ଉମିଦ ପକ୍ଷରୁ କର୍କଟ ପୀଡିତଙ୍କୁ ସାହାଯ୍ୟ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ବୁଡି ଯାଉଥିବା ଲୋକଟିଏ କୁଟା ଖିଅ ଟିକୁ ବି ଭରଷା କରିଥାଏ। ଦୁରାରୋଗ୍ୟରେ ପୀଡିତ ଥିବା ପୁଅର ଜୀବନ ପାଇଁ ବାପା ମାଆ ସାହାଯ୍ୟ ଭିକ୍ଷା କରିଥିବା ବେଳେ ଭଣ୍ଡାରିପୋଖରୀ ଉମିଦ ପରିବାର ଏଦିଗରେ ସର୍ବ ପ୍ରଥମେ ଆଗକୁ ଆସିଛି । ସୂଚନା ଅନୁଯାୟୀ ମାଳଦା ଗ୍ରାମର ବିଜୟ ଦାସଙ୍କ ଏକମାତ୍ର ପୁଅ ଶୁଭଙ୍କର ଏବେ ମାରାତ୍ମକ ରକ୍ତ କର୍କଟ ରୋଗରେ ପୀଡିତ । ଏବେ ସେ କଟକ ଠାରେ ଚିକିତ୍ସା ହେଉଥିବା ବେଳେ ଉଚ୍ଚ ଚିକିତ୍ସା ନିମନ୍ତେ ତାଙ୍କୁ ବମ୍ବେ ନେବା ପାଇଁ କୁହାଯାଇଛି । ଏପଟେ ବିଜୟ ଜଣେ ଦିନ ମଜୁରିଆ ହୋଇଥିବା ବେଳେ ଏତେ ଟଙ୍କା ଖର୍ଚ୍ଚ କରି ପୁଅକୁ ନେଇ ଓଡିଶା ବାହାରେ ଚିକିତ୍ସା କରିବା ତାଙ୍କ ପକ୍ଷେ ସମ୍ଭବପର ହେଉନାହିଁ । ଏନେଇ ବିଭିନ୍ନ ଛାପା ଓ ସାମାଜିକ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିବା ବେଳେ ଶୁଭଙ୍କରଙ୍କ ବାପା ମା ଆର୍ଥିକ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି। ତେଣୁ ବ୍ଲକ ଅଂଚଳର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଉମିଦ ଫାଉଣ୍ଡେସନର ସଦସ୍ୟ ମାନେ କିଛି ଅର୍ଥ ଯୋଗାଡ଼ କରି ସାନମାଳଦା ଠାରେ ପହଁଚି ଥିଲେ । ଶୁଭଙ୍କର ଏବେ ମେଡିକାଲ ରେ ଥିବା ବେଳେ ଫାଉଣ୍ଡେସନ ପକ୍ଷରୁ ତାଙ୍କ ମାଆ ଓ ସମ୍ପର୍କୀୟଙ୍କୁ ଆର୍ଥିକ ରାଶି ପ୍ରଦାନ କରାଯାଇଛି । ଏହାସହିତ କଅଁଳ ଶିଶୁଟିର ଦ୍ରୁତ ଆରୋଗ୍ୟ ପାଇଁ ସଦସ୍ୟ ମାନେ ଜଗନ୍ନାଥଙ୍କ ନିକଟରେ ମାନସିକ ପ୍ରାର୍ଥନା କରିଛନ୍ତି ।


