ଓଡିଶାରେ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ୨୦୩୦ର ସଫଳ ରୂପାୟନ କ୍ଷେତ୍ର ଅଧିକାରୀମାନଙ୍କ ପାଇଁ ଜିଲ୍ଲାସ୍ତରୀୟ କର୍ମଶାଳା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ମିଳିତ ଜାତିସଂଘ ପକ୍ଷରୁ ପ୍ରସ୍ତୁତ ‘ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ’ ୨୦୩୦ର ଓଡିଶାରେ ସଫଳ ରୂପାୟନ ଲାଗି ରାଜ୍ୟ ସରକାର ବିଶେଷ ପଦକ୍ଷେପ ନେଉଛନ୍ତି । ଏନେଇ ଯୋଜନା ଏବଂ ସଂଯୋଜନ ବିଭାଗ ପକ୍ଷରୁ ପ୍ରତ୍ୟକ ଜିଲ୍ଲାର କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କୁ ନେଇ ଏକ ସ୍ୱତନ୍ତ୍ର କର୍ମଶାଳା କରାଯିବ । ଏହି ପରିପ୍ରେକ୍ଷୀରେ କେନ୍ଦ୍ରାପଡା ଜିଲ୍ଲାରେ ଏହି ଦୁଇଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଜନ ସମୁଦାୟ ପାଇଁ ଦୀର୍ଘସ୍ଥାୟୀ ଆର୍ôଥକ, ସାମାଜିକ ଓ ପାରିବେଶକ ବିକାଶକୁ ସୁନିଶ୍ଚିତ କରିବା ପାଇଁ ମିଳିତ ଜାତିସଂଘ ପକ୍ଷରୁ ୨୦୧୫ ମସିହାରେ ୧୭ଟି ପ୍ରମୁଖ ଲକ୍ଷ୍ୟକୁ ‘ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ’ ବା ଏସ୍‌.ଡି.ଜି. ଭାବେ ଚିହ୍ନଟ କରାଯାଇଛି । ସେହି ଲକ୍ଷ୍ୟ ଗୁଡିକୁ ୨୦୩୦ସୁଧା ହାସଲ କରିବା ଲାଗି ରାଜ୍ୟସରକାର ଅବଶ୍ୟକ ଖସଡା ଓ ପଦକ୍ଷେପ ନେଉଛନ୍ତି । କେନ୍ଦ୍ରାପଡା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଚାଲିଥିବା ଏହି ଦୁଇଦିନିଆ ସାମର୍ଥ୍ୟ ବିକାଶ ତାଲିମ କାର୍ଯ୍ୟକ୍ରମ ଗୁରୁବାର ଦିନ ଶେଷ ହୋଇଛି । ବୁଧବାର ଦିନ କେନ୍ଦ୍ରାପଡା ଜିଲ୍ଲାପାଳ ଅମ୍ରିତ ଋତୁରାଜ ଏହାର ଉଦ୍‌ଘାଟନ କରିଥିଲେ । ରାଜ୍ୟସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନାକୁ ତୃଣମୂଳ ସ୍ତରରେ ଲୋକମାନଙ୍କ ପାଖରେ ପହଞ୍ଚାଇବା ସହ ସେଗୁଡିକର ସଫଳ କାର୍ଯ୍ୟକାରିତା ଉପରେ ବିଶେଷ ଧ୍ୟାନଦେବାକୁ ଜିଲ୍ଲାପାଳ ଉପସ୍ଥିତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ତାଲିମ କାର୍ଯ୍ୟକ୍ରମର ଉଦ୍‌ଘାଟନ ଅବସରରେ ରାଜ୍ୟ ସରକାରଙ୍କ ଉନ୍ନୟନ କମିଶନର ତଥା ଅତିରିକ୍ତ ଶାସନ ସଚିବ ପ୍ରଦୀପ କୁମାର ଜେନା, ଜିଲ୍ଲାର ସମସ୍ତ ବିଭାଗର ଅଧିକାରୀଙ୍କୁ ଏସ.ଡି.ଜି. ଲକ୍ଷ୍ୟକୁ ୨୦୩୦ ମସିହା ସୁଧା ପୂରଣ କରିବାପାଇଁ ବାର୍ତ୍ତା ଦେଇଥିଲେ । କେନ୍ଦ୍ରାପଡା ଜିଲ୍ଲା ଏସ.ଡି.ଜି.ର ନୋଡାଲ ଅଧିକାରୀ ଭାବେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ରାଜେନ୍ଦ୍ର କୁମାର ପଣ୍ଡା ଏହି କର୍ମଶାଳାରେ ଯୋଗଦେଇ ଥିଲେ । ଏଥିରେ ଜିଲ୍ଲାର ୧୮ଟି ବିଭାଗର ସରକାରୀ ଅଧିକାରୀ ଓ ବ୍ଲକ ସ୍ତରୀୟ ଅଧିକାରୀ ଏବଂ ଦୁଇଟି ଗ୍ରାମପଞ୍ଚାୟତର ସରପଞ୍ଚ ଭାଗ ନେଇଥିଲେ । ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟପାଇଁ ମିଳିତ ଜାତିସଂଘ ପକ୍ଷରୁ ନିର୍ଦ୍ଧାରିତ କରାଯାଇଥିବା ପ୍ରମୁଖ ୧୭ଟି ଲକ୍ଷ୍ୟ କିପରି ହାସଲ ହୋଇପାରିବ ସେ ବିଷୟରେ ଅଧିକାରୀମାନଙ୍କୁ ବିଶେଷ ପ୍ରଶିକ୍ଷଣ ଦିଆଯାଇଥିଲା । ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ୨୦୩୦ ଏଜେଣ୍ଡାରେ ରହିଛି ରାଜ୍ୟରୁ ଦାରିଦ୍ର‌୍ୟ ସମ୍ପୂର୍ଣ୍ଣ ଦୂରିକରଣ, ଖାଦ୍ୟ ନିରାପତ୍ତାକୁ ସୁନିଶ୍ଚିତ କରି କ୍ଷୁଦାମୁକ୍ତ ରାଜ୍ୟ ଗଠନ କରିବା, ସମସ୍ତଙ୍କ ପାଇଁ ପୋଷଣଯୁକ୍ତ ଖାଦ୍ୟ ଉପଲବ୍ଧ କରାଇବା, ଗୁଣାତ୍ମକ ଶିକ୍ଷା ସହ ଲୋକଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇବା, ମହିଳା ସଶକ୍ତିକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା, ଲିଙ୍ଗଗତ ଅସମାନତା ଦୂର କରିବା, ସମସ୍ତଙ୍କ ପାଇଁ ବିଷୁଦ୍ଧ ପାନୀୟ ଜଳ ସହ ପରିମଳ ପରିଚାଳନା ଉପରେ ଗୁରୁତ୍ୱ ଦେବା । ସେହିପରି ଲୋକଙ୍କ ସୁବିଧା ପାଇଁ ଆଗାମୀ ଦିନରେ ନିରନ୍ତର ଶକ୍ତି ସେବା ଉପଲବ୍ଧ କରିବା, ଦାରିଦ୍ର‌୍ୟ ଦୂରିକରଣ, ଭିତ୍ତିଭୂମୀ ନିର୍ମାଣ ସହ ଦୀର୍ଘସ୍ଥାୟୀ ଶିଳ୍ପାୟନକୁ ପ୍ରୋତ୍ସାହନ ଦେବା, ଜଳବାୟୁ ପରିବର୍ତ୍ତନ ଏବଂ ଏହାର ପ୍ରଭାବର ମୁକାବିଲା ପାଇଁ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବା ତଥା ସ୍ଥାନୀୟ ସମ୍ବଳର ଉଚିତ ବ୍ୟବହାର କରିବା ଉପରେ ମଧ୍ୟ ଏହି ତାଲିମ କର୍ମଶାଳା ମାଧ୍ୟମରେ ଗୁରୁତ୍ୱାରୋପ କରାଯାଇଥିଲା । ଏହି କର୍ମଶାଳାକୁ ଯୋଜନା ଓ ସଂଯୋଜନା ବିଭାଗର ସାମର୍ଥ୍ୟ ବୃଦ୍ଧି ବିଶେଷଜ୍ଞ ସରୋଜ କୁମାର ଦାସ ପରିଚାଳନା କରିଥିଲେ । ଏଥିରେ ରାଜ୍ୟ ଏସ.ଡି.ଜି. ସେଲର ସହକାରୀ ନିର୍ଦେଶିକା ଅର୍ଚ୍ଚିତା ଦାସ ଓ ଡଃ. ଉପାସନା ମହାପାତ୍ର, ଅର୍ଥନୀତି ବିଶେଷଜ୍ଞ ପ୍ରଦିପ କୁମାର ପଣ୍ଡା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଯୁଗ୍ମ ନିର୍ଦେଶକ ଡା. ଅର୍ଦ୍ଧ୍ୟା ପ୍ରଧାନ ଏବଂ କେନ୍ଦ୍ରାପଡା ଜିଲ୍ଲା ପରିଷଦର କାର୍ଯ୍ୟକ୍ରମ ପ୍ରବନ୍ଧକ ଅବଦୁଲ ରହେମାନ ଖାନ ପ୍ରମୁଖ ତାଲିମଦାତା ଭାବେ ଯୋଗଦେଇଥିଲେ । ଏଥିରେ ଭାଗନେଇଥିବା ସରକାରୀ ଅଧିକାରୀ ଏବଂ ତାଲିମଦାତାମାନେ ସ୍ଥାନୀୟ କ୍ଷେତ୍ର ପରିଦର୍ଶନରେ ଯାଇଥିଲେ । ଜିଲ୍ଲାର ମାର୍ଶାଘାଇ ବ୍ଲକ ।ନ୍ତର୍ଗତ କୁହୁଡି ଗ୍ରାମପଞ୍ଚାୟତ ଏବଂ ଡେରାବିଶ ବ୍ଲକର ନରସିଂହପୁର ପଞ୍ଚାୟତ ପରିଦର୍ଶନ କରି ସେମାନେ ସ୍ଥାନୀୟ ପଞ୍ଚାୟତ ପ୍ରତିନିଧି, ମିସନଶକ୍ତି ମା, ଯୁବକ ଏବଂ ଚାଷୀମାନଙ୍କୁ ଭେଟି ପ୍ରମୁଖ ୩ଟି ପ୍ରସଙ୍ଗ ଲିଙ୍ଗଗତ ସମାନତା, ପ୍ରାକୃତିକ ବିପର୍ଯ୍ୟୟ ଏବଂ ଲିଭିଙ୍ଗ ନୋ ୱାନ ବିହାଇଣ୍ଡ ଆଦି ବିଷୟରେ ପଚାରି ବୁଝିଥିଲେ । ସେଠାରୁ ଫେରି ସରକାର୮୍‌କ ବିଭିନ୍ନ ବିକାଶ ମୂଳକ ଯୋଜନା ଓ କାର୍ଯ୍ୟକ୍ରମର ଉପଯୋଗ କରି କିଭଳି ଲୋକଙ୍କ ପାଇଁ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ପୁରଣ କରାଯାଇପାରିବ ସେ ଦିଗରେ କର୍ମଶାଳାରେ ଅଧିକ ଆଲୋଚନା କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ