ଓଡ଼ିଆ ଘରେ ଷଠି ଓଷା
ନିମାପଡ଼ା, (ସନ୍ତୋଷ ଦାଶ):ଭାଦ୍ରବ ଶୁକ୍ଳ ଷଷ୍ଠୀରେ ପ୍ରତି ଓଡ଼ିଆ ଘରେ ଷଠିଓଷା ପାଳନ ହୁଏ । ଶିଶୁମାନଙ୍କ ମଙ୍ଗଳ କାମନା କରି ଏଇ ପୂଜାଟି ଘରର ମହିଳା ମାନେ ପାଳନ କରିଥାନ୍ତି । ଦେବୀ ଷଷ୍ଠୀ ହେଉଛନ୍ତି କାର୍ତ୍ତିକେୟଙ୍କ ପତ୍ନୀ ଦେବସେନା ଯାହାଙ୍କୁ କୌମାରୀ ରୂପେ ମଧ୍ୟ ଜଣାଯାଏ। ଷଠୀ ବୁଢ଼ୀ , ତା’ର ସବୁ ପିଲାଙ୍କୁ ପଣତ କାନି ରେ ଘୋଡେଇ ରଖିଥାଏ ସାରୁ, ବଜ୍ରମୂଳି, ଅପମାରଙ୍ଗ,ବାଉଁଶ, ବରକୋଳି,ଓଲୁଅ ଡାଳକୁ ନେଇ ବଜ୍ରମୂଳି ଭାବରେ ମା ଷଠୀ ଦୂଷେଇଙ୍କ ପାଖରେ ପୂଜା ହୁଏ।
ଶୀଳ ଓ ଶିଳପୁଆକୁ ମା ଷଠି ଦେବୀ ମନେ କରି ଭାତ, ଡାଲି, ମାଛ ଭଜା(ଜଣେ ଜଣେ ଭୋଗ ଲଗନ୍ତି ନାହିଁ ), ଚକୁଳି ପିଠା, ଦୁଇ ପ୍ରକାର ଶାକାହାରୀ ତରକାରୀ ଭଳି ଛଅ ପ୍ରକାର ଖାଦ୍ୟ ସମର୍ପଣ କରାଯାଏ। ଶିଳପୁଆକୁ ହଳଦୀ କନାରେ ବନ୍ଧାଯାଏ ଓ ତା’ ଉପରେ ହଳଦୀ ରଖାଯାଏ । ଅପାମାରଙ୍ଗ, ବାଉଁଶ, ଧାନ, ବଜ୍ରମୂଳୀ, ସାରୁ ଆଦି ପାଞ୍ଚ ପ୍ରକାର ଗଛକୁ ଏକାଠି କରି ବନ୍ଧାଯାଏ । ଗୋଟେ ପୂର୍ଣ୍ଣ କୁମ୍ଭ ତା’ ପାଖରେ ରଖାଯାଏ । ଗଳି ଗୁଆ, ସିନ୍ଦୁର ଫରୁଆ, କଜଳ ପାତି ତା’ ପାଖରେ ଥୁଆ ହୁଏ । ତା’ପରେ ଦୁବ, ବରକୋଳି ପତ୍ର ଓ ଅରୁଆ ଚାଉଳରେ ବନ୍ଦାପନା ହୁଏ । ସମସ୍ତେ ପୂଜା ହୋଇଥିବା ହଳଦୀ କନାକୁ ହାତରେ ବାନ୍ଧନ୍ତି ।ରାତିରେ, ପାଞ୍ଚ ପ୍ରକାର ଗଛକୁ ଏକାଠି କରି ବାନ୍ଧିଥିବା ଗୋଛାରେ ଶିଶୁମାନଙ୍କ ରକ୍ଷାବିଧାନାର୍ଥ ତାଙ୍କ ପିଠିରେ ମାଆ ଆଦି ବର୍ଷୀୟସୀମାନେ ଧୀରେ ଧୀରେ ଆଘାତ କରନ୍ତି । ଯାହାକୁ ଷଠିବାଡ଼ିଆ କହନ୍ତି । ଏତଦ୍ୱାରା ଶିଶୁମାନଙ୍କର ସମସ୍ତ ରିଷ୍ଟ ଖଣ୍ଡିତ ହୁଏ । ଏହି ସମୟରେ ଆଘାତ କରୁଥିବା ମହିଳାମାନେ ବୋଲନ୍ତି: “ଓଲୁଅ ପରି ବଢିଯା, ବଣସାରୁ ପରି ମାଡ଼ିଯା, ଜୀଁ ଜୀଁ – ବଜ୍ର ହୋ ! ବଜ୍ର ହୋ !”


