ଏସ୍‌ସିବି କାର୍ଡିଓଲୋଜିରେ ଷ୍ଟେଣ୍ଟ୍‌ ସଙ୍କଟ, ରୋଗୀଙ୍କ ଚିକିତ୍ସା ନେଇ ଉଠିଲା ପ୍ରଶ୍ନ

କଟକ,(ଓ୍ବାଇଏନଏସ): ବିଶ୍ୱ ହୃଦୟ ଦିବସରେ ସାରା ବିଶ୍ୱରେ ହୃଦ୍‌ରୋଗ ସଚେତନତା ନେଇ ବିଭିନ୍ନ କାର୍ଯ୍ୟକ୍ରମ ଚାଲିଥିବା ବେଳେ କଟକ ଏସ୍‌ସିବି ମେଡିକାଲ୍‌ର କାର୍ଡିଓଲୋଜି ବିଭାଗରେ ଷ୍ଟେଣ୍ଟ୍‌ ଯୋଗାଣ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି। ହୃଦ୍‌ରୋଗୀଙ୍କ ଚିକିତ୍ସାରେ ଅତ୍ୟନ୍ତ ଜରୁରୀ ଷ୍ଟେଣ୍ଟ୍‌ ଯୋଗାଣରେ ବିଳମ୍ବ ଓ ଅନିୟମିତତା ନେଇ ଅଭିଯୋଗ ଆସିଛି।ବିଭାଗୀୟ ସୂତ୍ର ଅନୁଯାୟୀ, ରୋଗୀଙ୍କ ଧମନୀର ଆବଶ୍ୟକତା ଅନୁସାରେ ଡାକ୍ତରମାନେ ଷ୍ଟେଣ୍ଟ୍‌ର ପ୍ରକାର ଓ ଆକାର ନିର୍ଦ୍ଧାରଣ କରି ଇଣ୍ଡେନ୍‌ ଦେଉଥିଲେ ମଧ୍ୟ ଅନୁବନ୍ଧିତ ବିତରକଙ୍କ ପକ୍ଷରୁ ଠିକ୍‌ ସମୟରେ ଆବଶ୍ୟକ ଷ୍ଟେଣ୍ଟ୍‌ ଯୋଗାଣ ହେଉନଥିବା ଅଭିଯୋଗ ରହିଛି। ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏସ୍‌ସିବି ସହ ଅନୁବନ୍ଧିତ ଘରୋଇ ବିତରକଙ୍କ ମାଧ୍ୟମରେ କାର୍ଡିଓଲୋଜି ବିଭାଗକୁ ଷ୍ଟେଣ୍ଟ୍‌ ଯୋଗାଣ ହେଉଛି। ରୋଗୀଙ୍କ ଧମନୀର ଆବଶ୍ୟକତା ଅନୁସାରେ ଡାକ୍ତର ଷ୍ଟେଣ୍ଟ୍‌ର ନିର୍ଦ୍ଦିଷ୍ଟ ପ୍ରକାର ଓ ସାଇଜ୍‌ ଚିହ୍ନଟ କରି ଇଣ୍ଡେନ୍‌ ଦେଉଛନ୍ତି। ହେଲେ ଇଣ୍ଡେନ୍‌ ଅନୁଯାୟୀ ଆବଶ୍ୟକ ଷ୍ଟେଣ୍ଟ୍‌ ଠିକ୍‌ ସମୟରେ ନ ମିଳିବାରୁ ରୋଗୀଙ୍କ ଚିକିତ୍ସା ପ୍ରଭାବିତ ହେଉଥିବା ଅଭିଯୋଗ ହୋଇଛି।ବିଭାଗ ପକ୍ଷରୁ ଦିଆଯାଉଥିବା ଇଣ୍ଡେନ୍‌ କିମ୍ବା ଅର୍ଡର ଅନୁଯାୟୀ ୭ ଦିନ ମଧ୍ୟରେ ଷ୍ଟେଣ୍ଟ୍‌ ଯୋଗାଣ କରିବାର ଚୁକ୍ତି ଥିବା କୁହାଯାଉଛି। ତେବେ ବାସ୍ତବରେ ଆବଶ୍ୟକ ଷ୍ଟେଣ୍ଟ୍‌ ପହଞ୍ଚିବାକୁ ପ୍ରାୟ ୧୫ ଦିନ ସମୟ ଲାଗୁଥିବା ବିଭାଗୀୟ ସୂତ୍ରରୁ ଅଭିଯୋଗ ହୋଇଛି। ଫଳରେ ଜରୁରୀ ଚିକିତ୍ସା ଆବଶ୍ୟକ କରୁଥିବା ଗୁରୁତର ହୃଦ୍‌ରୋଗୀଙ୍କ ଚିକିତ୍ସା ଯୋଜନା ପ୍ରଭାବିତ ହେଉଛି। ବିଶେଷକରି ୱାର୍ଡ ଓ ଆଇସିୟୁରେ ଭର୍ତ୍ତି ରୋଗୀଙ୍କ ପାଇଁ ଆବଶ୍ୟକ ସମୟରେ ଷ୍ଟେଣ୍ଟ୍‌ ଉପଲବ୍ଧ ନ ହେବା ଚିନ୍ତାର କାରଣ ପାଲଟିଛି। ଏସ୍‌ସିବି କାର୍ଡିଓଲୋଜି ବିଭାଗ ଉପରେ ରୋଗୀଙ୍କ ଚାପ ମଧ୍ୟ ଦିନକୁ ଦିନ ବଢ଼ୁଛି।ବିଭାଗୀୟ ସୂତ୍ର ଅନୁଯାୟୀ, ବହିର୍ବିଭାଗକୁ ପ୍ରତିଦିନ ପ୍ରାୟ ୭୦୦ ରୋଗୀ ପରାମର୍ଶ ଓ ଚିକିତ୍ସା ପାଇଁ ଆସୁଛନ୍ତି। ସେଥିରୁ ୫୦ରୁ ଅଧିକ ରୋଗୀ ପ୍ରତିଦିନ ଆଡମିସନ୍‌ ହେଉଛନ୍ତି। ଏହାବ୍ୟତୀତ ଆଶୁଚିକିତ୍ସା କେନ୍ଦ୍ରରୁ ମଧ୍ୟ ପ୍ରତିଦିନ ପ୍ରାୟ ୧୦ରୁ ୨୦ ଜଣ ରୋଗୀ କାର୍ଡିଓଲୋଜି ୱାର୍ଡକୁ ଅଧିକ ଚିକିତ୍ସା ପାଇଁ ଆସୁଛନ୍ତି। ଏତେ ସଂଖ୍ୟକ ରୋଗୀଙ୍କ ତୁଳନାରେ ଡାକ୍ତର ଓ ଚିକିତ୍ସା ଭିତ୍ତିଭୂମିର ଅଭାବ ଥିବା ମଧ୍ୟ ଅଭିଯୋଗ ହୋଇଛି। ଏହା ମଧ୍ୟରେ ଷ୍ଟେଣ୍ଟ୍‌ ଯୋଗାଣ ସମସ୍ୟା ବିଭାଗର ଚିନ୍ତାକୁ ଆହୁରି ବଢ଼ାଇଛି। ମିଳିଥିବା ସୂଚନା ଅନୁଯାୟୀ, ଗତ ୫ ମାସ ମଧ୍ୟରେ ଏସ୍‌ସିବିରେ ହୃଦ୍‌ରୋଗୀଙ୍କଠାରେ ୫୫୧ଟି ଷ୍ଟେଣ୍ଟ୍‌ ଲଗାଯାଇଛି। ଅନ୍ୟପକ୍ଷରେ ଷ୍ଟେଣ୍ଟ୍‌ ଅଭାବ ଯୋଗୁ ଦେଢ଼ଶହରୁ ଅଧିକ ରୋଗୀ ଫେରିଯାଇଥିବା ଖବର ମିଳିଛି। ଅନୁବନ୍ଧିତ ସଂସ୍ଥାଗୁଡ଼ିକ ଜରୁରୀ ଆବଶ୍ୟକତା ଅନୁଯାୟୀ ଷ୍ଟେଣ୍ଟ୍‌ ଉପଲବ୍ଧ କରାଇବା ବଦଳରେ ବିଳମ୍ବ କରୁଥିବା ଅଭିଯୋଗ ରହିଛି। ଏହାଦ୍ୱାରା ଜରୁରୀ ସମୟରେ ଆବଶ୍ୟକ ଷ୍ଟେଣ୍ଟ୍‌ ନ ମିଳିବାରୁ ରୋଗୀଙ୍କ ଚିକିତ୍ସା ବିଳମ୍ବିତ ହେଉଥିବା କୁହାଯାଉଛି। ଗତ ମାସରେ ଏହି ସମସ୍ୟା ମଧ୍ୟରେ ୪ ଜଣ ରୋଗୀଙ୍କ ମୃତ୍ୟୁ ଘଟିଥିବା ଏବଂ ୫୦ରୁ ଅଧିକ ରୋଗୀ କାର୍ଡିଓଲୋଜି ବିଭାଗରୁ ନିରାଶ ହୋଇ ଫେରିଯାଇଥିବା ସୂଚନା ମିଳିଛି। ତେବେ ଏହି ମୃତ୍ୟୁଗୁଡ଼ିକର ସିଧାସଳଖ କାରଣ ଷ୍ଟେଣ୍ଟ୍‌ ଅଭାବ ଥିଲା କି ନାହିଁ, ତାହାର ସ୍ୱତନ୍ତ୍ର ନିଶ୍ଚିତତା ମିଳିନାହିଁ। ଷ୍ଟେଣ୍ଟ୍‌ ଯୋଗାଣରେ ବିଳମ୍ବ ଓ ବ୍ୟତିକ୍ରମ ନେଇ ଅଭିଯୋଗ ଥିଲେ ମଧ୍ୟ ଏହାର ସମାଧାନ ପାଇଁ ମେଡିକାଲ୍‌ କର୍ତ୍ତୃପକ୍ଷଙ୍କ ପକ୍ଷରୁ କେତେ ପଦକ୍ଷେପ ନିଆଯାଇଛି, ତାହା ନେଇ ମଧ୍ୟ ପ୍ରଶ୍ନ ଉଠିଛି। ପୂର୍ବ ଭାରତର ଏକ ପ୍ରମୁଖ ଚିକିତ୍ସା ପ୍ରତିଷ୍ଠାନ ଭାବେ ଏସ୍‌ସିବିର କାର୍ଡିଓଲୋଜି ବିଭାଗର ଗୁରୁତ୍ୱ ରହିଛି। ପେସମେକର୍‌ ପ୍ରତିରୋପଣ କ୍ଷେତ୍ରରେ ମଧ୍ୟ ଏସ୍‌ସିବିର ଉଲ୍ଲେଖନୀୟ ରେକର୍ଡ ଥିବା କୁହାଯାଉଛି। ଗୁଣାତ୍ମକ ଚିକିତ୍ସା ଆଶାରେ ଓଡ଼ିଶା ସମେତ ପୂର୍ବ ଭାରତର ବିଭିନ୍ନ ସ୍ଥାନରୁ ହୃଦ୍‌ରୋଗୀ ଏଠାକୁ ଆସୁଛନ୍ତି। ଏଭଳି ସ୍ଥିତିରେ ଜରୁରୀ ଚିକିତ୍ସା ସାମଗ୍ରୀ ଷ୍ଟେଣ୍ଟ୍‌ର ଯୋଗାଣ ବ୍ୟବସ୍ଥାରେ ବିଳମ୍ବ ଓ ଅନିୟମିତତାର ଅଭିଯୋଗ ରୋଗୀ ଓ ସେମାନଙ୍କ ପରିବାର ମଧ୍ୟରେ ଚିନ୍ତା ବଢ଼ାଇଛି। ଷ୍ଟେଣ୍ଟ୍‌ ଯୋଗାଣ ବ୍ୟବସ୍ଥାକୁ ସୁଚାରୁ କରି ଜରୁରୀ ସମୟରେ ଆବଶ୍ୟକ ଉପକରଣ ଉପଲବ୍ଧ କରାଇବା ସହ ରୋଗୀଙ୍କ ଚିକିତ୍ସାରେ ଯେପରି ବାଧା ନ ଉପୁଜେ, ସେଥିପାଇଁ ପଦକ୍ଷେପ ନେବାକୁ ଦାବି ଉଠିଛି। ଏ ସମ୍ପର୍କରେ ଏସ୍‌ସିବି ମେଡିକାଲ୍‌ ଅଧୀକ୍ଷକ ପ୍ରଫେସର ଡାକ୍ତର ଜ୍ୟୋତିଷ ଚନ୍ଦ୍ର ଚୌଧୁରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ