ଏଟିଏମ୍‌ ଲୁଟ୍‌ ଉଦ୍ୟମ, ଏନ୍‌ଏଚ୍‌ଏମ୍‌ କର୍ମଚାରୀଙ୍କୁ ଗିରଫ କଲା ପୋଲିସ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ଫୁଲବାଣୀ ସଞ୍ଜୟ ସ୍ମୃତି ମହିଳା ବିଦ୍ୟାଳୟ ସମ୍ମୁଖରେ ଥିବା ଏସ୍‌ବିଆଇ ଏଟିଏମ୍‌ରୁ ଲୁଟ୍‌ ଉଦ୍ୟମ ହୋଇଛି । ଟଙ୍କା ଲୁଟିବା ଲାଗି ଏଟିଏମ୍‌ କାଉଣ୍ଟର ଭଙ୍ଗାରୁଜା କରାଯାଇଛି । ଏହି ଘଟଣାରେ ଜିଲା ଜାତୀୟ ସ୍ବାସ୍ଥ୍ୟ ମିଶନ (ଏନ୍‌ଏଚ୍‌ଏମ୍‌) ର ଜଣେ କର୍ମଚାରୀ ଗିରଫ ହୋଇଛନ୍ତି। ସେ ହେଲେ ଆଞ୍ଚଳିକ ଟିକା ଶୀତଳ ଭଣ୍ଡାର ପରିଚାଳକ(ଆରଭିସିସିଏମ୍‌) ରାଜେନ୍ଦ୍ର କୁମାର ଚାନ୍ଦ। ତାଙ୍କୁ ସୋମବାର କୋର୍ଟ ଚାଲାଣ କରାଯିବ। ଏଥିସହ ଏଟିଏମ୍‌ ଭାଙ୍ଗିବାରେ ବ୍ୟବହାର କରାଯାଇଥିବା ଶାବଳ, ଆରିପାତ, ଛୁରି ଆଦି ଜବତ କରାଯାଇଛି । ଅନ୍ୟପକ୍ଷରେ ଚାନ୍ଦଙ୍କ କହିବା ଅନୁସାରେ ଜିଲା କାର୍ଯ୍ୟକ୍ରମ ପରିଚାଳକ (ଡିପିଏମ୍‌) ଙ୍କୁ ପୋଲିସ ଥାନାକୁ ଆଣି ପଚରାଉଚରା କରିଛି। ଶନିବାର ବିଳମ୍ବିତ ରାତିରେ ଏଟିଏମ୍‌ରୁ ଲୁଟ୍‌ ଉଦ୍ୟମ ହେଉଥିବା ମୁମ୍ବାଇସ୍ଥିତ କାର୍ଯ୍ୟାଳୟର ବିଭାଗୀୟ ଅଧିକାରୀ ଜାଣିବାକୁ ପାଇଥିଲେ। ସେଠାରୁ ତୁରନ୍ତ ଫୁଲବାଣୀ ଟାଉନ ଥାନାକୁ ଖବର ଆସିଥିଲା। ଥାନା ଅଧିକାରୀ ସଦଳବଳ ପହଞ୍ଚି ଅଭିଯୁକ୍ତ ଚାନ୍ଦଙ୍କୁ କାବୁ କରି ଥାନାକୁ ଆଣିଥିଲେ। ଡିପିଏମ୍‌ଙ୍କ କହିବା ପ୍ରକାରେ, ଏପରି କରିଥିବା ଚାନ୍ଦ କହିବାରୁ ପୋଲିସ ରାତାରାତି ଡିପିଏମ୍‌ ମନୋରଞ୍ଜନ ସାହୁଙ୍କୁ ଥାନାକୁ ଆଣି ଜେରା କରିଥିଲା । ଦିନ ପ୍ରାୟ ୧ଟା ବେଳେ ପୋଲିସ ଡିପିଏମ୍‌ଙ୍କ ସରକାରୀ କ୍ୱାର୍ଟର୍ସକୁ ଯାଇ ତଦନ୍ତ କରିଥିଲା। ପରେ ଗିରଫ ଅଭିଯୁକ୍ତ ଚାନ୍ଦ ନିଜ ବୟାନ ବଦଳାଇବାରୁ ଡିପିଏମ୍‌ ସାହୁଙ୍କୁ ପୋଲିସ ଛାଡି ଦେଇଥିଲା। ଏ ନେଇ ସଦର ଏସ୍‌ଡିପିଓ ସୁପ୍ରସନ୍ନ ମଲ୍ଲିକଙ୍କୁ ପଚାରିବାରୁ ସେ କହିଛନ୍ତି, ଅଭିଯୁକ୍ତଙ୍କ କହିବା ପ୍ରକାରେ ଡିପିଏମ୍‌ଙ୍କୁ ପଚରାଉଚରା କରାଯିବା ସହ ତାଙ୍କ ସରକାରୀ କ୍ୱାର୍ଟର୍ସରେ ଯାଞ୍ଚ କରାଯାଇଥିଲା । ସେଠାରେ ଲାଗିଥିବା ସିସିଟିଭି ଫୁଟେଜ୍‌ ଅନୁସାରେ ସେ ଶନିବାର ସନ୍ଧ୍ୟାରୁ ଘରୁ ବାହାରି ନ ଥିବା ଦେଖାଯାଇଛି। ଫୋନ କଲରେ ମଧ୍ୟ ସେପରି କିଛି ତଥ୍ୟ ମିଳିନାହିଁ । ତେଣୁ ତାଙ୍କୁ ଛଡାଯାଇଛି । ଆବଶ୍ୟକ ପଡିଲେ ପୁଣି ଡିପିଏମ୍‌ଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ ବୋଲି ଏସ୍‌ଡିପିଓ କହିଛନ୍ତି। ଲୁଟ ଉଦ୍ୟମ ନେଇ ଫୁଲବାଣୀ ଏଟିଏମ୍‌ ଚ୍ୟାନେଲ ମ୍ୟାନେଜର ମନୋରଞ୍ଜନ ଥିଉଙ୍କ ଏତଲା ଅନୁସାରେ ପୋଲିସ ଏକ ମାମଲା(ନଂ.୫/୨୪) ରୁଜୁ କରାଯାଇଥିବା ସେ ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ