ଏସିଆରୁ ଆସିଥିଲା ପିଆଜ
ପାଖାପାଖି ୫.୫୦୦ ବର୍ଷ ତଳେ ପ୍ରଥମେ ଏସିଆ ମହାଦେଶରେ ପିଆଜ ଚାଷ ଆରମ୍ଭ ହୋଇଥିଲା । ପରେ ପୁରା ବିଶ୍ୱ ବଜାରରେ ଏହାର ଲୋକପ୍ରିୟତା ବିସ୍ତାର ହୋଇଥିଲା । ଆଦୌ ଫିଟ୍ ନଥିବା ଏଇ ପିଆଜ ବ୍ୟଞ୍ଜନର ସ୍ୱାଦ ବଢ଼ାଇବା ସହ ନିୟମିତ ଖାଇଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ାଇଥାଏ । ବିଶ୍ୱସ୍ତରରେ ଲୋକପ୍ରିୟ ପରିବା ତାଲିକାରେ ପିଆଜ ୬ଷ୍ଠ ସ୍ଥାନ ଅଧିକାର କରିଛି । ଏହି ପରିବାର ମହୌଷଧି ଗୁଣ କାରଣରୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ସୈନିକମାନେ ଏହାକୁ ବହୁଳ ଭାବରେ ବ୍ୟବହାର କରୁଥିଲେ । ସେତେବେଳେ ସୈନିକମାନଙ୍କ ଧାରଣା ଥିଲା ଯେ ପିଆଜ କଟାକୁ ଗୁଳି ବାଜିଥିବା ସ୍ଥାନରେ କିମ୍ବା ଦରଜ ହୋଇଥିବା ସ୍ଥାନରେ ମାଲିସ କଲେ ରୋଗର ଉପଶମ ହୋଇଥାଏ । ବିଶ୍ୱରେ ସବୁଠୁ ଅଧିକ ଆମେରିକୀୟ ଲୋକେ ପିଆଜ ଖାଉଥିବାର ପ୍ରକାଶ । ବିଭିନ୍ନ ପ୍ରକାର ବ୍ୟଞ୍ଜନରେ ଏମାନେ ପିଆଜର ଉପଯୋଗ କରିଥାନ୍ତି । ଜଣେ ସାଧାରଣ ଆମେରିକୀୟ ବର୍ଷକୁ ୮.୫ କିଲୋ ଓଜନର ପିଆଜ ଖାଉଥିବାର ଅନୁଧ୍ୟାନରୁ ଜଣାପଡ଼ିଛି ।


