶାନ୍ତି, ଶ୍ରୀ କ୍ରିଷନ୍ ଟିକମାନୀ, ଶ୍ରୀ ହୃଷିକେଶ ମିଶ୍ର, ଶ୍ରୀ ପ୍ରତାପ ଚନ୍ଦ୍ର ମିଶ୍ର, ଶ୍ରୀମତୀ ଇନ୍ଦିରା ମିଶ୍ର, ଶ୍ରୀ ଗଦାଧର ବରାଳ, ଶ୍ରୀ ଜୟପ୍ରକାଶ ମିଶ୍ର, ଶ୍ରୀ ଉମାଶଙ୍କର ପଟ୍ଟନାୟକ, ଶ୍ରୀ ବୁଟୁ ବକ୍ସି, ଶ୍ରୀ ପ୍ରଶାନ୍ତ ବିଦ୍ୟାଧର, ଶ୍ରୀମତୀ ଗୀତା ରଥ, ସୁମନ ଦାସ ତଥା ଅନ୍ୟ ସମସ୍ତ କର୍ମକର୍ତ୍ତା ଏହି ସମ୍ମିଳନୀରେ ଉପସ୍ଥିତ ଥିଲେ । ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଦେବ ଦୀପାବଳି ଦୀପ ଦାନ କାର୍ଯ୍ୟକ୍ରମରେ ଆର୍ଥିକ ସହାୟତା ଦେବାକୁ ଚାହୁଁଥିବା ଓଡ଼ିଶାର ବଦାନ୍ୟ ବ୍ୟକ୍ତିବିଶେଷ / ଅନୁଷ୍ଠାନ ନିମ୍ନୋକ୍ତ ବ୍ୟାଙ୍କ ଖାତା ଜରିଆରେ ନିଜର ଆର୍ଥିକ ସହାୟତା ପଠାଇବାକୁ ଦୀପଦାନ କମିଟି ଆବାହକ ତଥା କୋଷାଧ୍ୟକ୍ଷ ଭାବଗ୍ରାହୀ ଶାନ୍ତି ଏହି ସାମ୍ବାଦିକ ସମ୍ମିଳନୀରେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ