ଏସିରୁ ବାହାରିଲା ସାପ
ସାଧାରଣତଃ ଯଦି ଏସିରୁ କୌଣସି ଶବ୍ଦ ବାହାରେ, ତେବେ ଆମେମାନେ ତାକୁ ଖୋଲି ସଫା କରିଦେଉ । ହେଲେ ଯଦି ଏହି ଶବ୍ଦ କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁ ନୁହେଁ, ବରଂ ବହୁ ସାପଙ୍କ ହେତୁ ହେଉଥିବ ତାହା ହେଲେ କ’ଣ କରିବେ? ଏ କଥା ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବ, ହେଲେ ସତ । ଏଭଳି ଘଟଣା ସମ୍ନାକୁ ଆସିଛି ଥାଇଲାଣ୍ଡରୁ । ଥାଇଲାଣ୍ଡର ଜଣେ ବ୍ୟକ୍ତି ନିଜ ଏସିରୁ ବାହାରୁଥିବା ଶ୍ରୁତିକଟୁ ଶବ୍ଦରେ ଅତିଷ୍ଠ ହୋଇପଡ଼ିଥିଲେ । ଗୋଟିଏ ଦିନ ଏସିରୁ ଅଜବ ଶବ୍ଦ ବାହାରିଥିବାବେଳେ ବିରକ୍ତ ହୋଇ ଶେଷରେ ସେ ଉକ୍ତ ଏସିକୁ ଖୋଲିଥିଲେ । ଖୋଲିବା ପରେ ତା’ ଭିତରର ଦୃଶ୍ୟ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏସି ଭିତରେ ଗୋଟିଏ କି ଦୁଇଟି ନୁହଁ, ୫ଟି ସାପ ରହିଥିଲେ । ଏହା ପରେ ସେ ବହୁ ଉଦ୍ୟମ କରି ସବୁ ସାପଙ୍କୁ ବାହାର କରିଥିଲେ । ତେବେ ଏସି ଭିତରକୁ ଏତେଗୁଡାଏ ସାପ କେଉଁଠୁ ଆସିଲେ ବୋଲି ସମ୍ପୃକ୍ତ ବ୍ୟକ୍ତିଙ୍କ ପାଇଁ ଭାଳେଣି ପଡ଼ିଯାଇଛି । କାରଣ ତାଙ୍କ ଘରେ ଗୋଟିଏ ଛୋଟ ଝିଅ ଥିବାବେଳେ ତା’ର ସୁରକ୍ଷାକୁ ନେଇ ପରିବାର ଲୋକେ ଭୟଭୀତ ହୋଇପଡ଼ିଛନ୍ତି । ଏହି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଥାଇଲାଣ୍ଡର ଏହି ଘଟଣା ସମସ୍ତଙ୍କୁ ଚକିତ କରିଥିବାବେଳେ ଚାରିଆଡ଼େ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।


