ଏମକେସିଜି ମେଡ଼ିକାଲରେ ଖୋଲିଲା ୨ ନିରାମୟ କେନ୍ଦ୍ର
ଗଞ୍ଜାମ, (ୱାଇଏନ୍ଏସ୍): ରୋଗୀ ମାନଙ୍କ ସୁବିଧା ପାଇଁ ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡ଼ିକାଲ ପରିସରରେ ଆଉ ଦୁଇଟି ଅତିରିକ୍ତ ନିରାମୟ କେନ୍ଦ୍ର ଖୋଲିଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଏହାର ଉଦଘାଟନ କରିଛନ୍ତି । ଦିନକୁ ଦିନ ଏମକେସିଜି ମେଡ଼ିକାଲରେ ରୋଗୀଙ୍କ ସଂଖ୍ୟା ବଢୁଛି । ନିରାମୟ କେନ୍ଦ୍ରରେ ଔଷଧ ନେବା ପାଇଁ ଲମ୍ବା ଧାଡ଼ି ବଢୁଛି । ଏହାକୁ ଦୃଷ୍ଟିରେ ନିରାମୟ କେନ୍ଦ୍ରରେ ଔଷଧ ନେବା ପାଇଁ ଆଉ ଦୁଇଟି କେନ୍ଦ୍ର ଖୋଲାଯାଇଛି । ରୋଗୀ ମାନଙ୍କୁ ତ୍ୱରିତ ସେବା ପ୍ରଦାନ କରିବା ଉଦ୍ଦେଶ୍ୟରେ ଏହି କେନ୍ଦ୍ର ଖୋଲାଯାଇଛି । ପୂର୍ବରୁ ୪ଟି କେନ୍ଦ୍ରରେ ୮ଟି କାଉଂଟର ରହିଥିଲା । ଏବେ ଆଉ ଦୁଇଟି କେନ୍ଦ୍ର ଖୋଲା ଯାଇଛି । ଫଳରେ ୬ଟି କେନ୍ଦ୍ରରେ ୧୨ଟି କାଉଂଟର ଜରିଆରେ ରୋଗୀଙ୍କୁ ଔଷଧ ବିତରଣ କରାଯିବ । ଗୋଟିଏ କାଉଂଟରରେ ବରିଷ୍ଠ ନାଗରିକ ମାନଙ୍କୁ ଔଷଧ ବିତରଣ ପାଇଁ ସୁବିଧା କରାଯାଇଛି । ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏମକେସିଜି ମେଡ଼ିକାଲ କଲେଜ ଅଧ୍ୟକ୍ଷ ତଥା ଡ଼ିନ୍ ପ୍ରଫେସର ଡଃ. ଦିପ୍ତୀମୟୀ ତ୍ରିପାଠୀ, ମେଡ଼ିକାଲ ଅଧିକ୍ଷକ ପ୍ରଫେସର ଡା. ସନ୍ତୋଷ କୁମାର ମିଶ୍ର, ଅତିରିକ୍ତ ଅଧିକ୍ଷକ ଡା. କିରଣ କୁମାର ପଟ୍ଟନାୟକ, ପ୍ରଶାସନିକ ଅଧିକାରୀ ସଚ୍ଚିଦାନନ୍ଦ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।


