ଓଡିଶା ସ୍କାଉଟ ଗାଇଡ୍ ସଂଗଠନର ରାଜ୍ୟ ପରିଷଦ ବୈଠକ
ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ସଂଗଠନର ରାଜ୍ୟ ପରିଷଦ ବୈଠକ ୬ ତାରିଖ ଦିନ ପୂର୍ବାହ୍ନ ୧୧.୩୦ ମିନିଟ୍ରେ ରାଜ୍ୟ ମୁଖ୍ୟାଳୟସ୍ଥ ସଭାଗୃହରେ ଆୟୋଜିତ ହୋଇଥିଲା । ରାଜ୍ୟ ସଭାପତି ଶ୍ରୀ ବିଷ୍ଣୁଚରଣ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ରାଜ୍ୟ ମୁଖ୍ୟ କମିଶନର ତଥା ଜାତୀୟ ଉପସଭାପତି ଡଃ କାଳିପ୍ରସାଦ ମିଶ୍ର, ରାଜ୍ୟ ସ୍କାଉଟ କମିଶନର ଶ୍ରୀ ଧ୍ରୁବଚରଣ ପରିଡା, ବିଭିନ୍ନ ଜିଲ୍ଲାର ଜିଲ୍ଲା ଶିକ୍ଷାଧିକାରୀ, ରାଜ୍ୟ ସମ୍ପାଦକ ଶ୍ରୀ ରାମମୂର୍ତ୍ତି ଦୋରାଙ୍କ ସମେତ ରାଜ୍ୟ ତଥା ଜିଲ୍ଲାସ୍ତରୀୟ ବହୁ ପଦାଧିକାରୀ ଯୋଗଦେଇଥିଲେ । ପ୍ରାରମ୍ଭରେ ରାଜ୍ୟ ସମ୍ପାଦକ ଶ୍ରୀ ରାମମୂର୍ତ୍ତି ଦୋରାଙ୍କ ଦ୍ୱାରା ଆଗତ ଦିବଂଗତ ସ୍କାଉଟ ଓ ଗାଇଡ୍ର ବ୍ୟକ୍ତିବିଶେଷମାନଙ୍କ ଉଦ୍ଦେଶ୍ୟରେ ଏକମିନିଟ୍ ନିରବ ପ୍ରାର୍ଥନା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ରାଜ୍ୟ ମୁଖ୍ୟ କମିଶନର ଡଃ ମିଶ୍ର ସ୍ୱାଗତ ଭାଷଣ ଦେବାକୁ ଯାଇ ବିଗତ ଦିନମାନଙ୍କରେ ରାଜ୍ୟ ସଂସ୍ଥା ବିଭିନ୍ନ କାର୍ଯ୍ୟକ୍ରମ ଦ୍ୱାରା ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ନିଜର ପ୍ରତିଷ୍ଠା ଲାଭ କରିଥିବାର ଅବତାରଣା କରି ସଦସ୍ୟମାନଙ୍କର ସକ୍ରିୟ ସହଯୋଗର ଉଚ୍ଚପ୍ରଶଂସା କରିବା ସହିତ ଆଗାମୀ ଦିନରେ ଏହାକୁ ଆହୁରି ଦୃଢ଼ୀଭୂତ କରିବା ପାଇଁ ଆଶା ବ୍ୟକ୍ତ କରିଥିଲେ । ଡଃ ମିଶ୍ରଙ୍କର ସ୍ୱାଗତ ଭାଷଣରେ ସଦସ୍ୟମାନେ ଉଚ୍ଛସ୍ୱିତ କରତାଳି ମାଧ୍ୟମରେ ସମର୍ଥନ ଜଣାଇଥିଲେ ।
ପରେ ପରେ କାର୍ଯ୍ୟସୂଚୀ ଅନୁଯାୟୀ ଗତବର୍ଷର ଆୟ ବ୍ୟୟର ସମୀକ୍ଷା କରାଯାଇ ଆଗାମୀ ବର୍ଷର ଆୟବ୍ୟୟର ଅଟକଳ ପରିଷଦ ଦ୍ୱାରା ଅନୁମୋଦନ ଲାଭ କରିଥିଲା । ଏତଦ୍ବ୍ୟତୀତ ବିଭିନ୍ନ କମିଟି ତଥା କାର୍ଯ୍ୟନିର୍ବାହୀ କମିଟି ଦ୍ୱାରା ଆଗତପ୍ରସ୍ତାବ ଗୁଡିକ ବିଷୟରେ ସବିଶେଷ ଆଲୋଚନା କରାଯାଇ ସର୍ବସମ୍ମତି କ୍ରମେ ଗୃହୀତ ହୋଇଥିଲା । ଏହି ଅବସରରେ ଉଚ୍ଚତର ତାଲିମ ନେଇ କୃତକାର୍ଯ୍ୟ ହୋଇଥିବା ବିଭିନ୍ନ ଜିଲ୍ଲାର ସ୍କାଉଟ ମାଷ୍ଟର ଏବଂ ଗାଇଡ୍ କ୍ୟାପଟେନଙ୍କୁ ତାଲିମଦାତା ଏବଂ ତାଲିମ ଦାତ୍ରୀଭାବେ ପ୍ରମାଣପତ୍ର ଓ ବିଟସ୍ ପ୍ରଦାନ କରିଥିଲେ । ଶେଷରେ ରାଜ୍ୟ ସ୍କାଉଟ କମିଶନର ଶ୍ରୀ ଧ୍ରୁବଚରଣ ପରିଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


