ଓରପଟ – ଆମ୍ପର ରାସ୍ତା କାର୍ଯ୍ୟ ନିମ୍ନମାନର : ରାତି ରେ ପଡୁଛି ପିଚୁ

ନିମାପଡା, (ସନ୍ତୋଷ ଦାଶ) :-ପୁରୀ ଜିଲ୍ଲା ନିମାପଡା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନସ୍ଥ ନିମାପଡା-ଅସ୍ତରଙ୍ଗ ମୁଖ୍ୟରାସ୍ତା ଠାରୁ ଆମ୍ପର ଭାୟା ଓରପଟ ଯାଇଥିବା ରାସ୍ତା କାମ ଅତି ନିମ୍ନ ମାନର ହେଉଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ରାତି ଅଧରେ ଶ୍ରମିକ ମାନେ ଆସି ରାସ୍ତା ରେ ପିଚୁ ପକାଇ ଦେଇଛନ୍ତି । ଲୋକମାନେ ସକାଳୁ ଦେଖିଲା ବେଳକୁ ଆମ୍ପର ଠାରୁ ନୁଆ ଗାଁ ପର୍ଯ୍ୟନ୍ତ ପ୍ରାୟ ଗୋଟେ କିଲୋମିଟର ପର୍ଯ୍ୟନ୍ତ ରାସ୍ତା ରେ ପିଚୁ ପଡ଼ିଯାଇଛି । ତେଣୁ ଗ୍ରାମବାସୀ ମାନେ ଆସି କାମ ବନ୍ଦ କରିଥିଲେ । ରାସ୍ତାରେ ପିଚୁ କେଉଁଠି ହାପେ ଇଞ୍ଚି ତ କେଉଁଠି ମାଟି ଉପରେ ପିଚୁ ପକାଇ ଦିଆଯାଇଥିବା ଦେଖିବାକୁ ମିଳିଛି । ଆଗରୁ ଥିବା ପିଚୁରାସ୍ତା କୁ ସଫା କରା ନ ଯାଇ ତା ଉପରେ ପିଚୁ ପକାଇ ଦିଆ ଯାଇଛି । ତେଣୁ ରାସ୍ତା ରେ ପଡ଼ିଥିବା ପିଚୁ ଅତି ନିମ୍ନ ମାନର କାର୍ଯ୍ୟ ଯୋଗୁଁ ରାସ୍ତାରେ ପଡ଼ିଥିବା ପିଚୁ ୨୪ ଘଣ୍ଟା ବିତି ନ ଥିଲେ ମଧ୍ୟ ରାସ୍ତାରୁ ସବୁ ଖୋଳପା ଛାଡ଼ିଲା ଭଳି ଉଠି ଯାଉଛି । ତେଣୁ ଗ୍ରାମବାସୀ ମାନେ କାମ କୁ ବନ୍ଦ କରିଥିଲେ । ନିମାପଡା ଗ୍ରାମ୍ୟ ଉନ୍ନୟନ ବିଭାଗ ର କନିଷ୍ଠଯନ୍ତ୍ରୀ ଙ୍କୁ ଗ୍ରାମବାସୀମାନେ ଫୋନ କରିଥିଲେ ମଧ୍ୟ ସେ ଫୋନ ଉଠାଇ ନଥିଲେ । ରାସ୍ତା କାମ ଚାଲିଥିବାବେଳେ କିଛି କର୍ମଚାରୀ ଙ୍କୁ ଆମ ପ୍ରତିନିଧି ପଚାରି ବାରୁ ସେମାନେ କହିଥିଲେ ଯେ, ରାତିରେ କାମ ହେଲା ତ କୋଉଠି କଣ ଟିକେ ଭୁଲ ଭଟକା ହୋଇ ଯାଇଛି । ଆମେ କିଛି କରିପାରିବୁ ନାହିଁ । ତମେ କନିଷ୍ଠ ଯନ୍ତ୍ରୀ ଓ ଠିକାଦାର ଙ୍କ ସହିତ କଥା ହୁଅ । ଗ୍ରାମବାସୀ ମାନେ ରାସ୍ତା କାର୍ଯ୍ୟ କୁ ବନ୍ଦ ରଖିଛନ୍ତି । ଘଟଣା ସ୍ଥଳ ରେ ଚାପା ଉତ୍ତେଜନା ପ୍ରକାଶ ପାଇଛି । ଏ ସଂପର୍କ ରେ ମତାମତ ନେବାକୁ ନିମାପଡା ସ୍ଥିତ ବିଭାଗୀୟ କନିଷ୍ଠ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ ଙ୍କୁ ଫୋନ କରି ଥିଲେ ମଧ୍ୟ ସେମାନେ ଫୋନ କଲ୍ ରିସିଭ କରିନଥିଲେ । ବିଭାଗୀୟ ଉଚ୍ଚ ଅଧିକାରୀ ଏଦିଗରେ ଦୃଷ୍ଟି ଦେଇ ରାସ୍ତା କାର୍ଯ୍ୟ ଠିକ୍ ଭାବେ ଶେଷ କରିବାକୁ ନିର୍ଦ୍ଦେଶ ଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ