ଓ୍ବାନ୍ ଷ୍ଟପ୍ ସେଣ୍ଟର (ସଖୀ) କୁ ମୋ ସରକାରରେ ଅନ୍ତର୍ଭୁକ୍ତ କରାଯାଉ – ଜିଲ୍ଲାପାଳ
ଛତ୍ରପୁର, (ଦେବଦତ୍ତ ମହାରଣା):ମଙ୍ଗଳବାର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ମହିଳା ମାନଙ୍କ ଏକକାଳୀନ ସମାଧାନ କେନ୍ଦ୍ର (ଓ୍ବାନ୍ ଷ୍ଟପ୍ ସେଣ୍ଟର)ସଖୀର ଦ୍ବିତୀୟ ପରିଚାଳନା ବୈଠକ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସେ ଜଣାଇଥିଲେଯେ, ସମସ୍ତଙ୍କ ମିଳିତ ସମନ୍ବୟ ରକ୍ଷାକରି ଓ୍ବାନ୍ ଷ୍ଟପ୍ ସେଣ୍ଟରର କାର୍ଯ୍ୟ ଗୁଡିକ ତ୍ବରାନ୍ବୀତ କରିବା ଦିଗରେ ତତ୍ପରତା ପ୍ରକାଶ କରିବାକୁ ପ୍ରବର୍ତ୍ତାଇ ଥିଲେ । ଏଠାରେ ପ୍ରକାଶ ଥାଉକି 2018 ମସିହା ଅକ୍ଟୋବର ମାସ ଠାରୁ ନିର୍ଯ୍ୟାତିତା ମହିଳାଙ୍କ ପାଇଁ ଏକ କାଳୀନ ସମାଧାନ କେନ୍ଦ୍ର ଖୋଲା ଯାଇଛି । ଉକ୍ତ କେନ୍ଦ୍ରଟି ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ପରିସର ମଧ୍ୟରେ କାର୍ଯ୍ୟ କରୁଛି । ଘରୋଇ ହିଂସା, ନିର୍ଯ୍ୟାତନାରେ ଶିକାର ହୋଇଥିବା ମହିଳା, ଯୌନ ଶୋଷଣର ଶିକାର, ବଳାତ୍କାର କିମ୍ବା ଅଶ୍ଲିଳ ଆଚରଣ, ଅପହରଣ, ମିଥ୍ୟା ପ୍ରଲୋଭନ ଦେଖାଇ ରାଜ୍ୟ ବାହାରକୁ ଚାଲାଣ, ୧୮ ବର୍ଷରୁ କମ୍ ବୟସର ଝିଅଟିର ବିବାହ କିମ୍ବା ମହିଳା/ବାଳିକାଟି ସାଇବର ବେଆଇନ ଅପରାଧର ଶିକାର ହୋଇଥିବା ବ୍ୟକ୍ତି ବିଶେଷଙ୍କ ଥଇଥାନ ଏବଂ ସେମାନଙ୍କର ଅଧିକାର ନିମନ୍ତେ କାର୍ଯ୍ୟ କରି ଆସଅଛି । ଏହି କେନ୍ଦ୍ରରେ ପୋଲିସ୍ ସହାୟତା, ଆଇନଗତ ସହାୟତା, ଚିକିତ୍ସାଗତ ସହାୟତା, ମନସ୍ତାତ୍ତ୍ବିକ ଓ ସାମାଜିକ ପରାମର୍ଶ ସହ ସ୍ବଳ୍ପକାଳୀନ ଆଶ୍ରୟର ବ୍ୟବସ୍ଥା ମଧ୍ୟ ରହିଅଛି । ଅଦ୍ୟାବଧି ସମୁଦାୟ ୪୪୩ ଗୋଟି ମୋକଦ୍ଦମା ରୁଜୁ ହୋଇ ୨୭୩ ଜଣ ମହିଳାଙ୍କ ମୋକଦ୍ଦମା ପରାମର୍ଶ ମାଧ୍ୟମରେ ସମାଧାନ କରାଯାଇପାରିଅଛି । 130 ଗୋଟି ଅନ୍ୟାନ୍ୟ ମୋକଦ୍ଦମା ଗୁଡିକର ସମାଧାନ ହୋଇ ସେମାନେ ନିଜ ପରିବାର ମଧ୍ୟରେ ସୁଖ ଶାନ୍ତିରେ ରହିଛନ୍ତି । ସମ୍ପ୍ରତି ୩୪ ଗୋଟି ମୋକଦ୍ଦମାର ପୈସଲା ସ୍ଥିତିରେ ରହିଛି, ଯାହାର ସମାଧାନର ବାଟ ଖୁବ୍ ଶୀଘ୍ର ହେବ ବୋଲି ବୈଠକରେ ଜଣାପଡିଛି ।ଉକ୍ତ କେନ୍ଦ୍ରକୁ ସହାୟତା ନିମନ୍ତେ ଥିବା ମହିଳା କିମ୍ବା ବାଳିକା ମାନଙ୍କର ସୁରକ୍ଷା ଦିଗରେ ସମସ୍ତ ପ୍ରକାର ସହଯୋଗ ଅବିଳମ୍ବେ କରିବାକୁ ଜିଲ୍ଲାପାଳ ସଂପୃକ୍ତ ବିଭାଗୀୟ କର୍ମକର୍ତ୍ତା ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସ୍ବାସ୍ଥ୍ୟ ଅଧିକାରୀ, ସମନ୍ବୀତ ଶିଶୁ ବିକାଶ ଯୋଜନା ଅଧିକାରୀ, ପୁଲିସ ଅଧିକାରୀ ଗଣ ଉକ୍ତ କେନ୍ଦ୍ରକୁ ପରିଦର୍ଶନରେ ଯାଇ ସେଠାରେ ଥିବା ପୀଡିତା ମାନଙ୍କୁ ପରାମର୍ଶ ଓ ସେମାନଙ୍କ ଭଲମନ୍ଦ ବୁଝିବାକୁ କହିଥିଲେ । ସେମାନଙ୍କ ମୋକଦ୍ଦମା ଗୁଡିକ ଠିକ୍ ସମୟରେ ସମାଧାନ ଯେପରି ହେବ ସେହି ଦିଗରେ ତତ୍ପରତା ପ୍ରକାଶ କରିବାକୁ ଜଣାଇଥିଲେ । ଜିଲ୍ଲାର ଅନେକ ମହିଳା/ବାଳିକାଗଣ ପୀଡିତ ହେଉଛନ୍ତି । ସେମାନେ ଭୟଛାଡି ନିର୍ଭୟରେ ଯେପରି ଉକ୍ତ କେନ୍ଦ୍ରର ସହାୟତା ଗ୍ରହଣ କରିବେ ସେହିଭଳି ବାତାବରଣ ସୃଷ୍ଟି କରିବାର ଆବଶ୍ୟକତା ଉପରେ ଜିଲ୍ଲାପାଳ ଗୁରୁତ୍ବ ଦେଇ ଓ୍ବାନ୍ ଷ୍ଟପ୍ ସେଣ୍ଟର କୁ ମୋ ସରକାର ମଧ୍ୟରେ ଅନ୍ତର୍ଭୁକ୍ତ କରିବାକୁ ପରାମର୍ଶ ଦେଇଥିଲେ । ଉକ୍ତ କେନ୍ଦ୍ରର ପାରିପାର୍ଶିକ ବ୍ୟବସ୍ଥାର ଉନ୍ନତି ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ଓ୍ବାନ୍ ଷ୍ଟପ୍ ସେଣ୍ଟରର ତଥ୍ୟ ଓ ସୂଚନା ପ୍ରଚାର ପ୍ରସାର ସୋସିଆଲ୍ ମିଡିଆ, ଗ୍ରାମ ପଞ୍ଚାୟତ, ପର୍ଯ୍ୟଟନ ସ୍ଥଳ, ଉଚ୍ଚ ଶିକ୍ଷା କେନ୍ଦ୍ର ଗୁଡିକରେ ଯେପରି ହେବ ସେ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଜଣାଇଥିଲେ । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍, ବ୍ରହ୍ମପୁର ଉପଜିଲ୍ଲାପାଳ ଓ୍ବ କୀର୍ତ୍ତିଓ୍ବାସନ୍, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଏମ୍.କେ.ସି.ଜିର ଡିନ୍ ଡଃ ଅବନୀକାନ୍ତ ମିଶ୍ର, ଏମ୍.କେ.ସି.ଜିର ପ୍ରଶାସନିକ ଅଧିକାରୀ ସଚ୍ଚିଦାନନ୍ଦ ନାୟକ, ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଡଃ ଆର୍ ଜଗଦୀଶ୍ ପଟ୍ଟନାୟକ, ଗଞ୍ଜାମ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରମେଶ ଚନ୍ଦ୍ର ସେଠୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁରେଖା ମଲ୍ଲିକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା, ଜିଲ୍ଲା ମହିଳା ସୁରକ୍ଷା ଅଧିକାରୀ ସଙ୍ଗୀତା ପାତ୍ର, ଓ୍ବାନ୍ ଷ୍ଟପ୍ ସେଣ୍ଟର ର ନିର୍ଦ୍ଦେଶକ ତଥା ଆଇ.ଏସ୍.ଆର୍.ଡି. ର ସଭାପତି ସୁଧୀର ସାବତ, କେନ୍ଦ୍ରର ପ୍ରଶାସିକା ମହେଶ୍ବେତା ପାଢୀ, ଜିଲ୍ଲାର ସମସ୍ତ ଶିଶୁ ବିକାଶ ଯୋଜନା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।


