‘ଋଷବିପ୍ଳବ-ଆଜିର ପରିସ୍ଥିତି’ଶୀର୍ଷକ ଆଲୋଚନାଚକ୍ର
ବାଲେଶ୍ୱର, (ସରୋଜ ପଣ୍ଡା) : ‘ଋଷବିପ୍ଳବ-ଆଜିର ପରିସ୍ଥିତି’ ଶୀର୍ଷକ ଏକ ଆଲୋଚନାଚକ୍ର ବାଲେଶ୍ୱର ସହରର ଫାଣ୍ଡିଛକ ସ୍ଥିତ ପରିବହନ କର୍ମଚାରୀ ସଂଘ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ବାମପନ୍ଥୀ ନେତା ଜନାର୍ଦ୍ଦନ ପତି ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଶ୍ୱ ଇତିହାସକୁ ଋଷ ବିପ୍ଳବ ବା ସମାଜବାଦୀ ବିପ୍ଳବର ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ । ୧୯୧୭ ମସିହାରେ ଭି.ଆଇ. ଲେନିନ୍ଙ୍କ ନେତୃତ୍ୱରେ ଜାର ରାଜତନ୍ତ୍ର ବିରୋଧରେ ଶ୍ରମିକ ଶ୍ରେଣୀ ତା’ର ବିଜୟ କେତନ ଉଡ଼ାଇଥିଳା । ଏହି ବିପ୍ଳବ ବିଶ୍ୱତମାମ ଔପନିବେଶବାଦ ଏବଂ ସାମ୍ରାଜ୍ୟବାଦ ବିରୋଧି ଆନ୍ଦୋଳନକୁ ଇନ୍ଧନ ଦେଇଥିଲା । ବିଭିନ୍ନ ତ୍ରୁଟି ବିଚ୍ୟୁତି ଯୋଗୁଁ ସମାଜବାଦୀ ବ୍ୟବସ୍ଥା ବିପର୍ଯ୍ୟୟର ସମ୍ମୁଖୀନ ହେଲେ ବି ସମାଜବାଦୀ ସୋଭିଏତ ୟୁନିୟନ୍ର ବିଶ୍ୱ ଇତିହାସ ତଥା ମାନବ ସଭ୍ୟତା ପ୍ରତି ଅବଦାନକୁ କେବେ ଅସ୍ୱୀକାର କରାଯାଇ ପାରିବନାହିଁ ବୋଲି ଶ୍ରୀ ପତି ମତ ପ୍ରକାଶ କରିଥିଲେ । ଆଲୋଚନା ସଭାରେ ସି.ପି.ଆଇ. ନେତା ଭାଗବତ ପ୍ରତିହାରୀ, ସି.ପି.ଆଇ(ଏମ୍) ଜିଲା ସଂପାଦକ ଶିଶିର ହୁଇ, ବରିଷ୍ଠ ଶ୍ରମିକ ନେତା ଗୌରାଙ୍ଗ ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ ସମାଜବାଦୀ ବିପ୍ଳବର କାମନା କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ନଭେମ୍ବର ୭ ତାରିଖ ଏକ ସ୍ମରଣୀୟ ଦିବସ ବୋଲି କହିଥିଲେ । ଋଷ ବିପ୍ଳବକୁ ୧୦୪ ବର୍ଷ ବିତିଥିବା ବେଳେ ପୁଞ୍ଜିବାଦ ନବ୍ୟ ସାମ୍ରାଜ୍ୟବାଦରେ ଆଜି ପହଞ୍ଚିଛି ବୋଲି ବକ୍ତାମାନେ ମତ ଦେଇଥିଲେ । ନୂଆ ଢଙ୍ଗରେ ଶୋଷଣ ବିଶ୍ୱ ତମାମ ବୃଦ୍ଧି ପାଇଛି । ଆଜି ଯେଉଁ ପରିସ୍ଥିତି ବିଶ୍ୱ ସମ୍ମୁଖୀନ ହେଉଛି ତାହା କେବେ ଦେଖା ଦେଇନଥିଲା । ଅର୍ଥନୈତିକ ମାନ୍ଦା ଅବସ୍ଥା ସାରା ବିଶ୍ୱକୁ କବଳିତ କରିଛି । ସମାଜବାଦୀ ଦେଶମାନଙ୍କ ସହ ସିଧାସଳଖ ଦ୍ୱନ୍ଦ ବୃଦ୍ଧି ପାଇବା ସହିତ ସାମ୍ରାଜ୍ୟବାଦ ଦେଶ ସାମ୍ରାଜ୍ୟବାଦୀ ଦେଶ ମଧ୍ୟରେ ଦ୍ୱନ୍ଦ ସାମ୍ନାକୁ ଆସୁଛି ବୋଲି ସେମାନେ କହିଥିଲେ । ପୁଞ୍ଜିପତି ଏବଂ ଫାସୀବାଦୀ ଶକ୍ତିମାନଙ୍କର ଏବେ ମିଳନ ଘଟିଥିବା ବେଳେ ହିନ୍ଦୁତ୍ୱର ଦ୍ୱାହି ଦେଇ ଦେଶର ସାମ୍ବିଧାନିକ ଅଧିକାର ଏବଂ ଢାଞ୍ଚାକୁ ଶାସକ ଗୋଷ୍ଠୀ ଆକ୍ରମଣ କରି ଚାଲିଛନ୍ତି ବୋଲି ବକ୍ତାମାନେ ଆରୋପ ଉଠାଇଥିଲେ । ଏହି ଆଲୋଚନା ସଭାରେ ସୀତାଂଶୁ ସେନାପତି ସଭାପତିତ୍ୱ କରିଥିବା ବେଳେ ଶ୍ରମିକ ନେତା ବିଜୟ ପାତ୍ର ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ପ୍ରେମ ରଂଜନ ପାତ୍ର, ଶ୍ୟାମସୁନ୍ଦର ଜେନା, ରାଜକିଶୋର ଲେଙ୍କା ପ୍ରମୁଖ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ ।


