ଓଡିଶା ରାଜ୍ୟ ସ୍କାଉଟ ସଂଗଠନର ବସନ୍ତ ଦିବସ ପାଳନ
ଭୂବନେଶ୍ୱର (ଯୁଗାବ୍ଦ ନ୍ୟୁଜ୍): ଓଡିଶା ରାଜ୍ୟ ସ୍କାଉଟ ଗାଇଡ୍ ସଂଗଠନ ଆନୁକୂଲ୍ୟରେ ପୂର୍ବ ରାଜ୍ୟ ସଭାପତି ସ୍ୱର୍ଗତ ବସନ୍ତ କୁମାର ବିଶ୍ୱାଳଙ୍କ ଶ୍ରାଦ୍ଧଦିବସକୁ ବସନ୍ତ ଦିବସ ରୂପେ ପାଳିତ ହେଉଅଛି । ଚଳିତବର୍ଷ ତା୭ା୯ା୧୯ରିଖ ତାଙ୍କର ଷୋଡଶ ଶ୍ରାଦ୍ଧବାର୍ଷିକୀ ରାଜ୍ୟ ମୁଖ୍ୟାଳୟର ରଘୁନାଥ ସଦନରେ ଆୟୋଜିତ ହୋଇଥିଲା । ସକାଳୁ ତିଳ ତର୍ପଣ ପରେ ଅପରାହ୍ନ ୨ଟାରେ ଭୁବନେଶ୍ୱର ବିଭିନ୍ନ ଉଚ୍ଚବିଦ୍ୟାଳୟରୁ ୨୦୦ରୁ ଊଦ୍ଧ୍ୱର୍ ସ୍କାଉଟ ଓ ଗାଇଡ୍ ମୁଖ୍ୟାଳୟରେ ଆୟୋଜିତ ସ୍ମୃତି ସଭାରେ ଯୋଗଦାନ କରିଥିଲେ । ୧୫୦ତମ ଗାନ୍ଧି ଜୟନ୍ତୀ ପାଳନ ଅବସରରେ ଦାଣ୍ଡି ଯାତ୍ରା ଶୀର୍ଷକ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ସ୍କାଉଟ ଓ ଗାଇଡ୍ମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଅପରାହ୍ନ ୩ଘଟିକା ସମୟରେ ରାଜ୍ୟ ସଭାପତି ଶ୍ରୀ ବିଷ୍ଣୁଚରଣ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସ୍ମୃତିଚାରଣ ସଭାରେ ଜଟଣୀର ମାନ୍ୟବର ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ ମୁଖ୍ୟ ଅତିଥିରୂପେ ଯୋଗଦେଇ ସ୍ୱର୍ଗତ ବିଶ୍ୱାଳଙ୍କର ସ୍ମୃତିଚାରଣ ପୂର୍ବକ ସ୍କାଉଟ ଓ ଗାଇଡ୍ କ୍ଷେତ୍ରରେ ତାଙ୍କର ଉତ୍ସର୍ଗୀକୃତ ଅବଦାନର ବାକ୍ଷ୍ୟା କରିଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ରାଜ୍ୟ ମୁଖ୍ୟ କମିଶନର ତଥା ଜାତୀୟ ଉପସଭାପତି ଡଃ. କାଳିପ୍ରସାଦ ମିଶ୍ର, ରାଜ୍ୟ ସମ୍ପାଦକ ଶ୍ରୀ ରାମମୂର୍ତ୍ତି ଦୋରା, ରାଜ୍ୟ ସ୍କାଉଟ କମିଶନର ଶ୍ରୀ ଧୃବଚରଣ ପରିଡା ଏବଂ ରାଜ୍ୟ କୋଷାଧ୍ୟକ୍ଷ ଶ୍ରୀ ଶରତ ଚନ୍ଦ୍ର ପାଇକରାୟ ଉପସ୍ଥିତ ଥିଲେ । ସଭାପତି ଶ୍ରୀ ଦାସ ତାଙ୍କ ଅଭିଭାଷଣ ମାଧ୍ୟମରେ ସ୍ୱର୍ଗତ ବିଶ୍ୱାଳଙ୍କ ସ୍କାଉଟ ଗାଇଡ୍ ପ୍ରତି ଅବଦାନ ସହିତ ମନ୍ତ୍ରୀ ଭାବେ ତାଙ୍କର ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମର ଅବତାରଣା କରିଥିଲେ । ଏହି ଅବସରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ସ୍କାଉଟ ଗାଇଡ୍ କ୍ଷେତ୍ରରେ ଉତ୍ସର୍ଗୀକୃତ କାର୍ଯ୍ୟ ସମ୍ପାଦନ କରିଥିବା ୪ ଜଣ ବ୍ୟକ୍ତି ବିଶେଷଙ୍କୁ ମୁଖ୍ୟ ଅତିଥି ଶ୍ରୀ ରାଉତରାୟ ବାଳଚର ବନ୍ଧୁ ସମ୍ମାନ ପ୍ରଦାନ କରିଥିଲେ । ଏତଦ୍ବ୍ୟତୀତ ଜିଲ୍ଲାସ୍ତରରେ ଉଲ୍ଲେଖନୀୟ କାର୍ଯ୍ୟପାଇଁ ୨୯ଜଣ ସ୍କାଉଟ ମାଷ୍ଟର ଓ ଗାଇଡ୍ କ୍ୟାପଟେନଙ୍କୁ ସଭାପତି ଶ୍ରୀ ଦାସ ବସନ୍ତ ବିଶ୍ୱାଳ ପୁରସ୍କାର ପ୍ରଦାନ କରିଥିଲେ । ଏଥିସହିତ ଚିତ୍ରାଙ୍କନ ପ୍ରତିଯୋଗିତାରେ ଶ୍ରେଷ୍ଠ ବିବେଚିତ ସ୍କାଉଟ ଗାଇଡ୍ମାନଙ୍କୁ ସଭାପତି ଶ୍ରୀ ଦାସଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କ ସହଯୋଗିତାରେ ରାଜ୍ୟ ଗାଇଡ୍ କମିଶନର ଶ୍ରୀମତୀ ଅନାମିକା ଦାସ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ରାଜ୍ୟ କୋଷାଧ୍ୟକ୍ଷ ଶ୍ରୀ ଶରତ କୁମାର ପାଇକରାୟ ସ୍ୱାଗତ ଭାଷଣ କରିଥିବା ବେଳେ ସ୍କାଉଟ କମିଶନର ଶ୍ରୀ ଧୃବଚରଣ ପରିଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


