ଓଡିଶାବାସୀଙ୍କୁ କୋଭିଡ ଟିକା ମାଗଣାରେ ଯୋଗାଇଦେବେ ମୋଦି ସରକାର

ବାଲେଶ୍ୱର,(ୱାଇଏନ୍ଏସ୍): ଭାରତରେ ସମସ୍ତଙ୍କୁ ମାଗଣାରେ କରୋନା ଟିକା ଦେବା ଲାଗି ମୋଦି ସରକାର ପୂରା ପ୍ରସ୍ତୁତି ଚଲାଇଛନ୍ତି । ଟୀକା ବଣ୍ଟନ ଆରମ୍ଭ ହେଲେ ଓଡିଶାବାସୀଙ୍କ ପାଖରେ କୋଭିଡ ଟୀକା ଉପଲବ୍ଧ କରାଯିବ । କିନ୍ତୁ ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓଡିଶାବାସୀଙ୍କୁ ନିଜ ଅର୍ଥରେ ଟୀକା ଯୋଗାଇବା ପାଇଁ ରାଜ୍ୟସରକାର ପୁଣେର ସେରମ ଇନଷ୍ଟିଚ୍ୟୁଟ ସହ ଏମଓୟୁ କରି ୫ କୋଟି ଟଙ୍କା ଅଗ୍ରୀମ କଥା କହି ପୁଣିଥରେ ଓଡିଶାବାସୀଙ୍କୁ ଭ୍ରମିତ କରିବା ପାଇଁ ଚେଷ୍ଟା କରିଛନ୍ତି । ଓଡିଶାବାସୀଙ୍କୁ ମୁଖ୍ୟମନ୍ତ୍ରୀ କିମ୍ବା ଯୋଗାଣ ମନ୍ତ୍ରୀ ନୁହେଁ, ମୋଦି ସରକାର କୋଭିଡ ଟିକା ମାଗଣାରେ ଯୋଗାଇଦେବେ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି । ସେପ୍ଟେମ୍ବର ୨୬ରେ ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦାର୍ ପୁନେୱାଲା ଭାରତ ବର୍ଷରେ ସମସ୍ତଙ୍କୁ ମାଗଣାରେ କୋଭିଡ ଟିକା ପ୍ରଦାନ ପାଇଁ ୮୦ ହଜାର କୋଟି ଟଙ୍କାର ବ୍ୟୟ ବରାଦ ପାଇଁ ପ୍ରସ୍ତୁତ ହେବାକୁ ଆଗ୍ରହ ପ୍ରକାଶ କରିଥିଲେ । ସେପ୍ଟେମ୍ବର ୨୯ରେ କେନ୍ଦ୍ର ଶାସନ ସଚିବ ରାଜେଶ ଭୂଷଣ ପ୍ରକାଶ କଲେ କି, ସମସ୍ତଙ୍କୁ କୋଭିଡ ଟିକା ପ୍ରଦାନ ଓ ସେଥିସକାଶେ ଆର୍ଥିକ ଆକଳନ ପାଇଁ ନ୍ୟାସନାଲ ଏକ୍ସପର୍ଟ ଗ୍ରୁପ ଅନ୍ ଭ୍ୟାକ୍ସିନଗଠିତ ହୋଇଛି । ସେତେବେଳକୁ ଏହି ଗ୍ରୁପର ୫ ଟି ବୈଠକ ଅନୁଷ୍ଠିତ ହୋଇସାରିଥିଲା । ଏଥିରେ ଭାରତର ସମସ୍ତ ଜନସାଧାରଣଙ୍କୁ ଟିକା ପ୍ରଦାନ ପାଇଁ ପଦ୍ଧତିଗତ ଓ ଆର୍ଥିକ ଦିଗର ସବିଶେଷ ଆଲୋଚନା ସମାପ୍ତ ହୋଇସାରିଥିଲା । ଆବଶ୍ୟକ ଅର୍ଥରାଶି ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ କୌଣସି ସମସ୍ୟା ନାହିଁ ବୋଲି ମଧ୍ୟ ସେ ପ୍ରକାଶ କରିଥଲେ । କୋଭିଡ ଟିକା ସମ୍ବନ୍ଧରେ ଭାରତ ସରକାରଙ୍କ ଉଚ୍ଚସ୍ତରୀୟ ବିଶେଷଜ୍ଞ ଦଳ ନିଷ୍ପତି ନେଉଛନ୍ତି । ସେଥିରେ ଓଡିଶାର ମୁଖ୍ୟମନ୍ତ୍ରୀ କିମ୍ବା ଯୋଗାଣ ବିଭାଗର କୌଣସି ଭୂମିକା ନାହିଁ । କୋଭିଡ ମୁକାବିଲା କରିବା ପାଇଁ ମୋଦି ସରକାର ଓଡିଶାକୁ ୨୨ ହଜାର ୨୬୭ କୋଟିର ସହାୟତା ଦେଇଥିବାବେଳେ କେବଳ ବାଲେଶ୍ୱର ଜିଲ୍ଲା ପାଇଁ ୯୨୨.୪୮ କୋଟି ଟଙ୍କା ପ୍ରଦାନ କରିଛନ୍ତି । ଏହି ଅର୍ଥର ସବିଶେଷ ହିସାବ ପଢି ସାରିବା ପରେ ଯୋଗାଣ ମନ୍ତ୍ରୀ ନିଜ ବକ୍ତବ୍ୟ ରଖିଥିଲେ ଭଲ ହୋଇଥାନ୍ତା । ସେଥିରେ ରାସନ ଓ ଇନ୍ଧନ ଗ୍ୟାସ ଯୋଗାଣ, ଜନଧନ ଖାତାକୁ ଆର୍ଥିକ ସହାୟତା, ପିଏମ କିଷାନ ସମ୍ମାନ ନିଧୀ , ଜାତୀୟ ସାମାଜିକ ସୁରକ୍ଷା ଭତା ଆଦିର ହିସାବ ରହିଛି । ସେ ସବୁର ଆକଳନ ରାଜ୍ୟ ମାନଙ୍କ ସ୍ୱାସ୍ଥ୍ୟ ବଜେଟରୁ କାହିଁକି ମନ୍ତ୍ରୀ ଶ୍ରୀ ସ୍ୱାଇଁ ଖୋଜୁଛନ୍ତି ବୋଲି ଶ୍ରୀ ଷଡଙ୍ଗୀ ପ୍ରଶ୍ନ କରିଛନ୍ତି । ଆମେରିକାର ବ୍ୟାଧି ନିୟନ୍ତ୍ରଣ କେନ୍ଦ୍ର ଓ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନଙ୍କ ସୁପାରିଶ ଅନୁଯାୟୀ କୋରନା ଟିକା ବଜାରକୁ ଆସିଲେ ସମାଜର ସବୁଠୁ ଦୁର୍ବଳ ଓ ଅସୁରକ୍ଷିତ ଲୋକଙ୍କୁ ପ୍ରଥମେ ଦିଆଯିବ । କରୋନା ଟିକାର ଉପଲବ୍ଧତା, ଏହାର ମହଜୁଦ୍‌, ତାପମାତ୍ରା ରକ୍ଷା ଏବଂ ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରରେ ଏହାକୁ ପହଂଚାଇବା ପାଇଁ ଜିଓ ଟ୍ୟାଗ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ପାଇଁ ଇ-ଭିନ ନେଟୱକକୁ ପୁନଃଉଦ୍ୟେଶିତ କରାଯିବ । କରୋନା ଟିକା ବାହାରିଲେ ପ୍ରଥମେ ୩୦କୋଟି କରୋନା ଯୋଦ୍ଧା ସହ ୫୦ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ଲୋକଙ୍କୁ ଦେବାର ବ୍ୟବସ୍ଥା ରହିଛି । ଯୋଗାଣ ମନ୍ତ୍ରୀ କିଛି ନଜାଣି ମନଇଛା ବୟାନବାଜି କରିଚାଲିଛନ୍ତି । ପୂର୍ବରୁ ବାଲେଶ୍ୱର ବିଧାୟକଙ୍କ ମୃତ୍ୟୁ ବିଜେଡି ଜିତିବା ପାଇଁ ଏକ ସୁଯୋଗ ବୋଲି କହିବା, ରାଜ୍ୟରେ ଆଗାମୀ ୨ ମାସ ଧରି ପିଆଜ ଦର ବଢିବା ନେଇ ମନ୍ତବ୍ୟ ଦେବା, ରାଜ୍ୟସରକାର କୋରନା ଟିକା ପାଇଁ ଏମଓୟୁ କରିବା ଏବଂ ଗତକାଲି ଏକ ଘରୋଇ ଗଣମାଧ୍ୟମର ମହିଳା ପତ୍ରକାରକୁ ଠେଲିଦେବା ଆଦି କାର୍ଯ୍ୟରୁ ଜଣାପଡୁଛି କି ମନ୍ତ୍ରୀ ରାଜା ସ୍ୱାଇଁ ଏବେ ମାନସିକ ଚାପରେ ରହୁଛନ୍ତି । କେତେବେଳେ ସେ କଣ ବୟାନ ଦେଉଛନ୍ତି ସେ ନିଜେ ବି ଜାଣୁନାହାଁନ୍ତି ବୋଲି ଶ୍ରୀ ଷଡଙ୍ଗୀ କହିଛନ୍ତି । ବିଶ୍ୱ ମହାମାରୀ କୋଭିଡ-୧୯ ସମୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ହାତଖୋଲି ଓଡିଶାକୁ ସହଯୋଗ କରିଛନ୍ତି । କୋଭିଡ ମୁକାବିଲା କରିବା ପାଇଁ ମୋଦି ସରକାର ଓଡିଶାକୁ ୨୨ ହଜାର ୨୬୭ କୋଟିର ସହାୟତା ଦେଇଥିବାବେଳେ କେବଳ ବାଲେଶ୍ୱର ଜିଲ୍ଲା ପାଇଁ ୯୨୨.୪୮ କୋଟି ଟଙ୍କା ପ୍ରଦାନ କରିଛନ୍ତି । ରାଜ୍ୟକୁ ଏତେ ପରିମାଣରେ ଅର୍ଥ ଆସିବା ପରେ ପ୍ରତିଦିନ କୋଭିଡ ପରିଚାଳନାରେ ବ୍ୟାପକ ତ୍ରୁଟି ଦେଖିବାକୁ ମିଳୁଛି ବୋଲି ଶ୍ରୀ ଷଡ଼ଙ୍ଗୀ ଅଭିଯୋଗ କରିଛନ୍ତି । ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର, ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ନୀଳଗିରୀ ବିଧାୟକ ସୁକାନ୍ତ ନାୟକ, ରାଜ୍ୟ ମୁଖପାତ୍ର ବିରଞ୍ଚି ନାରାୟଣ ତ୍ରିପାଠୀ, ଜୋନାଲ୍ ମିଡ଼ିଆ ସଂଯୋଜକ ସତ୍ଯଜିତ୍ ମିଶ୍ର ଓ ଜିଲ୍ଲା ମିଡ଼ିଆ ସଂଯୋଜକ ଶ୍ରୀନିବାସ ପ୍ରଧାନ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ