ଓଏଲଏମ ବଦଳି ପ୍ରତିବାଦ ଘଟଣା ; କାର୍ଯ୍ୟାଳୟରେ ତାଲା ପକାଇଥିବାରୁ ୭ ମହିଳାଙ୍କ ନାମରେ ମାମଲା
ବାରିକପୁର, (ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ଓଡିଶା ଜୀବିକା ମିଶନ କାର୍ଯ୍ୟାଳୟରେ କାର୍ଯ୍ୟରତ ଜଣେ ମହିଳା ଓଏଲଏମ କର୍ମଚାରୀଙ୍କ ବଦଳିକୁ ନେଇ ପ୍ରାୟ ଏକ ସପ୍ତାହ ଧରି ପ୍ରତିବାଦ ଦେଖାଦେଇଥିଲା । ଏପରିକି ଯେଉଁ ନଅଗୋଟି ପଞ୍ଚାୟତ ଦାୟିତ୍ୱରେ ଓଏଲଏମ କାର୍ଯ୍ୟ କରୁଥିଲେ ସେଠିକାର ମହିଳା ସଂଘ କର୍ମକର୍ତ୍ତ ମାନେ ଏଥିରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ । ବ୍ଲକ କାର୍ଯ୍ୟାଳୟରେ ନଅଗୋଟି ପଞ୍ଚାୟତର ମହିଳାମାନେ ଧାରଣା ଦେବା ସହ ବଦଳି ଆଦେଶକୁ ବାତିଲ କରିବା ପାଇଁ ସେମାନେ ଦାବି କରିଥିଲେ । ବ୍ଲକ ସଭାଗୃହ ମଧ୍ୟରେ ବୈଠକ କରାଇନଦେବା ସହ ମିଶନ ଶକ୍ତି କାର୍ଯ୍ୟାଳୟକୁ ଧାରଣାରତ ମହିଳା ମାନେ ମଧ୍ୟ ଚାବି ପକାଇଦେଇଥିଲେ । କୌଣସି ସରକାରୀ କାର୍ଯ୍ୟାଳୟକୁ ବନ୍ଦ କରାଇବା ବେଆଇନ ଦର୍ଶାଇ ବିଡିଓ ଦେବଦତ୍ତ ଦାସ ମହିଳା ମାନଙ୍କ ନାମରେ ସ୍ଥାନୀୟ ଥାନା ଠାରେ ଲିଖିତ ଅଭିଯୋଗ କରିଥିଲେ । ଏନେଇ ପୁଲିସ ପକ୍ଷରୁ ଅନୁଧ୍ୟାନ କରାଯିବା ପରେ ସାତଜଣ ମହିଳାଙ୍କ ନାମରେ ୨୩୬/୨୧ରେ ମାମଲା ରୁଜ୍ଜୁ ହୋଇଥିବା ଜଣାଯାଇଛି ।


