ଏଟିଏମ ଲୁଟ୍ ଉଦ୍ୟମ ବିଫଳ
କୋଦଳା: ଗୁରୁବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଗଂଜାମ ଜିଲ୍ଲା ବେଗୁନିଆପଡ଼ା ଫାଣ୍ଡି ପଛପଟେ ଏଟିଏମ ଲୁଟ୍ ଉଦ୍ୟମ କରୁଥିବା ବେଳେ ହଟହଟା ହୋଇ ଫେଲ୍ ହୋଇଛନ୍ତି । ସୂଚନା ଅନୁସାରେ ଗୁରୁବାର ରାତି ପ୍ରାୟ ୧ଟା ବେଳେ ବେଗୁନିଆପଡ଼ା ଫାଣ୍ଡି ପଛପଟେ ଥିବା ଆଇସିଆଇସିଆଇ ବ୍ୟାଙ୍କ ଏଟିଏମ କୁ ଲୁଟ୍ ପାଇଁ ୪ ରୁ ୫ ଜଣ ଆସି ପ୍ରଥମେ ସିସିଟିଭି କ୍ୟାମେରାକୁ ଭାଗିଂବାକୁ ଉଦ୍ୟମ କରୁଥିବା ବେଳେ ହଠାତ୍ ବ୍ୟାଙ୍କ ପରିସରରେ ଥିବା ସାଇରନଟି ବାଜି ଉଠିଥିଲା । ବ୍ୟାଙ୍କ ଟି ଖଣ୍ଡିଆନଈ ରାଜୀବଗାନ୍ଧୀ ସେବା କେନ୍ଦ୍ର ପରିସରରେ ଥିବା ବେଳେ ପାଖକୁ ଲାଗି ରହିଛି ପୋଲିସ୍ ଫାଣ୍ଡି । ତେବେ ସାଇରନ୍ ବାଜିବା କ୍ଷଣି ୨ ଜଣ ପୋଲିସ କର୍ମଚାରୀ ହଠାତ୍ ଧାଇଁ ଆସିଥିଲେ ଏବଂ ସେହି ସମୟରେ ପେଟ୍ରୋଲିଂ ସାରି ଫେରୁଥିବା ପୋଲିସ୍ ଜିପ୍ ମଧ୍ୟ ତୁରନ୍ତ ସେଠାରେ ପହଞ୍ଚି ଯାଇଥିଲା। ଫାଣ୍ଡି ଅଧିକାରୀ ଦିପ୍ତୀ ରଂଜନ ବେହେରାଙ୍କ ସମେତ କିଛି ପୋଲିସ୍ କର୍ମଚାରୀ ପହଞ୍ଚିବା ବେଳକୁ ଦୁବୃର୍ତ୍ତ ମାନେ ସେଠାରୁ ଚମ୍ପଟ୍ ମାରିଥିଲେ। ପୋଲିସ ଫାଣ୍ଡି ନିକଟରେ ଥିବା ଏହି ଏଟିଏମ ଦିନରାତି ଖୋଲା ରହୁଥିବା ବେଳେ ଏଭଳି ଦୁଃସାହସିକ କାର୍ୟ୍ୟ କରିବାକୁ ଚେଷ୍ଟା କରିଥିବା ବ୍ୟକ୍ତିମାନେ ସ୍ଥାନୀୟ ଅଞ୍ଚଳର ଏବଂ କିଛି ବ୍ୟକ୍ତିଙ୍କୁ ସନ୍ଦେହ କରିଥିବା କହିଛନ୍ତି ଫାଣ୍ଡି ଅଧିକାରୀ । ତେବେ ସାଇରନ୍ ବାଜିବା ଜାଣି ଏହି ଦୁବୃର୍ତ୍ତ ମାନେ ଘଟଣା ସ୍ଥଳରୁ ଚମ୍ପଟ୍ ମାରିଥିବା ଯୋଗୁଁ କେହି ଧରାପଡିନଥିବା ବେଳେ ଅନୁସନ୍ଧାନ ଜାରି ରହିଥିବା ଜଣାପଡ଼ିଛି। ସିସିଟିଭି ଫୁଟେଜରୁ ଏନେଇ ଅଧିକ ସୁରାକ୍ ମିଳିବା ପରେ ସ୍ପଷ୍ଟ ହେବ ବୋଲି କୁହାଯାଉଛି ।


