ଓଡିଶା ଟପର ଓ ଜିଲ୍ଲା ଟପରମାନଙ୍କୁ କେନ୍ଦ୍ରାପଡା କ୍ରେଡିଟ କୋପରେଟିଭ ସୋସାଇଟି ପକ୍ଷରୁ ସମ୍ବର୍ଦ୍ଧନା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା କ୍ରେଡିଟ କୋପରେଟିଭ ସୋସାଇଟି ଲମିଟେଡ ପକ୍ଷରୁ ଚଳିତବର୍ଷ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ସର୍ବୋଚ୍ଚ ୫୯୦ନମ୍ବର ରଖି ଯାଜପୁର ଜିଲ୍ଲାର ବରୀ ବ୍ଲକ ଅନ୍ତର୍ଗତ ରାମପୁର ପଞ୍ଚାୟତ ହାଇସ୍କୁଲର ଛାତ୍ରୀ ଶ୍ରେୟଶ୍ରୀ ଜେନା ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ସେ ମଧ୍ୟ କେନ୍ଦ୍ରାପଡା କ୍ରେଡିଟ କୋପରେଟିଭ ସୋସାଇଟି ଲିଃ.ର କାର୍ଯ୍ୟକାରୀ ସୀମା ଅନ୍ତର୍ଗତ ଯାଜପୁର ଜିଲ୍ଲାର ଟପର ହୋଇଛନ୍ତି । ତାଙ୍କର ପିତା ଷ୍ଟାଲିନ ଜେନା ଜଣେ ଜଣାଶୁଣା ସମାଜସେବୀ । ସେହିପରି କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ମାର୍ଶାଘାଇ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ସୁଶ୍ରୀ ଅସୀମା ଦାସ ୫୮୭ନମ୍ବର ରଖି ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ତାଙ୍କର ପିତା ମାର୍ଶାଘାଇ କଲେଜର ରସାୟନ ବିଜ୍ଞାନ ବିଭାଗରେ ଅଧୁନା ଅଧ୍ୟାପନା କରୁଛନ୍ତି । ସେହିପରି କଟକ ଜିଲ୍ଲା ଅନ୍ତର୍ଗତ ନରସିଂହପୁର ବ୍ଲକର ବାଲିଝରୀସ୍ଥିତ ମଦନଗୋପାଳ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ସୁଶ୍ରୀ ଲିପ୍‌ସା ୫୮୩ନମ୍ବର ରଖି ସମଗ୍ର କଟକ ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ତାଙ୍କର ପିତା ବସନ୍ତ ସ୍ୱାଇଁ ଏକ ଘରୋଇ ସ୍କୁଲରେ ଶିକ୍ଷକତା କରୁଛନ୍ତି । ସେହିଭଳି ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଲକ ଅନ୍ତର୍ଗତ ତାଳପଦାସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ ସୁଶ୍ରୀ ସାଇଲିପସା ପ୍ରଧାନ ୫୭୦ନମ୍ବର ରଖି ଜଗତସିଂହପୁର ଜିଲ୍ଲାରେ ପ୍ରଥମ ହୋଇଛନ୍ତି । ତାଙ୍କର ପିତା ରଞ୍ଜନ ପ୍ରଧାନ ମଧ୍ୟ ଜଣେ ସରକାରୀ ସ୍କୁଲର ଶିକ୍ଷକ ଅଟନ୍ତି । ଅବିଭକ୍ତ କଟକ ଜିଲ୍ଲାରେ କାର୍ଯ୍ୟ କରୁଥିବା କେନ୍ଦ୍ରାପଡା କ୍ରେଡିଟ କୋପରେଟିଭ ସୋସାଇଟି ଲିଃ.ର କେନ୍ଦ୍ରାପଡା ସହରସ୍ଥିତ ମୁଖ୍ୟ ଦପ୍ତର ପରିସରରେ ଚଳିତବର୍ଷ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାର ରାଜ୍ୟ ଟପର ଓ ଜିଲ୍ଲା ଟପର ହୋଇଥିବା କୃତି ପ୍ରତିଭାମାନଙ୍କୁ ସୋସାଇଟିର ପ୍ରତିଷ୍ଠାତା ସଭାପତି ପ୍ରମୋଦ ସାହୁ ଫୁଲତୋଡା, ମାନପତ୍ର, ଉତ୍ତରୀୟ ସମେତ ଆର୍ଥିକ ପୁରସ୍କାର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ଏହି ଉପଲକ୍ଷେ ଆୟୋଜିତ ସମ୍ବର୍ଦ୍ଧନାସମାରୋହରେ କୃତି ପ୍ରତିଭାମାନଙ୍କ ବ୍ୟତିତ ସେମାନଙ୍କ ପିତାମାତା, ସ୍କୁଲର ପ୍ରଧାନ ଶିକ୍ଷକ, ସମିତିର ସମ୍ପାଦକ ପ୍ରହ୍ଲାଦ ସାହୁ, ଅତିରିକ୍ତ ସମ୍ପାଦକ ଅରବିନ୍ଦ ସାହୁ, ମୁଖ୍ୟ ଜେନେରାଲ ମ୍ୟାନେଜର ମନୋଜ ସାହୁଙ୍କ ସମେତ ବିଭିନ୍ନ ଶାଖାର ଶାଖା ପରିଚାଳକ, କର୍ମଚାରୀ ଓ ଏଜେଣ୍ଟ ବୃନ୍ଦ ଯୋଗ ଦେଇଥିଲେ । ଓଡିଶା ଟପରଙ୍କୁ ୧୦ହଜାର ଟଙ୍କା ଓ ପ୍ରତ୍ୟେକ ଜିଲ୍ଲା ଟପରଙ୍କୁ ୫ହଜାର ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ