ଓଡ଼ିଶାରେ ବିଜେପି ସରକାର ଆସିଲା, ପାରଳାରେ ପୌରପାଳିକାକୁ ସ୍ମାର୍ଟସିଟି ଭାବେ ବିକାଶ ହେବ….?

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଓଡ଼ିଶାର ୨ ୟ ପୁରାତନ ପାରଳା ପୌରପାଳିକାରେ ରାସ୍ତାଘାଟ ଅତ୍ୟନ୍ତ ଶୋଚନୀୟ ହୋଇପଡିଛି. ବିଗତ ୨୦୧୪ ସାଧାରଣ ନିର୍ବାଚନ ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପାରଳାବାସୀଙ୍କୁ ପ୍ରତିଶୃତି ଦେଇ କହିଥିଲେ ଓଡ଼ିଶାରେ ବିଜେପି ସରକାର ଆସିଲେ ପାରଳା ସହରକୁ ସ୍ମାର୍ଟସିଟି ଭାବେ ସମସ୍ତ ବିକାଶ କରାଯିବ. ବର୍ତ୍ତମାନ ବିଜେପି ସରକାର ଆସିଲା. ତେଣୁ ପାରଳାବାସୀ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ପାରଳା ସହରର ରାସ୍ତାଘାଟର ବିକାଶ ପାଇଁ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ନିବେଦନ କରିଛନ୍ତି. ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ପୌରପାଳିକା ଓଡ଼ିଶାରେ ଦ୍ଵିତୀୟ ପୁରାତନ ପୌରପାଳିକାର ମାନ୍ୟତା ପାଇଥିଲେ ମଧ୍ୟ ସହରରେ ରାସ୍ତାଘାଟର ଉନ୍ନତି ସେତିକି ପରିମାଣରେ ହୋଇପାରି ନଥିବା ଯୋଗୁଁ ଅଞ୍ଚଳବାସୀଙ୍କ ଠାରେ ଅସନ୍ତୋଷ ପ୍ରକାଶ ପାଇଛି. ବିଶେଷକରି ସହରର ମୁଖ୍ୟରାସ୍ତା ସମ୍ପ୍ରସାରଣ ବର୍ତ୍ତମାନ ସୁଦ୍ଧା ହୋଇ ପାରି ନଥିବା ବେଳେ ଏଥି ନିମନ୍ତେ କେହି ହେଲେ ଆଗ୍ରହ ପ୍ରକାଶ କରୁନାହାନ୍ତି ବୋଲି ପାରଳାର କେତେକ ବୁଦ୍ଧିଜୀବୀ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ପ୍ରଦାନ କରି କହିଛନ୍ତି ଯେ ପାରଳାରେ ରାସ୍ତା ସମ୍ପ୍ରସାରଣ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଅନୁଦାନ ପ୍ରଦାନ କରାଯାଇଥିଲେ ମଧ୍ୟ ଏହାକୁ ପୂର୍ଣ୍ଣ କରିବାରେ ପୌରପାଳିକା ବିଫଳ ହୋଇଛି. ପୂର୍ତ ବିଭାଗ ଅଣଓସାରିଆ ରାସ୍ତା ଯୋଗୁଁ ସହରର ହାଇସ୍କୁଲ ଛକ ଠାରୁ ନୂଆ ବସ୍‌ଷ୍ଟାଣ୍ଡ ମଧ୍ୟରେ ପ୍ରତ୍ୟେକ ଦିନ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ସହରର ବଜାର ଛକ, ପୁରୁଣା ବସ୍‌ଷ୍ଟାଣ୍ଡ, ନୂଆ ବସ୍‌ଷ୍ଟାଣ୍ଡ ଅଞ୍ଚଳରେ ଅଧିକ ଟ୍ରାଫିକ ସମସ୍ୟା ଦେଖା ଦେଉଛି| ଅଣଓସାରିଆ ରାସ୍ତା ସାଙ୍ଗକୁ ରାସ୍ତା ଉପରେ ଉଠାଦୋକାନୀଙ୍କ ପସରା ନାକେଦମକରିଦେଉଛି। ପୌରପାଳିକାର ଅଧ୍ୟକ୍ଷ, ଉପାଧ୍ୟକ୍ଷ, ନିର୍ବାଚିତ କାଉନସିଲର ଓ ଅଧିକାରୀମାନେ ଏହାର ସ୍ଥାୟୀ ସମାଧାନ କରିବାରେ ବିଫଳ ହେଉଛନ୍ତି । କିଛି ମାସ ପୂର୍ବେ ପୌରାଧ୍ୟକ୍ଷାଙ୍କ ସହ ୧୬ଟି ୱାର୍ଡର କାଉନସିଲର ପୂର୍ତ ବିଭାଗ ଯନ୍ତ୍ରୀଙ୍କୁ ସାକ୍ଷାତ କରି ରାସ୍ତାକୁ ପୁନଃ ନିର୍ମାଣ କରିବା ପାଇଁ ଦାବି ଜଣାଇଥିଲେ । ଏଯାବତ ପୂର୍ତ୍ତ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲାନାହିଁ ।ଇତିମଧ୍ୟରେ ରାଜ୍ୟରେ ସରକାର ବଦଳି ଥିବା ବେଳେ ପୁଣି ନୂଆ ଆଶା ଦାନା ବାନ୍ଧିଛି । ୨୦୧୪ ସାଧାରଣ ନିର୍ବାଚନ ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପାରଳାଖେମୁଣ୍ଡିବାସୀଙ୍କୁ ପ୍ରତିଶ୍ରୁତି ଦେଇ କହିଥିଲେ ଯେ ଯଦି ରାଜ୍ୟରେ ବିଜେପି ସରକାର ଗଠନ କରେ, ତା’ହେଲେ ନିଶ୍ଚିତ ଭାବେ ପାରଳା ସହରକୁ ସ୍ମାର୍ଟ ସହରରେ ରୂପାନ୍ତରିତ କରାଯିବ। ଏଣୁ ନୂତନ ବିଜେପି ସରକାର ପାରଳାଖେମୁଣ୍ଡି ସହରର ରାସ୍ତାଘାଟର ଉନ୍ନତି ନିମନ୍ତେ କି ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି, ତାହାକୁ ପାରଳାବାସୀ ଅପେକ୍ଷା କରି ରହିଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ